ହୋଟେଲ ରୁମରେ ରଖାଯାଇଥିଲା ଗୁପ୍ତ କ୍ୟାମେରା, ଧରିପକାଇଲେ କୀର୍ତ୍ତି – Utkal Mail
‘ହାଉସ୍ଫୁଲ୍ ୪’ ଓ ‘ଶାଦି ମେଁ ଜରୁର ଆନା’ ପରି ହିନ୍ଦୀ ଫିଲ୍ମର ଅଭିନେତ୍ରୀ କୀର୍ତ୍ତି ଖରବନ୍ଦା ନିକଟରେ ଏକ ଚିନ୍ତାଜନକ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି। ତାଙ୍କର ଏକ କନ୍ନଡ଼ ଫିଲ୍ମର ସୁଟିଂ ଅବସରରେ ସେ ରହୁଥିବା ହୋଟେଲରେ ଏକ ଗୁପ୍ତ କ୍ୟାମେରା ଖଞ୍ଜାଯାଇଥିଲା। ଏହା ଦେଖି ସେ ପ୍ରଥମେ ଛାନିଆ ହୋଇପଡ଼ିଥିଲେ। ତାଙ୍କ ମନ ଆତଙ୍କିତ ହେବାକୁ ଲାଗିଥିଲା। ସୌଭାଗ୍ୟକୁ ତାହାକୁ ଟିଭି ସେଟ୍ ଟପ୍ ବକ୍ସ ପଛରେ ରଖାଯାଇଥିବାରୁ ତାକୁ ସେ ସହଜରେ ଠାବ କରିପାରିଥିଲେ। ଏହାକୁ ହୋଟେଲର ଜଣେ କର୍ମଚାରୀ ରଖିଥିଲେ ବୋଲି କୀର୍ତ୍ତି ପ୍ରକାଶ କରିଛନ୍ତି। ମହିଳାମାନଙ୍କ ମନଖୋଲା ଅନୁଭୂତି ବଖାଣିବାର ମଞ୍ଚ ‘ହାଉଟରଫ୍ଲାଏ’ରେ ନିଜର ହୋଟେଲ୍ ରହଣି ବେଳର ଅଭ୍ୟାସ ବିଷୟରେ କହି କୀର୍ତ୍ତି ସଭିଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।
କୀର୍ତ୍ତି କହନ୍ତି ଯେ ସେ ଓ ତାଙ୍କ ସହକର୍ମୀମାନଙ୍କର ଏକ ପୁରୁଣା ଅଭ୍ୟାସ ଅଛି। ସେ ଯେବେ ବି ହୋଟେଲରେ ରୁହନ୍ତି ପ୍ରଥମେ ଗୁପ୍ତ କ୍ୟାମେରା ଲାଗିଥିବା ଆଶଙ୍କାରେ ରୁମ୍ଗୁଡ଼ିକୁ ତନ୍ନ ତନ୍ନ କରି ତଲାସ କରନ୍ତି। ସେଦିନ ମଧ୍ୟ ସୁଟିଂ ସେଟ୍କୁ ଯିବା ପୂର୍ବରୁ ତଲାସିବା ବେଳେ କ୍ୟାମେରିଟିଏ ଧରାପଡ଼ିଥିଲା। ଏ ସମ୍ପର୍କରେ ସେମାନେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ କଥାକୁ ଆଉ ଆଗକୁ ବଢ଼ିବାକୁ ଦେଇନଥିଲେ।
ସୂଚନାଯୋଗ୍ୟ, ୨୦୧୬ରେ ହିନ୍ଦୀ ଫିଲ୍ମ ‘ରାଜ: ରିବୁଟ୍’ ମାଧ୍ୟମରେ ବଲିଉଡ୍କୁ ପ୍ରବେଶ କରିଥିବା କୀର୍ତ୍ତିଙ୍କର ଅଭିନୟ ‘ଶାଦି ମେଁ ଜରୁର ଆନା’, ‘ୟମଲା ପଗଲା ଦିଵାନା: ଫିର ସେ’ ଓ ‘ହାଉସ୍ଫୁଲ୍ ୪’ ପରି ବ୍ୟାବସାୟିକ ସିନେମା ମାନଙ୍କରେ ବେଶ ପ୍ରଭାବଶାଳୀ ହୋଇଥିଲା। ଶେଷ ଥର ପାଇଁ ତାଙ୍କୁ ୨୦୨୧ରେ ମୁକ୍ତିଲାଭ କରିଥିବା ହାସ୍ୟରସାତ୍ମକ ହିନ୍ଦୀ ଫିଲ୍ମ ‘୧୪ ଫେରେ’ରେ ଦେଖିବାକୁ ମିଳିଥିଲା। ବ୍ୟକ୍ତିଗତ ଜୀବନରେ କୀର୍ତ୍ତିଙ୍କର ‘ବୀରେ କି ୱେଡିଂ’, ‘ପାଗଲପନ୍ତି’ ଓ ‘ତୈଶ’ ଆଦି ସିନେମାର ସହଅଭିନେତା ପୁଲକିତ ସମ୍ରାଟଙ୍କ ସହ ପ୍ରେମ ସମ୍ପର୍କ ଥିବାର ଚର୍ଚ୍ଚା ହେଉଛି।