ଓଡିଶା

ପାଳିତ ହେଲା ‘ବିଶ୍ବ କୁଷ୍ଠ ଦିବସ’: ପ୍ରତି ରୋଗୀ ପରିବାରକୁ ଦିଆଯିବ ଟିକା

ଭୁବନେଶ୍ବର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍ଓ), ସାସାକାୱା ଲେପ୍ରୋସି ଓ ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ସହଭାଗିତାରେ ‘ବିଶ୍ବ କୁଷ୍ଠ ଦିବସ’ ପାଳିତ ହୋଇଛି। ହୋଟେ‌ଲ ଭିଭାନ୍ତା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଓଡ଼ିଶାରେ କୁଷ୍ଠ ନିରାକରଣ ପାଇଁ ସାସାକାୱା ହେଲ୍‌ଥ ଫାଉଣ୍ଡେସନ୍‌ ସହିତ ମିଳିତ ଭାବେ କାମ କରିବୁ ବୋଲି କହିଥିଲେ। ଗତ ୨୦୧୯-୨୦ ବର୍ଷରେ ରାଜ୍ୟରେ ୧୦୦୭୭ କୁଷ୍ଠରୋଗୀ ଥିବା ‌ବେଳେ ୨୦୨୪-୨୫ ଏହାର ସଂଖ୍ୟା‌ ୬୧୯୪କୁ ଖସିଆସିଛି। ଅର୍ଥାତ୍‌ ଗତ କିଛି ବର୍ଷରେ ୪୦ ପ୍ରତିଶତ କମିଛି। ୨୦୩୦ ସୁଦ୍ଧା କୁଷ୍ଠ ରୋଗ ଦୂର କରିବା ପାଇଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ପ୍ରତି ରୋଗୀର ପରିବା‌ରକୁ ଟିକା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ଆରମ୍ଭ ହେଲା ୨୦୨୫ ପାଇଁ ଗ୍ଲୋବାଲ୍ ଆବେଦନ

ସମ୍ମାନିତ ଅତିଥିଭାବେ ଡବ୍‌ଲ୍ୟୁଏଚ୍ଓର ସଦ୍‌ଭାବନା ଦୂତ ୟୋହି ସାସାକାୱା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ ଥିବା‌ ୯୯ କୁଷ୍ଠ କଲୋନିରୁ ଗୋଟିଏ ବି ଯେଉଁଭଳି ନରହିବ ସେ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟତମ ଅତିଥି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଭାରତ ଓ ଓଡ଼ିଶା ଉଭୟ ଏହି ରୋଗକୁ ଦୂର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ‌ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭା‌ଗ (କୁଷ୍ଠ)ର ଅତିରିକ୍ତ ନିର୍ଦ୍ଦେଶକ କ୍ଷେତ୍ରମୋହନ କଣ୍ଡ, କୁଷ୍ଠ ରୋଗରୁ ମୁକ୍ତ ହୋଇଥିବା ମହାରାଷ୍ଟ୍ରର ମାୟା ରାଣାଭାରେ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ କୁ‌ଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି କଳଙ୍କ ଓ ଭେଦଭାବର ଅନ୍ତ ପାଇଁ ଗ୍ଲୋବାଲ୍ ଆବେଦନ-୨୦୨୫ ଭୁବନେଶ୍ୱରରୁ ଆରମ୍ଭ ହୋଇଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button