ଦିନିକିଆ ବିଶ୍ବକପ୍: ଭାରତ-ବାଂଲାଦେଶ ଲଢ଼େଇ ଆଜି – Utkal Mail
ପୁଣେ: ଚଳିତ ଦିନିକିଆ ବିଶ୍ବକପ୍ରେ ଭାରତ ଗୁରୁବାର ବାଂଲାଦେଶ ସହିତ ଖେଳିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି ମ୍ୟାଚ୍ରେ ସହଜରେ ଜିତିବ ବୋଲି ଆକଳନ କରାଯାଉଛି। ବିଶ୍ବକପ୍ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି। ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ରେ ବାଂଲାଦେଶ ପ୍ରଥମ ଭେଟରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ସଂସ୍କରଣରେ (୨୦୧୧, ୨୦୧୫, ୨୦୧୯)ରେ ପରାଜୟ ବରଣ କରିଥିଲା। ସବୁଠାରୁ ବଡ଼ ଉଲ୍ଲେଖନୀୟ କଥା ହେଉଛି ସାମ୍ପ୍ରତିକ ମୁକାବିଲାଗୁଡ଼ିକରେ ବାଂଲାଦେଶ ଠିକ୍ ଓଲଟା ସ୍ଥିତିରେ ରହିଛି। ବିଗତ ୧୨ ମାସ ଭିତରେ ଖେଳାଯାଇଥିବା ୪ ମୁକାବିଲାରୁ ବାଂଲାଦେଶ ୩ଟି ଜିତିଥିବାରୁ ଏଥିରୁ ନିଶ୍ଚିତ ଖିଅ ଖୋଜିବାକୁ ଚେଷ୍ଟା କରିବ। ଏହି ୩ ପରାଜୟ ଆସିଥିଲା ଏସିଆ କପ୍ (୧) ଏବଂ ୨୦୨୨ ଡିସେମ୍ବରର ଦ୍ବିପାକ୍ଷିକ ଶୃଙ୍ଖଳା (୨)ରେ। ତେବେ ଦାବିଦାର ଦଳକୁ ପରାସ୍ତ କରିବା ଲାଗି ଆଫଗାନିସ୍ତାନ ଓ ନେଦରଲାଣ୍ଡ୍ସ ସାହାସ ଯୋଗାଇଛନ୍ତି। ବିଜେତା ଇଂଲଣ୍ଡ ଏବଂ ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାକୁ ଏହି ଦୁଇ ଦଳ ଯଥାକ୍ରମେ ପରାସ୍ତ କରି ସୂଚନା ଦେଇଛନ୍ତି କ୍ରିକେଟ୍ରେ ସବୁ କିଛି ସମ୍ଭବ।