କ୍ରୀଡା

ଆସନ୍ତାକାଲି ଏସିଆ କପ୍‌ର ୫୦ତମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ ଭାରତ – Utkal Mail


କଲମ୍ବୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ରୋମାଞ୍ଚଭରା ମ୍ୟାଚ୍‌ ହେବାକୁ ଯାଉଛି। ଏସିଆ କପ୍‌ରେ ଶନିବାର ପୁଣି ଥରେ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ହୋଇଥିବା ଏହି ପ୍ରତିଯୋଗିତାରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ହେଉଥିବା ପ୍ରତ୍ୟେକ ମ୍ୟାଚ୍‌ରେ ଏକାଧିକ କୀର୍ତ୍ତିମାନ ରହିଛି। ଚଳିତ ଏସିଆ କପ୍‌ରେ ଭାରତ ସର୍ବାଧିକ ଥର ବିଜେତା ଭାବେ ଖେଳିବାକୁ ଆସିଥିଲା ବେଳେ ପାକିସ୍ତାନ ଗତ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ପାଇଥିବା ବିଜୟ ପରି ଏଠାରେ ମଧ୍ୟ ଭାରତ ବିପକ୍ଷରେ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି।

୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏସିଆ କପ୍‌ରେ ବର୍ତ୍ତମାନ ସୁଦ୍ଧା ଭାରତ ଦିନିକିଆ ଫର୍ମାଟ୍‌ରେ ୬ ଥର ଏବଂ ଟ୍ବେଣ୍ଟି-୨୦ରେ ଥରେ ବିଜେତା ହୋଇଛି। ପାକିସ୍ତାନ ଦୁଇ ଥର ଦିନିକିଆ ବିଜେତା ହୋଇଛି। ମୋଟାମୋଟି ଭାବେ ଏସିଆ କପ୍‌ରେ ଭାରତ ୪୯ ଦିନିକିଆ ଖେଳିସାରିଛି। ପାକିସ୍ତାନ ବିପକ୍ଷରେ ଶନିବାର ହେବାକୁ ଥିବା ମ୍ୟାଚ୍‌ରେ ଭାରତ ଅର୍ଦ୍ଧଶତକ ପୂରଣ କରିବ। ସେଥିମଧ୍ୟରୁ ୩୧ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଭାରତ ଆଗକୁ ଶ୍ରୀଲଙ୍କା ଏକମାତ୍ର ଦଳ ଭାବେ ୩୪ ଦିନିକିଆ ବିଜୟ ପାଇଛି। ଦିନିକିଆ ଫର୍ମାଟ୍‌ରେ ଏସିଆ କପ୍‌ରେ ୧୩ଟି ସଂସ୍କରଣ ଆୟୋଜିତ ହୋଇଛି। ସେଥି ମଧ୍ୟରୁ ଭାରତ ୧୨ଟିରେ ଖେଳିଛି। କେବଳ ୧୯୮୬ ଏସିଆ କପ୍‌ରେ ଭାରତ ଅଂଶଗ୍ରହଣ କରିପାରିନଥିଲା। ଭାରତ ପ୍ରଥମ ଥର ଉଦ୍‌ଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା। ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦ ଓ ୨୦୧୮ରେ ଭାରତ ଟ୍ରଫି ଟେକିଥିଲା। କିନ୍ତୁ ପାକିସ୍ତାନକୁ ପ୍ରଥମ ବିଜେତା ହେବା ପାଇଁ ୨୦୦୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ପୁଣି ଦ୍ବିତୀୟ ଟ୍ରଫି ପାଇଁ ଆହୁରି ୧୨ ବର୍ଷ ଲାଗିଯାଇଥିଲା।

ଦିନିକିଆରେ ଭାରତ-ପାକିସ୍ତାନ

ଆନ୍ତର୍ଜାତିକ କ୍ରିକେଟ୍‌ରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ଭିତରୁ ପାକିସ୍ତାନ ଭଲ ସ୍ଥିତିରେ ରହିଛି। ୧୩୨ ଥର ଉଭୟ ସାମ୍ନାସାମ୍ନି ହୋଇଛନ୍ତି, ସେଥିମଧ୍ୟରୁ ପାକିସ୍ତାନ ୭୩-୫୩ରେ ଆଗୁଆ ରହିଛି। କିନ୍ତୁ ଗତ ତିନି ମୁକାବିଲାରେ ଭାରତ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛି। ଏସିଆ କପ୍‌ର ଦିନିକିଆ ଫର୍ମାଟ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୩ ଥର ଭେଟ‌ାଭେଟି ହୋଇଛନ୍ତି।‌ ସେଥିରୁ ଭାରତ ୭ ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ୫ ଥର ବିଜୟ ସ୍ବାଦ ଚାଖିଛି। କେବଳ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ଯାଇଥିଲା। ଶେଷଥର ପାଇଁ ଦିନିକଆ ଏସିଆ କପ୍‌ରେ ଦୁହିଁଙ୍କ ମଧ୍ୟରେ ଦୁବାଇ (୨୦୧୮)ରେ ମୁକାବିଲା ହୋଇଥିଲା ବେଳେ ଭାରତ ସୁପର ୪ ପର୍ଯ୍ୟାୟରେ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button