ଆଇଆଇଟି-ଦିଲ୍ଲୀ ହଷ୍ଟେଲ୍ରେ ଫାଶୀ ଲଗାଇ ଜୀବନ ହାରିଲେ ୨୧ ବର୍ଷିୟ ଛାତ୍ର – Utkal Mail
ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟା ବେଳେ ‘ଆଇଆଇଟି’-ଦିଲ୍ଲୀର ହଷ୍ଟେଲ୍ ରୁମ୍ରେ ଜଣେ ୨୧ ବର୍ଷିୟ ଛାତ୍ର ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ମୃତ ଛାତ୍ର ହେଉଛନ୍ତି ‘ଆଇଆଇଟି-ଦିଲ୍ଲୀ’ର ‘ବିନ୍ଧ୍ୟାଚଳ ହଷ୍ଟେଲ୍’ରେ ରହୁଥିବା ଅନୀଲ କୁମାର। ସେ ୨୦୧୯-୨୦୨୩ ପାଠ୍ୟକ୍ରମରେ ‘ମ୍ୟାଥ୍ମେଟିକ୍ସ୍ ଆଣ୍ଡ୍ କମ୍ପ୍ୟୁଟିଙ୍ଗ୍’ରେ ‘ବି. ଟେକ୍’ କରୁଥିଲେ।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଷନଗଡ଼ ଥାନା ପୁଲିସ ଫୋନ୍ କଲ୍ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ହଷ୍ଟେଲ୍ ରୁମ୍ର କବାଟ ଭିତରପଟୁ ବନ୍ଦ ଥିବାରୁ ତାହାକୁ ଭଙ୍ଗାଯିବା ପରେ ଦେଖଗଲା ଅନୀଲ ଫାଶୀ ଲଗାଇ ଜୀବନ ହାରିଛନ୍ତି। କବାଟ ଭଙ୍ଗାଯିବା ବେଳେ ସେଠାରେ ଶିକ୍ଷାର୍ଥୀମାନଙ୍କର ‘ଡିନ୍’/ଓିଏମ୍ଓ ‘ଆଇଆଇଟ’, କ୍ରାଇମ୍ ଆଣ୍ଡ୍ ଫୋରେନ୍ସିକ୍ ଟିମ୍ ଉପସ୍ଥିତିରେ ଦମକଳ ବାହିନୀ କବାଟ ଭାଙ୍ଗିଥିଲା।

ପୁଲିସ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କଲେ। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅନୀଲ ଜୁନ୍ ମାସରେ ହଷ୍ଟେଲ୍ ଛାଡ଼ିବା କଥା, କିନ୍ତୁ କେତେକ ବିଷୟରେ ସେ ପାସ୍ କରି ନ ଥିବାରୁ ତାଙ୍କୁ ‘ଏକ୍ସଟେନ୍ସନ୍’ରେ ରଖାଯାଇଥିଲା। ତେଣୁ, ଗତ ୬ ମାସ ହେବ ସେ ହଷ୍ଟେଲ୍ରେ ରହୁଥିଲେ।
ପୁଲିସ ଘଟଣାସ୍ଥଳରୁ କୌଣସି ସୁସାଇଡ୍ ନୋଟ୍ ପାଇ ନ ଥିଲେ ବି ପାଠଜନିତ ଚାପ ଏହି ଚରମ ନିଷ୍ପତ୍ତିର କାରଣ ବୋଲି ସନ୍ଦେହ କରାଯାଉଛି। ତାଙ୍କର ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



