ବିନା ମୋବାଇଲ ନମ୍ବରରେ କରିପାରିବେ ଭିଡିଓ, ଅଡିଓ କଲିଂ, ‘ଏକ୍ସ’ ଆରମ୍ଭ କରିବ ନୂଆ ସୁବିଧା – Utkal Mail
ନୂଆଦିଲ୍ଲୀ: ଆମେରିକୀୟ ଶିଳ୍ପପତି ଏଲନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟୁଇଟର)ର ମାଲିକାନା ହାସଲ କରିବା ପରେ ସେଥିରେ ଅନେକ ପରିବର୍ତ୍ତନ କରିଛନ୍ତି। ଏବେ ମସ୍କ ‘ଏକ୍ସ’ ୟୁଜର୍ସଙ୍କ ପାଇଁ ଆଉ ଏକ ବଡ ଘୋଷଣା କରିଛନ୍ତି ।
ମସ୍କ ଗୁରୁବାର କହିଛନ୍ତି ଯେ ଏକ୍ସ ଖୁବ୍ ଶୀଘ୍ର ଅଡିଓ ଓ ଭିଡିଓ କଲ୍ ସୁବିଧା ଆରମ୍ଭ କରିବ। ଖାସ୍ କଥା ହେଉଛି ଭିଡିଓ କିମ୍ବା ଅଡିଓ କଲ୍ ପାଇଁ ମୋବାଇଲ ନମ୍ବରର ଆବଶ୍ୟକତା ପଡ଼ିବ ନାହିଁ। ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଅଡିଓ ଏବଂ ଭିଡିଓ କଲ୍ ସୁବିଧା କାର୍ଯ୍ୟ କରିବ ବୋଲି ମସ୍କ୍ କହିଛନ୍ତି।
ତେବେ କେବେ ଏହି ସୁବିଧା ଆରମ୍ଭ ହେବ ସେ ସମ୍ପର୍କରେ ଏଲନ୍ ମସ୍କ କୌଣସି ସୂଚନା ଦେଇନାହାନ୍ତି । ତେବେ ଏହି ସୁବିଧା ଆସନ୍ତା ସେପ୍ଟେମ୍ବର ମାସରେ ହିଁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କୁ ଡାଇରେକ୍ଟ ମେସେଜ ସେକ୍ସନରୁ ଅଡିଓ କିମ୍ବା ଭିଡିଓ କଲ କରିବାର ବିକଳ୍ପ ମିଳିବ । ତେବେ ଏହି ଫିଚର କାହା ପାଇଁ ଓ କାହା ପାଇଁ ହେବ ନାହିଁ ତାହା ଜଣାପଡିନାହିଁ । ପୁଣି ଏଥିପାଇଁ ଦେୟ ଦେବାକୁ ପଡ଼ିବ କି ନା ତାହା ଜଣାପଡ଼ିନାହିଁ ।
ଏକ୍ସକୁ ଏକ ସୁପର ଆପରେ ପରିଣତ କରାଯିବା ବୋଲି ମସ୍କ ପୂର୍ବରୁ କହିସାରିଛନ୍ତି । ଏବେ ଭିଡିଓ ଓ ଅଡିଓ କଲିଂ ସୁବିଧା ଆସିବା ପରେ ତାହା ହ୍ବାଟ୍ସଆପର ବ୍ୟବସାୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।