ଯୌନ ନିର୍ଯାତନାରୁ ବୋହୂଙ୍କୁ ରକ୍ଷା କରିବାକୁ ନିଜ ସ୍ବାମୀଙ୍କ ତଣ୍ଟି କାଟିଲେ ଶାଶୂ – Utkal Mail
ବରେଲି: ୧୯ ବର୍ଷୀୟ ବୋହୂକୁ ଯୌନ ନିର୍ଯାତନାରୁ ରକ୍ଷା କରିବାକୁ ଯାଇ ନିଜ ସ୍ବାମୀଙ୍କ ତଣ୍ଟି କାଟି ଦେଇଥିବା ଜଣେ ୪୦ ବର୍ଷୀୟ ମହିଳାଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ଘଟଣାଟି ଉତ୍ତର ପ୍ରଦେଶର ବୁଦୌନ୍ରେ ଘଟିଛି। ପୁଲିସ କହିଛି, ଘଟଣାଟି ଅଗଷ୍ଟ ୧୪ ତରିଖ ଦିନ ଘଟିଥିଲା। ବିଲ୍ସି ସହରରେ ଥିବା ବାସଭବନରେ ଖେଳଣା ନିର୍ମାତା ୪୩ ବର୍ଷିୟ ତେଜେନ୍ଦର୍ ସିଂହ ଅଗଣାରେ ଶୋଇଥିଲେ। ସେଠାରେ ତାଙ୍କୁ ସନ୍ଦେହଜନକ ପରିସ୍ଥିତିରେ ମରିପଡ଼ିଥିବାର ଦେଖାଯାଇଥିଲା। ତାଙ୍କୁ କୌଣସି ଅଜ୍ଞାତ ବ୍ୟକ୍ତି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ କହିଥିଲେ।
ତଦନ୍ତ ସମୟରେ ବିଲ୍ସି ‘ଏସ୍ଏଚ୍ଓ’ ଜାଣିପାରିଲେ ଯେ, ତେଜେନ୍ଦର୍ଙ୍କ ସ୍ତ୍ରୀ ମିଥିଳେଶ ଦେବୀ ବାରମ୍ବାର ତାଙ୍କ ବୟାନ ବଦଳାଉଛନ୍ତି। ତେଣୁ, ତାଙ୍କୁ ହାଜତକୁ ନେଇ ପଚରା ଉଚରା କରିବାରୁ ସେ ଅପରାଧ ସ୍ବୀକାର କରିଥିଲେ।
୪ ପିଲାଙ୍କ ମାଆ ମିଥିଳେଶ ପୁଲିସକୁ କହିଲେ, ବୁଝେଇଶୁଝେଇ ବୋହୂଙ୍କୁ ତାଙ୍କ ସହିତ ଶୋଇବାକୁ ପ୍ରବର୍ତ୍ତାଇବା ଲାଗି ସ୍ବାମୀ ତେଜିନ୍ଦର୍ ମତେ ବାଧ୍ୟ କରିବା ସହିତ ମାରଧର କରୁଥିଲେ। ସ୍ବାମୀଙ୍କ କବଳରୁ ରକ୍ଷା ପାଇବା ପାଇଁ ସୁଯୋଗ ଖୋଜୁଥିଲି। ସେ ଦିନ ରାତିରେ ସେ ମଦ ପିଇ ନିଶାସକ୍ତ ହୋଇ ଘରକୁ ଫେରି ବାହାର ଅଗଣାରେ ଶୋଇପଡ଼ିଥିଲେ। ମୁଁ ଗୋଟାଏ ଦାଆ ନେଇ ତାଙ୍କ ତଣ୍ଟି କାଟି ପକାଇଲି। ବୋହୂଙ୍କୁ ତାଙ୍କ କବଳରୁ ରକ୍ଷା କରିବା ପାଇଁ ମୁଁ ତାଙ୍କୁ ହତ୍ୟା କରିଛି।
ହତ୍ୟା କରାଯାଇଥିବା ଅସ୍ତ୍ରର ଫୋରେନ୍ସିକ୍ ରିପୋର୍ଟକୁ ଭିତ୍ତି କିର ମାମଲା ରୁଜୁ କରାଯିବା ସହିତ ମହିଳାଙ୍କୁ ନରହତ୍ୟା ଅଭିଯୋଗରେ ଜେଲ୍ ପଠାଇଦିଆ ଯାଇଥିବା କଥା ପୁଲିସ କହିଛି।