ମନୋରଞ୍ଜନ

ଭିନ୍ନକ୍ଷମ ପଦ୍ମନାଭଙ୍କ ଲମ୍ବା ଯାତ୍ରା: ବ୍ରହ୍ମପୁରରୁ କପିଲ ଶର୍ମା ସୋ’

ବ୍ରହ୍ମପୁର: ଦୃଢ଼ ମନୋବଳ ଥିଲେ ଭିନ୍ନକ୍ଷମତା ବାଧକ ସାଜିପାରେ ନାହିଁ। ମନରେ ଇଚ୍ଛା ଶକ୍ତି ପ୍ରବଳ ଥିଲେ ସ୍ୱପ୍ନ ପୂରଣ ହେବାରେ ବିଶେଷ ସମସ୍ୟା ହୁଏନି। ବ୍ରହ୍ମପୁର କୁଠାରୀ ମନ୍ଦିର ସାହିର ପଦ୍ମନାଭ ସାହୁ (ମାନବ)ଙ୍କ କ୍ଷେତ୍ରରେ ଏହା ସତ୍ୟତା ପ୍ରମାଣିତ ହୋଇଛି। ଦୁଇ ଗୋଡ଼ ପୋଲିଓ ଆକ୍ରାନ୍ତ ହୋଇ ଚଳନ ଶକ୍ତି ହରାଇଥିବା ସତ୍ତ୍ୱେ ନିଜର ଦକ୍ଷତା ପ୍ରମାଣିତ କରି ରେଶମ ସହର ବ୍ରହ୍ମପୁରରୁ ସ୍ବପ୍ନର ମହାନଗର ମୁମ୍ବାଇ ପର୍ଯ୍ୟନ୍ତ ସଫଳ ଯାତ୍ରା ଅତିକ୍ରମ କରିଛନ୍ତି ସେ। ପୂର୍ବରୁ ଜାତୀୟସ୍ତରର ଅନେକ ରିଅଲିଟି ସୋ’ ଏବଂ ଡ୍ୟାନ୍ସ ସୋ’ରେ ପ୍ରଶଂସା ସାଉଁଟିଥିବା ପଦ୍ମନାଭ ନିକଟରେ ସୋନି ଚ୍ୟାନେଲ ପ୍ରସାରିତ କପିଲ ଶର୍ମା ସୋ’ରେ ନୃତ୍ୟ ପରିବେଷଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ପ୍ରାୟ ୧୫ ବର୍ଷ ତଳର କଥା ଯେତେବେଳେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ରେ ଜଣେ ସଦସ୍ୟ ହୋଇପାରିଥିଲେ ପଦ୍ମନାଭ ସାହୁ। ଗ୍ରୁପ୍ ମୁଖ୍ୟ ଟି. କ୍ରିଷ୍ଣା ମୋହନ ରେଡ୍ଡୀ ଥିଲେ ତାଙ୍କ ପିଲାଦିନର ସାଙ୍ଗ। ଭିନ୍ନକ୍ଷମ ହୋଇ ମଧ୍ୟ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍ କରିପାରୁଥିଲେ ପଦ୍ମନାଭ। ଗ୍ରୁପ୍‌ରେ ସାମିଲ ହେବା ପରେ ନୃତ୍ୟଗୁରୁ ଟି. ହରିନାଥ ରେଡ୍ଡୀଙ୍କ ଠାରୁ ବିଭିନ୍ନ ପ୍ରକାରର ନୃତ୍ୟ ଶିକ୍ଷା କରିଥିଲେ। ସୋନି ଚ୍ୟାନେଲର ରିଅଲିଟି ସୋ’ ବୁଗିବୁଗି, ଇଟିଭି ତେଲୁଗୁ ଚ୍ୟାନେଲର ରିଅଲିଟି ସୋ’ ‘ଢି’ରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ ପଦ୍ମନାଭ ଓ ତାଙ୍କ ଗ୍ରୁପ୍। ୨୦୦୯ ମସିହାରେ ଆସିଥିଲା ସେହି ସ୍ଵର୍ଣ୍ଣିମ ମୁହୂର୍ତ୍ତ ଯେତେବେଳେ କଲର୍ସ ଚ୍ୟାନେଲରେ ପରିବେଷିତ ହେଉଥିବା ରିୟଲିଟି ସୋ ‘ଇଣ୍ଡିଆଜ୍ ଗଟ୍‌ ଟାଲେଣ୍ଟ’ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସର୍ବଶ୍ରେଷ୍ଠ ବିଜେତା ସାଜିଥିଲା। ଅନ୍ୟ କଳାକାରମାନଙ୍କ ନୃତ୍ୟ କୌଶଳକୁ ତାଳ ଦେଇ ଦର୍ଶକଙ୍କ ବାଃ ବାଃ ସାଉଁଟିଥିଲେ ପଦ୍ମନାଭ। ତେବେ ଜାତୀୟସ୍ତରରେ ସଫଳତା ସତ୍ତ୍ବେ ପଦ୍ମନାଭଙ୍କ ଆର୍ଥିକ ସ୍ଥିତି ତାଙ୍କ ଜୀବନରେ ବାଧକ ସାଜିଥିଲା। ପରିବାର ପ୍ରତିପୋଷଣ ସକାଶେ ଗୁଜରାଟ ରାଜ୍ୟ ଅହମ୍ମଦାବାଦ ଯାଇ ସୂତାକଳ, କଲ୍ ସେଣ୍ଟରରେ କିଛି ସମୟ କାର୍ଯ୍ୟ କରିଥିଲେ। ହେଲେ ନୃତ୍ୟ ପ୍ରତି ତାଙ୍କର ମୋହ ତାଙ୍କୁ ଏଭଳି କୌଣସି ସ୍ଥାନରେ ସନ୍ତୁଷ୍ଟି ଆଣି ଦେଇପାରି ନଥିଲା। ଏଣୁ ୨୦୧୫ ମସିହାରୁ ଅହମ୍ମଦାବାଦରେ ନିଜ ସାମର୍ଥ୍ୟ ମୁତାବକ ଏକ ଛୋଟ ଭଡ଼ା ଘରେ ଆରମ୍ଭ କରିଥିଲେ ମାନବ ଡ୍ୟାନ୍ସ ଏକାଡେମୀ। ବର୍ତ୍ତମାନ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ତାଙ୍କ ପ୍ରଶିକ୍ଷାର୍ଥୀ ସାଜି ପାରିଛନ୍ତି। ଏଥିସହ ନିଜ ଭଳି ୧୨ ଜଣ ଭିନ୍ନକ୍ଷମଙ୍କୁ ନେଇ ଆରମ୍ଭ କରିଛନ୍ତି ଏକ ନୃତ୍ୟ ଦଳ। ନିକଟରେ ଏହି ଦଳ କପିଲ ଶର୍ମାଙ୍କ ପ୍ରସିଦ୍ଧ କମେଡି ସୋ’ରେ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଥିଲା। କେବଳ ଏତିକି ନୁହେଁ ବଲିଉଡ୍ ଭେଟେରାନ୍ ଷ୍ଟାର୍ କାଜଲଙ୍କ ଆଗାମୀ ଚଳଚ୍ଚିତ୍ର ଯାହା ଭିନ୍ନକ୍ଷମଙ୍କ ଉପରେ ଆଧାରିତ ତାହାର ପ୍ରଚାର ପ୍ରସାର ସକାଶେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଇଥିଲେ ପଦ୍ମନାଭ। ବଲିଉଡ୍‌ରେ ସୁଯୋଗ ମିଳିଲେ କାମ କରିବାକୁ ଇଚ୍ଛୁକ ପଦ୍ମନାଭ।

ମୂଳତଃ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ର ପାଟଣା ଗ୍ରାମନିବାସୀ ପଦ୍ମନାଭ ଥିଲେ ବାପା ମାଆ, ତିନି ଭାଇ ଏବଂ ତିନି ଭଉଣୀଙ୍କୁ ନେଇ ଗଠିତ ପରିବାରର ସବୁଠାରୁ ଛୋଟ ସଦସ୍ୟ। ଆର୍ଥିକ ଅନାଟନ ଯୋଗୁଁ ପିଲାବେଳୁ ସେ ୨ ବର୍ଷ ବୟସରୁ ହିଁ ପୋଲିଓର ଶିକାର ହୋଇ ଉଭୟ ଗୋଡ଼ର ଚଳତ୍ ଶକ୍ତି ହରାଇଥିଲେ। ବାପାଙ୍କ ସ୍ଵ ରୋଜଗାରରେ ପାଠପଢ଼ା କାଠିକର ଥିବାରୁ ମାତ୍ର ୧୨ ବର୍ଷ ବୟସରେ ବ୍ରହ୍ମପୁର ଚାଲି ଆସି ବିଭିନ୍ନ ପ୍ରକାରର ଛୋଟମୋଟ ବ୍ୟବସାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଫିଜିକାଲ୍ ଜିମ୍ନାସିୟମ୍‌ରେ ଯୋଗଦେଇ ଜିଲ୍ଲା ଓ ରାଜ୍ୟ ତଥା ଜାତୀୟସ୍ତରୀୟ ବଡିବିଲଡିଂ ଚାମ୍ପିଅନ୍ସିପ୍‌ରେ ପୁରସ୍କାର ଓ ପ୍ରଶଂସା ହାସଲ କରିଥିଲେ। ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟସ୍ତରର ବଡିବିଲଡିଂ ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆର୍ଥିକ ପୁରସ୍କାର ଗ୍ରହଣ କରିବା ଥିଲା ତାଙ୍କ କ୍ୟାରିୟରର ଏଯାବତ ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button