ନକଲି ମେଡିସିନ ଘଟଣା ଦୁଇ ଏଜେନ୍ସିର ସଦସ୍ୟ ପଦ ରଦ୍ଦ
କଟକ,12/09: ନକଲି ମେଡିସିନ ଘଟଣାରେ କଟକ ପୁରୀଘାଟ ଥାନାରେ ଏତଲା ପରେ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ କଡା ପଦପକ୍ଷେ ଗ୍ରହଣ କରିଛି । ନକଲି ମେଡିସିନ ବିକିବା ଅଭିଯୋଗରେ ଦୁଇ ଡିଷ୍ଟ୍ରିବ୍ୟୁଟର ଭିଆର୍ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ର ସଦ୍ୟ ପଦ ରଦ୍ଦ କରିଦିଆଯାଇଛି । ଏଥିସହିତ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଦୁଇ ନକଲି ମେଡିସିନ ଆଣି ବଜାରକୁ ଛାଡୁଥିବା ନେଇ ପ୍ରମାଣ ପାଇବା ପରେ ଗତକାଲି କଟକ ଡ୍ରଗ୍ସ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ତା ସହିତ କଟକ ଏସଡିଜେଏମ୍ଙ୍କ ଅଦାଲତରେ ମଧ୍ୟ ଏକ ମାମଲା ଦାୟର କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ଦୁଇ ଡିଷ୍ଟ୍ରିବ୍ୟୁଟର ବେଙ୍ଗାଲୁରୁ ଓ ଗୟାରୁ ନକଲି ଟେଲମା-୪୦ ଔଷଧ ଆଣିଥିଲେ । ସେମାନେ ଏହାକୁ ଶହେରୁ ଅଧିକ ଔଷଧ ଦୋକାନକୁ ବିକ୍ରି ନିମନ୍ତେ ସପ୍ଲାଇ କରିଥିଲେ । ଏହି ଔଷଧକୁ ହୃଦରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀ ବ୍ୟବହାର କରୁଥିବା ବେଳେ ଏହାର ପ୍ରଭାବ ନ ପଡିବାରୁ ବଜାରରେ ନକଲି ଔଷଧ ମିଳୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ଜୋରଦାର ଚଢଉ ହୋଇଥିଲା । କଟକ ଓ ଭୁବନେଶ୍ୱରର ଅନେକ ଔଷଧ ଦୋକାନରେ ଚଢଉ କରାଯାଇ ନକଲି ମେଡିସିନା ଜବତ କରାଯିବା ସହ ସେଗୁଡିକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା ।