ବ୍ୟବସାୟ

ଗହମ ଚାଷୀଙ୍କ ୪୦,୦୦୦ କୋଟି କ୍ଷତି, କ୍ବିଣ୍ଟାଲ ପିଛା ୫୪୮ ଟଙ୍କା – Utkal Mail


ନୂଆଦିଲ୍ଲୀ: ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି କେନ୍ଦ୍ର ସରକାର ବଜାରରେ ଗହମ ଉପଲବ୍ଧ କରାଇଥିବାରୁ ଚାଷୀମା‌ନେ କ୍ଷତିଗ୍ରସ୍ତ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଇଣ୍ଡିଆନ୍ କାଉନ୍‌ସିଲ୍‌ ଫର୍‌ ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟା‌ସନାଲ୍ ଇକୋନମିକ୍ ରିଲେସନ୍ସ (ଆଇସିଆର୍‌ଆଇଇଆର୍‌) ପକ୍ଷରୁ ଆକଳନ କରାଯାଇଛି ଯେ ସରକାରୀ ନୀତି ପାଇଁ ଗହମ ଚାଷୀମାନେ ୪୦ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ସରକାରଙ୍କ ଏଭଳି କଟକଣାଯୁକ୍ତ ନୀତି ରହିଲେ ଧାନ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ ବୋଲି ରିପୋର୍ଟରେ ସତର୍କ କରାଯାଇଛି। ଡାଲି ଓ ପିଆଜ ଉପରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି।

ଏଭଳି କଟକଣାଯୁକ୍ତ ନୀତିର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି। ଉତ୍ପାଦନକାରୀଙ୍କଠାରୁ ଗ୍ରାହକଙ୍କ ପାଖକୁ ସାମଗ୍ରୀ ପଠାଇବା ସମୟରେ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ରିପୋର୍ଟରେ ଆହ୍ବାନ ଦିଆଯାଇଛି। ୨୦୨୨-୨୩ରେ ୧୧୨ ନିୟୁତ ଟନ୍ ଗହମ ଉତ୍ପାଦନ ହୋଇଥିଲା। ଗହମ ଚାଷୀମାନେ କିଭଳି କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ରିପୋର୍ଟରେ ଭଲ ଭାବେ ବୁଝାଇ ଦିଆଯାଇଛି। କୁହାଯାଇଛି ଯେ ଏହି ବର୍ଷ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ କ୍ବିଣ୍ଟାଲ ପିଛା ୨୬୫୪ ଟଙ୍କା ଥିଲା। ଗହମ ସଂଗ୍ରହ ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ୨୧୨୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଦରଦାମ୍‌ ସ୍ଥିତି ମୁକାବିଲା ଲାଗି ଖୋଲା ବଜାର ସ୍କିମ୍‌ର ସରକାର ପ୍ରଥମେ କ୍ବିଣ୍ଟାଲ ପିଛା ୨୩୫୦ ଟଙ୍କାରେ ଓ ପରେ ୨୧୫୦ ଟଙ୍କାରେ ଗହମ ବିକ୍ରି କରିଛନ୍ତି। ଯଦି ବଜାର ଉପରେ ଏଭଳି ହସ୍ତକ୍ଷେପ କରାଯାଇନଥାନ୍ତା ତେବେ ଚାଷୀମାନେ ନିଜ ଗହମକୁ କ୍ବିଣ୍ଟାଲ ପିଛା ଆଉ ୫୪୮ ଟଙ୍କା ଅଧିକ ଦାମ୍‌ରେ ବିକ୍ରି କରିପାରିଥାନ୍ତେ। ଏହିଭଳି ଭାବେ ଗହମ ଚାଷୀମାନେ ୪୦ ହଜାର କୋଟି ଟଙ୍କାର କ୍ଷତି ସହିଥିବା ରିପୋର୍ଟରେ କୁହାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button