କ୍ରୀଡା

ବିଶ୍ବକପ୍ ଇତିହାସରେ ସବୁଠୁ ବଡ଼ ବ୍ୟବଧାନରେ ବିଜୟ, ନେଦରଲାଣ୍ଡସକୁ ୩୦୯ ରନରେ ହରାଇଲା ଅଷ୍ଟ୍ରେଲିଆ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇସିସି ବିଶ୍ବକପର ମ୍ୟାଚଟି ଏକାଧିକ ଦୃଷ୍ଟିକୋଣରୁ ରେକର୍ଡ ବହିରେ ସ୍ଥାନ ପାଇବ । ଗୋଟିଏ ପଟେ  ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ୍ ମାତ୍ର ୪୦ଟି ବଲରେ ଶତକ ହାସଲ କରି ବିଶ୍ବକପ ଇତିହାସରେ ଦ୍ରୁତତମ ଶତକ ହାସଲ  କରିଥିବାବେଳେ ଅନ୍ୟପଟେ ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ ଜିତିଯାଇଛି । ଏହା ବିଶ୍ବକପ ଇତିହାସରେ ଏକ ରେକର୍ଡ । ତେବେ ଦିନିକିଆ ଇତିହାସରେ ସବୁଠାରୁ ବଡ଼ ବିଜୟ ଭାରତ ନାଁରେ ରହିଛି । ଚଳିତ ବର୍ଷ ଜାନୁଆରି ୧୫ରେ ଭାରତ ଶ୍ରୀଲଙ୍କାକୁ ୩୧୭ ରନ ବ୍ୟବଧାନରେ ପରାସ୍ତ କରିଥିଲା ।

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୪୦୦ ରନର ବିଶାଳ ଲକ୍ଷ୍ୟର ଚାପରେ ନେଦରଲାଣ୍ଡସ ଚାପି ହୋଇଯାଇଥିଲା । ଦଳ ମାତ୍ର ୯୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବିକ୍ରମଜିତ ସିଂ ସର୍ବାଧିକ ୨୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ମାର୍ସ ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହେବା ପରେ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍ । ଗତ ମ୍ୟାଚରେ ଶତକ ହାସଲ କରିଥିବା ଓ୍ବାର୍ଣ୍ଣର ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ । ତେବେ ମାକ୍ସଓ୍ବେଲଙ୍କ ବିସ୍ଫୋରକ ୪୦ ବଲ ଶତକ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା ।  ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ଓ୍ବିକେଟ ନେଇଥିବାବେଳେ ବାସ ଡି ଲିଡ୍ ୨ଟି ଓ୍ବିକେଟ ନେଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button