ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ ପାଳିତ
ଭଦ୍ରକ,୧୨ା୯: ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ, ଭଜନ ସମାରୋହ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଞ୍ଚ ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁକ୍ରମେ ପାଳିତ ହୋଇ ଆସୁଅଛି । ସାଳନ୍ଦୀ ନଦୀରେ କଳସ ବୁଡା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରୀଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ଦୃଶ୍ୟ ଚିତ୍ତାକର୍ଷକ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମେଳାରେ ମନୋହରୀ ଦୋକାନ, ଆକର୍ଷଣୀୟ ଆଲୋକସଜ୍ଜା, ସୁଉଚ୍ଚ ତୋରଣ ଆଧ୍ୟାତ୍ମିକ ପରିବେଶକୁ ଭାବ ଗମ୍ଭୀର କରିଥିଲା । ପୂଜାରେ ପଣ୍ଡିତ ସହଦେବ ପଣ୍ଡା, ପଣ୍ଡିତ ଗୋବର୍ଦ୍ଧନ ଦାଶ ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ରତଧାରୀ ମହିଳାମାନେ ଉପବାସ କରି ମନ୍ଦିରରେ ନାଗ ଓ ବ୍ରତପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ଶହଶହ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ମନ୍ଦିର ପ୍ରତିଷ୍ଠାତା ରାଜ୍ୟଗୋପବନ୍ଧୁ ପୁରସ୍କାରପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ୰ ହରିପ୍ରିୟା ନାୟକ ମୁଖ୍ୟ ସେବିକା ଭାବେ ଦୀର୍ଘ ବର୍ଷ ଧରି ପ୍ର୍ରଭୁଙ୍କୁ ପୂଜା କରି ଆସୁଥିଲେ । ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କର ମନକାମନା ପୂର୍ଣ୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ଶହେବର୍ଷରୁ ଉର୍ଦ୍ଧ୍ୱ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ତିହିଡ଼ି ଥାନା ପାଳିଆ ଗ୍ରାମର ମୂର୍ତ୍ତି କାରିଗର ବାବାଜୀ ପୃଷ୍ଟି ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ ନିର୍ମାଣ କରି ପବିତ୍ର ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହୋଇ ଅଦ୍ୟାବଧି ଭକ୍ତି ନିଷ୍ଠାର ସହ ନରିପୁର ଅସ୍ତଳ ଗ୍ରାମରେ ଆଡମ୍ବର ସହକାରେ ଅଦ୍ୟାବଧି ପାଳିତ ହୋଇ ଆସୁଅଛି । ସନ୍ଧ୍ୟାରେ ପୂଜା ମଣ୍ଡପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭଜନ ମଣ୍ଡଳୀମାନେ ଯୋଗ ଦେଇଥିଲେ । ଏଥିରେ ଭୁବନେଶ୍ୱରର ତୁଳସୀ ଭଜନ ଟ୍ରୁପ୍ର ବିଶିଷ୍ଟ ସଂଗୀତଜ୍ଞ ଆଶା ମୁକଲ ବାରିକଙ୍କ ଟ୍ରୁପ୍ର ଗାୟକ କୃଷ୍ଣଚନ୍ଦ୍ର ମଲ୍ଳିକ, ଗୋପାଳକୃଷ୍ଣ ସାହୁ, ନମ୍ରତା ରାଉତ, ସୁଶ୍ରୀ ସଂଗୀତା ଦେଓ, ପଣ୍ଡିତ ଜ୍ୟୋତିପ୍ରକାଶ ମିଶ୍ର, ରତିକାନ୍ତ ତ୍ରିପାଠୀ, ସଞ୍ଜିବ ବାରିକ, ଅନିଲ ଜେନା ଏବଂ ବିଶିଷ୍ଟ ସଂଗୀତଜ୍ଞ ରାମନାରାୟଣ ମହାନ୍ତି, ଅନ୍ଧ ଗାୟକ ଅଜୟ କୁମାର ଦାସ ଉଚ୍ଚକୋଟୀର ଭଜନ ପରିବେଷଣ କରି ପୁରସ୍କୃତ ହୋଇଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା କୁଆପଦା ଗ୍ରାମର ମା’ ବାଲ୍ୟ ମଙ୍ଗଳା ଟ୍ରୁପ୍ର ସୁନାମଧନ୍ୟ ଗାୟକ ସୁବାସ ମଣ୍ଡଳ,ଦିପ୍ତୀମୟୀ ମଣ୍ଡଳ, ଦୀନବନ୍ଧୁ ବିନ୍ଧଣୀ, ଅକ୍ଷୟ ଜେନା, କରୁଣାକର ଜେନା, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଭଜନ ପରିବେଷଣ କରି ପୁରସ୍କାର ଲାଭ କରିଥିଲେ । ସଂଗୀତ ମୂର୍ଚ୍ଛନାର ତାଳେ ତାଳେ ଦର୍ଶକ ଉପଭୋଗ କରି ବିଭୋର ହେବା ସହ ଶ୍ରୋତାଙ୍କୁ ମନମୁଗ୍ଧ କରିଥିଲା ।