ବ୍ୟବସାୟ

ସାର ଦାମ୍ ବଢ଼ିବନି: ୨୨,୩୦୩ କୋଟିର ସବ୍‌ସିଡି ମଞ୍ଜୁର – Utkal Mail


ନୂଆଦିଲ୍ଲୀ: ଚାଷୀମାନଙ୍କ ଲାଗି ବଡ଼ ଖୁସି ଖବର। ରବି ଋତୁରେ ସାର ଦାମ୍ ବଢ଼ିବନି। ଚାଷୀମାନଙ୍କୁ ସୁଲଭ ଓ ଉଚିତ ମୂଲ୍ୟରେ ସାର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ୨୨,୩୦୩ କୋଟି ଟଙ୍କାର ସବ୍‌ସିଡି ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ୨୦୨୩-୨୪ର ରବି ଋତୁ ( ୨୦୨୩ ଅକ୍ଟୋବର ୧ରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ) ଫସ୍‌ଫେଟ୍‌ ଓ ପଟାସ ସାରର ପୋଷକ ତତ୍ତ୍ବ ଆଧାରିତ ସବ୍‌ସିଡି ହାରକୁ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଆନ୍ତର୍ଜାତିକ ବଜାରରେ ସାର ଦାମ୍‌ରେ ହେଉଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ସବ୍‌ସିଡି ଘୋଷଣା କରାଯାଇଛି।

ରବି ଋତୁରେ ନାଇଟ୍ରୋଜେନ୍‌ ଉପରେ କେଜି ପିଛା ୪୭ ଟଙ୍କା ୨ ପଇସା, ଫସ୍‌ଫେଟ୍‌‌ରେ ୨୦ ଟଙ୍କା ୮୨ ପଇସା, ପଟାସରେ ୨ ଟଙ୍କା ୩୮ ପଇସା ଏବଂ ସଲଫର ଉପରେ କେଜି ପିଛା ୧ ଟଙ୍କା ୯୮ ପଇସା ସବ୍‌ସିଡିକୁ ମଞ୍ଜୁର କରାଯାଇଛି। କେନ୍ଦ୍ର ସରକାର ସାର ନିର୍ମାତା ଓ ଆମଦାନିକାରୀଙ୍କ ଜରିଆରେ ଚାଷୀମାନଙ୍କୁ ୨୫ ଗ୍ରେଡ୍‌ର ଫସ୍‌ଫେଟ୍‌ ଓ ପଟାସ ସାର ଯୋଗାଉଛନ୍ତି। ୨୦୧୦ ଏପ୍ରିଲ୍ ୧ଠାରୁ ପୋଷକ ଭତ୍ତ୍ବଭିତ୍ତିକ ସ୍କିମ୍ ଜରିଆରେ ଫସଫରସ ଓ ପଟାସ ସାର ସବ୍‌ସିଡିର ପରିଚାଳନା କରାଯାଉଛି। ଆଜି ମଞ୍ଜୁର କରାଯାଇଥିବା ସବ୍‌ସିଡି ରାଶି ସାର କଂପାନିଗୁଡ଼ିକୁ ପ୍ରଦାନ କରାଯିବ। ଫଳରେ ସେମାନେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ପାରିବେ। ୨୦୨୩-୨୪ରେ ସାର ସବ୍‌ସିଡି ଲାଗି ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆନ୍ତର୍ଜାତିକ ବଜାରରେ ସାର ଦାମ୍‌କୁ ଦୃଷ୍ଟିରେ ରଖି ଦରକାର ପଡ଼ିଲେ ସବ୍‌ସିଡି ଦାମ୍ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ସରକାର ଚାଷୀମାନଙ୍କ ଉପରେ କୌଣସି ବୋଝ ଲଦିବେ ନାହିଁ। ସାର ଲାଗି ସରକାର ଆମଦାନି ଉପରେ ନିର୍ଭରଶୀଳ ରହିଛନ୍ତି। ରୁଷ୍-ୟୁକ୍ରେନ ଯୁଦ୍ଧ ପରେ ରାସାୟନିକ ପଦାର୍ଥ ଦାମ୍ ବୃଦ୍ଧି ପାଇବା ପରେ ସାର ମହଙ୍ଗା ହୋଇଛି। ୨୦୨୨-୨୩ରେ ସାର ସବ୍‌ସିଡି ବାବଦରେ ୨.୫୬ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ତା’ପରଠାରୁ ସାର ଦାମ୍ ନିୟନ୍ତ୍ରଣରେ ରହିଛି। ଦେଶରେ ବର୍ଷକୁ ୩୨.୫୪ ନିୟୁତ ଟନ୍ ସାର ବ୍ୟବହାର ହେଉଛି। ବାର୍ଷିକ ୧୦.୮ ପ୍ରତିଶତ ହାରରେ ଚାହିଦା ବଢ଼ୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button