ଓଡିଶା

ଧାନକିଣା ନେଇ ଅଚଳାବସ୍ଥା ଜାରି: ୪ ଦିନ ହେବ ଖୋଲାପଡ଼ିଛି ମଣ୍ଡି

ଢେଙ୍କାନାଳ: ଜିଲ୍ଲାରେ ଧାନକିଣା ନେଇ ଅଚଳାବସ୍ଥା ଜାରି ରହିଛି। ପ୍ରଶାସନ ଓ ମିଲର୍ସଙ୍କ ଟଣାଓଟରାରେ ବିଚାରା ଚାଷୀ ବଳି ପଡୁଛନ୍ତି। ସରକାର ତାଙ୍କ ନୀତିରୁ ଓହରୁ ନଥିବା ବେଳେ ମିଲର୍ସ ଏଫ୍‌ଏକ୍ୟୁ ମାନର ଧାନ ଉଠାଇବାକୁ ଅଡ଼ିବସିଛନ୍ତି। ଜିଲ୍ଲାର ମିଲର୍ସ ଧାନ ନ ଉଠାଇଲେ, ବାହାରୁ ମିଲର୍ସ ଆସି ଧାନ କିଣିବେ ବୋଲି ଯୋଗାଣ ମନ୍ତ୍ରୀ ଦେଇଥିବା ଚେତାବନୀ ମିଲର୍ସ ସଂଘ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସଂଘ ପକ୍ଷରୁ ‘ଧାନକିଣାରୁ ଆମେ ଓହରି ନାହୁଁ, ସୋସାଇଟି ମାଧ୍ୟମରେ ଧାନ କିଣି ଆମକୁ ଦେଲେ ଉଠାଇବୁ’ ବୋଲି ଶୁଣାଇ ଦିଆଯାଇଛି। ୪ ଦିନ ହେବ ଏପରି ଅନିଶ୍ଚିତତା ମଧ୍ୟରେ ମଣ୍ଡିଗୁଡ଼ିକ ଖୋଲାପଡ଼ିଛି। ଅନ୍ୟପକ୍ଷରେ ଚାଷୀମାନେ ଧାନ କିଣା ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ବାହାର ଦଲାଲଙ୍କୁ ବିକିବାକୁ ଚାହିଲେ ମଧ୍ୟ ସେମାନେ ଆଉ ଧରାଛୁଆଁ ଦେଉ ନଥିବାରୁ ଚାଷୀମାନେ ଅସହାୟ ହୋଇପଡ଼ିଛନ୍ତି।

୪ ଦିନ ହେବ ଖୋଲାପଡ଼ିଛି ମଣ୍ଡି
୧୪ ଲକ୍ଷ କୁଇଣ୍ଟାଲ ଲକ୍ଷ୍ୟଧାର୍ଯ୍ୟ, ୧ଲକ୍ଷ ପରେ ନିକିତି ଖାଲି

ଜିଲ୍ଲାରୁ ୧୩ ଲକ୍ଷ ୯୫ ହଜାର ୩୦୮କୁଇଣ୍ଟାଲ୍‌ ଧାନ ଚଳିତ ବର୍ଷ କିଣିବାକୁ ଲକ୍ଷ୍ୟ ରଖି ଗତ ୮ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ୨ ଜଣ ଚାଷୀ ୫୦ କୁଇଣ୍ଟାଲ୍‌ ଧାନ ଆଣିଥିଲେ ମଧ୍ୟ ତାହା ଏଫ୍‌ଏକ୍ୟୁ ମାନର ହୋଇ ନଥିବାରୁ ମଣ୍ଡି ନେଇ ନଥିଲା। ପରେ ୪/୫ଦିନ ଧରି ଏଫ୍‌ଏକ୍ୟୁ ଅଙ୍କକଷା ଆଶଙ୍କାରେ ଚାଷୀ ମଣ୍ଡିକୁ ଧାନ ଆଣି ନଥିଲେ। ଲଘୁଚାପଜନିତ ପ୍ରାକୃତିକ ବିପର୍ଯ୍ୟୟ ଭିତରୁ ଚଳିତବର୍ଷ ଯେଉଁ ଧାନ ପାଇଥିଲେ, ସେହି ଧାନକୁ ବିକିବାକୁ ହେଲେ ୧୨ ପ୍ରତିଶତ କଟ୍‌ନିଛଟ୍‌ନି ଦେବାକୁ ପଡ଼ିଥିଲା। ଏଥିରେ କୁନ୍ଥକୁନ୍ଥ ହୋଇ କେତେକ ଚାଷୀ ବାଧ୍ୟବାଧକତାରେ ଧାନ ବିକିଥିଲେ। ମାତ୍ର ୧ ଲକ୍ଷ ୫ ହଜାର କୁଇଣ୍ଟାଲ୍‌ ଧାନ କିଣାଯିବା ପରେ ଏହି କଟ୍‌ନିଛଟ୍‌ନି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। ପରେ ମିଲର୍ସ ସଂଘ ଓ ଚାଷୀନେତାଙ୍କ ମଧ୍ୟରେ ଏକ ଅଲିଖିତ ଚୁକ୍ତି ହୋଇ ଉଭୟେ ଅଧା କ୍ଷତି ସହିବା ନିଷ୍ପତ୍ତି ନେଇ ଧାନକିଣା ଆରମ୍ଭ ହୋଇଥିଲା। ଏହି ଘଟଣା ସରକାରଙ୍କ ନଜରକୁ ଆସିବା ପରେ ଯୋଗାଣ ବିଭାଗ ପକ୍ଷରୁ ସଦର ନିର୍ବାଚନମଣ୍ଡଳୀର କେତେକ ମଣ୍ଡିରେ ଚଢ଼ଉ ହୋଇଥିଲା। ଏଥିରେ ମିଲର୍ସ ସଂଘ ଅସନ୍ତୋଷ ପ୍ରକାଶ କରି ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ୪ ପ୍ରତିଶତ କଟ୍‌ନିଛଟ୍‌ନି କରି ଧାନ ନେବା ପାଇଁ ମିଲର୍ସ ସଂଘକୁ କୁହାଯାଇଥିଲା। ସେଥିରେ ମିଲର୍ସ ସଂଘ ଅନିଚ୍ଛା ପ୍ରକାଶ କରି ପ୍ୟାକ୍‌ସ ଯେଉଁ ମାନର ଧାନ କିଣିକି ଦେବ ସେହି ଧାନ ଆମେ ଉଠାଇବୁ ବୋଲି କହିଥିଲା। ଏମିତି ସ୍ଥିତିରେ ୪ ଦିନ ବିତିଥିଲେ ମଧ୍ୟ ସରକାରୀସ୍ତରରେ କୌଣସି ବିକଳ୍ପ ନିଷ୍ପତ୍ତି ହୋଇପାରୁ ନାହିଁ। ଏଣେ ସରକାର ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ୍‌ ପିଛା ଚଳିତ ବର୍ଷ ୮୦୦ ଟଙ୍କା ବଢ଼ାଇ ଦେଇଥିବାରୁ ସେହି ଲୋଭ ଚାଷୀଙ୍କୁ ଘାରିଛି। ୬/୭କେଜି ଯାଉପଛେ ବିଗତ ବର୍ଷର ମୂଲ୍ୟ ତୁଳନାରେ ଅଧିକ ମିଳିବା ଆଶାରେ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରି ଧାନକୁ ଧରି ବସିଛି ଚାଷୀ ସମାଜ।

ମିଲର୍ସ ସଂଘ ସଭାପତି ପ୍ରଦୀପ ମହାନ୍ତି କୁହନ୍ତି, ଏଫ୍‌ଏକ୍ୟୁମାନର ଧାନ ନେବାକୁ ସରକାର କହୁଛନ୍ତି। ଆମଠୁ ମଧ୍ୟ ସେହି ମାନର ଚାଉଳ ସେ ନେବେ। ଜିଲ୍ଲାରେ ଏହି ମାନର ଧାନ ପ୍ରାୟ ନାହିଁ। ଏ ସଂପର୍କରେ ଆଜି ସଂଧ୍ୟାରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା। ମାନ ନିର୍ଦ୍ଧାରଣ ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଆମ ଜିଲ୍ଲାର ଚାଷୀ ଯେପରି ହଇରାଣ ନହେବେ ତାହାକୁ ଦୃଷ୍ଟିରେ ରଖି ଚାଷୀମାନେ ଝାଡ଼ିଝୁଡ଼ି ସଫା କରି ଧାନ ଆଣିବାକୁ ପ୍ରସ୍ତାବ ଦେଇଛୁ। ସୋସାଇଟି ସେମାନଙ୍କଠାରୁ ସେହି ଧାନ କିଣିଲା ପରେ ତାହା ଯେଉଁ ମାନର ହୋଇଥିବ ଆମେ ସେହି ମାନର ଧାନ ସଙ୍ଗେ ସଙ୍ଗେ ଉଠାଇବୁ। ଏ ସଂପର୍କରେ ସୋସାଇଟିମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବେ ବୋଲି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button