କ୍ରାଇମ

‘ମୋ ସ୍କୁଲ’ ନାରେ ଫେକ୍‌ ୱେବ୍‌ସାଇଟ୍‌; ଚାକିରି ଦେବାକୁ କହି ଠକୁଥିଲେ, ବନ୍ଧା ହେଲେ ୩ ଯୁବକ – Utkal Mail


ଭୁବନେଶ୍ବର: ରାଜ୍ୟରେ ବେକାରି ସଂଖ୍ୟା ବଢୁଥିବାରୁ ଯୁବକ-ଯୁବତୀମାନେ ଚାକିରି ପଛରେ ଗୋଡ଼ାଉଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନଥିବା ଯୁବପିଢ଼ି ଚାକିରି ଲୋଭରେ ପଡ଼ି ଠକ ଓ ଦଲାଲଙ୍କ ହାବୁଡ଼ରେ ପଡୁଛନ୍ତି। ଏହି କାରଣରୁ ଆର୍ଥିକ କ୍ଷତି ସହୁଛନ୍ତି। କିଛି ଘଟଣା ପଦାକୁ ଆସୁଥିବା ବେଳେ ଆହୁରି ଅନେକ ଲୁଚି ଯାଉଛି। ‘ମୋ ସ୍କୁଲ’ ନାରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲି ଚାକିରି ଦେବା ନାରେ ଠକେଇ ଘଟଣାରେ ସାଇବର ପୁଲିସ ୩ ଜଣଙ୍କୁ ବାନ୍ଧିଛି। ଅଭିଯୁକ୍ତମାନେ ହେଲେ ଅମର ସାମଲ ସହ ମଦନ ନାଗ ଓ ରାଇଗୁଲୁ ପାତ୍ର।

କମିସନରେଟ୍‌ ପୁଲିସର ଜୋନ୍‌-୫ ଏସ୍‌ପି ଗୌତମ କିଶନ ଗଣମାଧ୍ୟମକୁ କହିଛନ୍ତି ଅଭିଯୁକ୍ତମାନେ ଅନେକ ଆଶାୟୀଙ୍କୁ ଚାକିରି ଦେବା ନାଁରେ ଠକେଇ କରୁଥିବାର ସୂଚନା ରହିଛି। ପୁଲିସ ସେମାନଙ୍କୁ ଭରତପୁରରୁ ଗିରଫ କରିଛି। ସେମାନଙ୍କର ଠାରୁ ନଗଦ ଦୁଇ ଲକ୍ଷ ଟଙ୍କା, ଦୁଇଟି ଲାପ୍‌ଟପ୍‌, ଡ଼େକ୍ସଟପ୍‌,୧୩ଟି ମୋବାଇଲ ଜବତ କରାଯାଇଛି। ସେହିପରି ବ୍ୟାଙ୍କ ଚେକବୁକ, ଏଟିଏମ୍ କାର୍ଡ, ଫେକ୍‌ ସିଲ ଷ୍ଟାମ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଜବତ ହୋଇଛି।

ଶ୍ରୀ କିଶନ କହିଛନ୍ତି ଯେ, ଗତ ଜୁଲାଇ ୧୨ ତାରିଖରେ ‘ମୋ ସ୍କୁଲ’ ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ନକଲି ୱେବସାଇଟ ପ୍ରସ୍ତୁତ କରି ସାଇବର ଲୁଟେରାମାନେ ଆଶାୟୀଙ୍କୁ ଠକୁଥିଲେ। ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ ଏନେଇ ପୁଲିସ୍ କମିସନରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିଥିଲେ। ଏହି ନକଲି ୱେବସାଇଟ୍‌ରେ ‘ମୋ ସ୍କୁଲ’ ଅଫିସ୍‌ରେ ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ନକଲି ବିଜ୍ଞାପନ ଦେଇଥିଲେ। ସାଇବର ଠକମାନେ ଚାକିରି ପାଇଁ ଆଶାୟୀଙ୍କଠୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦାବି ମଧ୍ୟ କରୁଥିଲେ। ଅଭିଯୋଗ କ୍ରବେ ପୁଲିସ ମୁଖ୍ୟ ଅଭିଯୁକ୍ତ ଅମର ସାମଲ ସହ ମଦନ ନାଗ ଓ ରାଇଗୁଲୁ ପାତ୍ରଙ୍କୁ
ଗିରଫ କରିଛି। ସାଇବର ଥାନା ପୁଲିସ ତିନି ଜଣଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button