ଗୋପାଳପୁର ବନ୍ଦର କିଣିବେ ସଜ୍ଜନ ଜିନ୍ଦଲ: ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ସହ କଥାବାର୍ତ୍ତା ଚାଲିଛି – Utkal Mail
ନୂଆଦିଲ୍ଲୀ/ ଭୁବନେଶ୍ବର: ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍ଡବ୍ଲୁ ଇନ୍ଫ୍ରା ଓଡ଼ିଶାର ଗୋପାଳପୁର ବନ୍ଦରକୁ କିଣିବା ନେଇ କଥାବାର୍ତ୍ତା କରୁଛି। ବନ୍ଦରରେ ମୁମ୍ବାଇର ସାପୁରଜୀ ପାଲୋଞ୍ଜି (ଏସ୍ପି) ଗ୍ରୁପ୍ର ଥିବା ଅଂଶଧନକୁ କଂପାନି ୩୦୦୦ କୋଟି ଟଙ୍କାରେ କିଣିବା ବିଷୟରେ ବିଚାର କରୁଛି। ଗୋପାଳପୁର ବନ୍ଦରରେ ଏସ୍ପି ଗ୍ରୁପ୍ର ୫୧% ଏବଂ ଓଏସ୍ଏଲ୍ ପାଖରେ ବଳକା ଅଂଶଧନ ରହିଛି। ପାରାଦୀପ ବନ୍ଦର ଓ ଭାଇଜାଗ ବନ୍ଦର ମଧ୍ୟ ଭାଗରେ ଥିବା ଗୋପାଳପୁର ବନ୍ଦର ଭୌଗୋଳିକ ଦୃଷ୍ଟିରୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିଛି। ଓଡ଼ିଶାରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଥିବା ଜେଏସ୍ଡବ୍ଲୁ ପାଇଁ ଗୋପାଳପୁର ବନ୍ଦର ଅଧିଗ୍ରହଣ ଲାଭଦାୟକ ହେବ। ଗୋପାଳପୁର ବନ୍ଦର ହେଉଛି ଏକ ସବୁଦିନିଆ ବନ୍ଦର।
ଏସ୍ପି ଗ୍ରୁପ୍ ସହ ଚାଲିଥିବା କଥାବାର୍ତ୍ତା ଯଦି ସଫଳ ହେବ ତେବେ ଜେଏସ୍ଡବ୍ଲୁର ବନ୍ଦର କ୍ଷମତା ଆଉ ୨୫ ନିୟୁତ ଟନ୍ ବୃଦ୍ଧି ପାଇବ। ଏସ୍ପି ଗ୍ରୁପ୍ ଋଣ ବୋଝ ହାଲୁକା କରିବା ଲାଗି ଅଣ-ଗୁରୁତ୍ବପୂର୍ଣ୍ଣ କାରବାରରୁ ଓହରିବାକୁ ଉଦ୍ୟମ କରୁଛି। ଏନେଇ କଂପାନି ଋଣ ଦେଇଥିବା ସଂସ୍ଥାଗୁଡ଼ିକ ସହ ବୁଝାମଣା ମଧ୍ୟ କରିଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି।
ଗୋପାଳପୁର ବନ୍ଦର ଲାଗି ୨୦୦୬ରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍), ସାରା ଇଣ୍ଟରନ୍ୟାସନାଲ୍ ଓ ହଂକଂର ନବଲ୍ ଗ୍ରୁପ୍ ମିଳିତ ଉଦ୍ୟମ ଆରମ୍ଭ କରିଥିଲେ। ୨୦୦୮ରେ ରାଜ୍ୟ ସରକାର ସେମାନଙ୍କୁ ବନ୍ଦର ବିକାଶ କରିବା ଦାୟିତ୍ବ ଦେଇଥିଲେ। ଏହାର ଦୁଇ ବର୍ଷ ପରେ ୨୦୧୦ରେ ନବଲ୍ ଗ୍ରୁପ୍ ପ୍ରକଳ୍ପରୁ ଓହରିଯାଇଥିଲା। ତଥାପି ୨୦୧୩ରେ ଏହି ବନ୍ଦର ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ୨୦୧୬ ନଭେମ୍ବରରେ ବନ୍ଦରର ୫୧ ପ୍ରତିଶତ ଅଂଶଧନକୁ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ କିଣିଥିଲା। ଏହା ସାରା ଇଣ୍ଟରନ୍ୟାସନାଲ୍ ପାଖରେ ଥିବା ଅଂଶଧନକୁ କିଣିଥିଲା। ୨୦୧୧ରେ ସଜ୍ଜନଙ୍କ ସାନ ଭାଇ ନବୀନ ଜିନ୍ଦଲଙ୍କ କଂପାନି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଗୋପାଳପୁର ବନ୍ଦରକୁ କିଣିବା ଲାଗି ଉଦ୍ୟମ କରିଥିଲା। କିନ୍ତୁ ସେହି ଉଦ୍ୟମ ସଫଳ ହୋଇନଥିଲା।
ସଜ୍ଜନଙ୍କ ଇସ୍ପାତ କଂପାନି ଜେଏସ୍ଡବ୍ଲୁ ଷ୍ଟିଲ୍ ଜଗତସିଂପୁର ଜିଲ୍ଲାରେ ୬୫ ହଜାର କୋଟି ଟଙ୍କା ନିବେଶ କରି ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ଏହି କାରଖାନା ସ୍ଥାପନ କରିବା ଲାଗି ସହାୟକ ସଂସ୍ଥା ଜେଏସ୍ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସ୍ଥାପନ କରାଯାଇଛି। ଦକ୍ଷିଣ କୋରିଆର କଂପାନି ପୋସ୍କୋ ଯେଉଁ ସ୍ଥାନରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ କାରଖାନା ବସାଇବାକୁ ଚାହୁଥିଲା ଜେଏସ୍ଡବ୍ଲୁ ଷ୍ଟିଲ୍ ସେଠାରେ ନିଜର ଇସ୍ପାତ କାରଖାନା ବସାଇବାକୁ ଯୋଜନା ରଖିଛି।