ଖଲ୍ଲିକୋଟରେ ମାତିଛି ପାଗଳ କୁକୁର, ୭ରୁ ଅଧିକ ଲୋକଙ୍କୁ କଲାଣି ଲହୁ ଲୁହାଣ

ଖଲ୍ଲିକୋଟ: ମାତିଛି ପାଗଳ କୁକୁର । ଗୋଡ଼ାଇ ଗୋଡ଼ାଇ କାମୁଡି ୭ରୁ ଅଧିକ ଲୋକଙ୍କୁ କଲା ଲହୁ ଲୁହାଣ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ପାଗଳ କୁକୁର ଆତଙ୍କ । କଇରାଶି ଓ ଖୋଜାପଲ୍ଲୀ ଗାଁରେ ଆଜି ସକାଳେ ଏକ ପାଗଳ କୁକୁର ଜଣଙ୍କ ପରେ ଜଣଙ୍କୁ ଗୋଡ଼ାଇ କାମୁଡିଥିଲା । ଗୁରୁତର ୭ ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଗଳ କୁକୁର କାବୁ ହୋଇନଥିବାରୁ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।
ଅନ୍ୟପଟେ ରାଜ୍ୟରେ ବିଭିନ୍ନ ଛକସ୍ଥାନରେ ତଥା ଗଳିକନ୍ଦିରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଯାଇଛି । କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି । ପ୍ରତ୍ୟେକ ଗଳିରେ ୧୦ରୁ ୧୨ଟି କୁକୁର ରହି ବିଭିନ୍ନ ସାହିବସ୍ତିରେ ଅବାଧ ବିଚରଣ କରୁଛନ୍ତି । ଏମାନଙ୍କ ମଧ୍ୟରେ ରୋଗାକ୍ରାନ୍ତ ଓ ପାଗଳ କୁକୁରେ ମଧ୍ୟ ରହିଥିବାର ପରିଲକ୍ଷିତ ହେଉଛି । ବିଶେଷକରି ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି ।