ଦେଶ ବିଦେଶ

ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ସି. ଇ. ଏ.ଆଇର ଦାବି

ନୂଆଦିଲ୍ଲୀ, ତା ୧୩.୦୯.୨୦୨୨ ରିଖ ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା ଅଭିପ୍ରାୟରେ ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ କନସଲଟିଂ ଇଞ୍ଜିନିୟରସ ଆସୋସିଏସନ୍ ଅଫ ଇଣ୍ଡିଆ (ସି. ଇ. ଏ. ଆଇ) ଦାବି ଉପସ୍ଥାପନ କରିଛି। ଭାରତୀୟ ପେଶାଦାର ଯନ୍ତ୍ରୀ ମାନଙ୍କର ଅସାଧାରଣ ଯୋଗ୍ୟତା ଏବଂ କୁଶଳୀ ଦକ୍ଷତାକୁ ଉଚିତ ପ୍ରାଧାନ୍ୟ ଦିଆଯାଇ ଆନ୍ତର୍ଜାତିକସ୍ତରରେ ସେମାନଙ୍କ ପାଇଁ ନିଷ୍ପକ୍ଷ ପ୍ରତିଯୋଗିତା ଏବଂ ସମାନ ସୁଯୋଗ ଉପଲବ୍ଧ କରାଇବାକୁ ସି. ଇ. ଏ. ଆଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଭାରତ ସରକାରଙ୍କର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ସର୍ଭିସ୍ ଏକ୍ସପୋର୍ଟ ପ୍ରମୋସନ୍ କାଉନସିଲ (ଏସ. ଇ. ପି. ସି) ଏବଂ କାଉନସିଲ ଅଫ ଆର୍କିଟେକ୍ଚରର ସହଯୋଗରେ ନିକଟରେ ନୂଆଦିଲ୍ଲୀଠାରେ  ସି. ଇ. ଏ. ଆଇ ଦ୍ଵାରା ଆୟୋଜିତ ଗ୍ଲୋବାଲ ବିଜିନେସ କନକ୍ଲେଭ୍ ରେ ସାରା ଦୁନିଆରେ ନିଜର ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ ପୂର୍ବକ ବିଶ୍ଵ ସ୍ତରୀୟ ପ୍ରକଳ୍ପ ମାନ ପ୍ରସ୍ତୁତ କରି ସୁନାମ ଅର୍ଜନ କରୁଥିବା ଭାରତୀୟ ପେଶାଦାରୀ ଯନ୍ତ୍ରୀ ମାନଙ୍କର ମହାନତା ଓ ମହତ୍ତ୍ଵ ହିଁ ପ୍ରଧାନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ସମ୍ମିଳନୀରେ ନିର୍ମାଣ ଓ ଡିଜାଇନ୍ କନସଲଟାନ୍ସି ତଥା ଯାନ୍ତ୍ରିକ, ସ୍ଥାପତ୍ୟ ଏବଂ ପରିବେଶ ସେବା ଦିଗରେ କାର୍ଯ୍ୟରତ ଭାରତୀୟ କମ୍ପାନୀ ଗୁଡ଼ିକର ରପ୍ତାନିର ମାତ୍ରାକୁ ବୃଦ୍ଧି କରାଯିବା ଦିଗରେ ଏକ “ଆକ୍ସନ ପ୍ଲାନ୍” ପ୍ରସ୍ତୁତ କରିବା ପାଇଁ ବ୍ୟାପକ ଭାବେ ବିଚାରବିମର୍ଷ କରାଯାଇଥିଲା। ବିଶେଷକରି ବିଶ୍ଵର ତିନି ପ୍ରତିଶତ ଜିଡିପିକୁ ଅକ୍ତିଆର କରିଥିଲେ ମଧ୍ୟ ଏବେବି ଲୋକ ଲୋଚନର ଆଢୁଆଳରେ ରହିଥିବା ନିର୍ମାଣ କ୍ଷେତ୍ର ଉପରେ ଯଥେଷ୍ଟ ଗୁରୁତ୍ବ ଆରୋପ କରାଯାଇଥିଲା।

ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଆୟୋଜକ ଓ ସି. ଇ. ଏ. ଆଇ ର ସଭାପତି ଡକ୍ଟର ଅଜୟ ପ୍ରଧାନ, ଭାରତୀୟ ଯନ୍ତ୍ରୀ ମାନଙ୍କ ନିକଟରେ ପୃଥିବୀର ଯେକୌଣସି କୋଣରେ ଯେତେବି ଦୂରୁହ ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ଅଭିଜ୍ଞତା ଓ ବିଶେଷଜ୍ଞତା ମହଜୁଦଥିବା ନେଇ ଦମ୍ଭ ପ୍ରକାଶ କରିଥିଲେ। ଯେତେବେଳେ ଭାରତୀୟ ଯନ୍ତ୍ରୀ ମାନେ ଆଣବିକ ଶକ୍ତି କାରଖାନା, ମହାକାଶ ଷ୍ଟେସନ ଏବଂ ମେଟ୍ରୋ ରେଳ ଆଦି ସ୍ଥାପନା କରି ସେମାନଙ୍କର ଆପାର ଦକ୍ଷତାର ପ୍ରମାଣ ଦେଇ ସାରିଛନ୍ତି, ସେହି ପରିପ୍ରେକ୍ଷୀରେ ଏବେବି ନାଳ, ନର୍ଦ୍ଦମା ତଥା ମେଟ୍ରୋ ରେଳ ନିର୍ମାଣ ପାଇଁ ବିଦେଶୀ ମଲ୍ଟି ନ୍ୟାସନାଲ କମ୍ପାନୀ(ଏମ. ଏନ.ସି) ମାନଙ୍କୁ ଅନୁଗ୍ରହ ପ୍ରଦାନ କରାଯାଉଥିବା ନେଇ ଡକ୍ଟର ପ୍ରଧାନ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଦେଶ ମଧ୍ୟରେ ଭାରତୀୟ ଯନ୍ତ୍ରୀ ଏବଂ ଦେଶୀ କମ୍ପାନୀ ଗୁଡ଼ିକୁ ଉତ୍ସାହିତ କରାଯିବା ତଥା ଘରୋଇ ଯନ୍ତ୍ରୀଙ୍କ ସେବାର ରପ୍ତାନିକୁ  ବଢ଼ାଇବା ପାଇଁ କେନ୍ଦ୍ର ସରକାର ନୀତିଗତ ଭାବେ ନିଷ୍ପତ୍ତି ନେବାକୁ ଡଃ ପ୍ରଧାନ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ଭାରତ ସରକାରଙ୍କର ବରିଷ୍ଠ ପ୍ରଶାସକ ଏବଂ ବିଶିଷ୍ଟ କୂଟନୀତିଜ୍ଞ ମାନେ ଭାରତୀୟ ବ୍ରାଣ୍ଡକୁ ବିଶ୍ଵ ଦରବାରରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ଲାଗିଥିବାରୁ  ସି. ଇ. ଏ. ଆଇର ଭୂରିଭୂରି ପ୍ରଶଂସା କରିଥିଲେ। ସାରା ବିଶ୍ବରେ ସେବା କେନ୍ଦ୍ରିକ ରପ୍ତାନିକୁ ବୃଦ୍ଧି କରିବା ନେଇ ଭାରତୀୟ ସେବା ଯୋଗାଣକାରୀ ସଂସ୍ଥା ମାନଙ୍କ ନିକଟରେ ଭରପୂର ଅବସର ରହିଥିବା ସେମାନେ ସୂଚାଇଥିଲେ। ମଧ୍ୟପ୍ରାଚ୍ୟ, ଆଫ୍ରିକା,  ସି. ଆଇ.ଏସ ଦେଶ ସମୂହ ଏବଂ ଏସିଆ ମହାଦେଶରେ ଏନେଇ ଭାରତର ଉପସ୍ଥିତିକୁ ଅଧିକ ପ୍ରଭାବୀ କରାଯିବାକୁ ସେମାନେ ମତ ପ୍ରକାଶ କରିଥିଲେ। ଭାରତ ଇଣ୍ଟର ଆମେରିକାନ ଡେଭଲପମେଣ୍ଟ ବ୍ୟାଙ୍କ(ଆଇ. ଏ. ଡି. ବି) ର ସଦସ୍ୟତା ଗ୍ରହଣ କରିବାକୁ ସେମାନେ ଉପଦେଶ ଦେଇଥିଲେ। ଏହି ସଦସ୍ୟତା ଦ୍ଵାରା ସୁଦୀର୍ଘ ଏବଂ ଏବେବି ଅଜଣା ଲାଟିନ ଆମେରିକୀୟ ବଜାରରେ ଆଇ. ଏ. ଡି. ପିର ପାଣ୍ଠି ନିବେଶ ହେଉଥିବା ବ୍ୟାପାର କ୍ଷେତ୍ରରେ ଭାରତୀୟ କମ୍ପାନୀ ଗୁଡ଼ିକୁ ବ୍ୟବସାୟିକ ଲାଭ ମିଳିବ ବୋଲି ସେମାନେ ଆଶାପୋଷଣ କରିଥିଲେ।

ଆନ୍ତର୍ଜାତିକ ବିଡିଂ କ୍ଷେତ୍ରରେ ପ୍ରି କ୍ୱାଲିଫିକେସନ୍ ଏବଂ ଜଏଣ୍ଟ ଭେଞ୍ଚର୍ ଆଦି ପ୍ରାବଧାନକୁ କୋହଳ କରାଯାଇ  ଭାରତୀୟ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଦିଗରେ ଦେଶୀ କମ୍ପାନୀ ଗୁଡ଼ିକୁ ଅଗ୍ରାଧିକାର ଦିଆଯିବାକୁ ସରକାରୀସ୍ତରରେ ଆଶୁ ପଦକ୍ଷେପ ଗ୍ରହଣ କରାଯିବାପାଇଁ ଅତିଥି ବକ୍ତା ମାନେ ମତପୋଷଣ କରିଥିଲେ। ଯଦି ଦେଶ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ବ୍ୟବସାୟ କରିବାକୁ ସୁବିଧା ସୁଯୋଗ ଦିଆ ନ ଯାଏ ତେବେ ଭାରତ ଗ୍ଲୋବାଲ ଲିଡର ବନିବାର ଯୋଜନା ସାର୍ଥକ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ। ସେବା ପ୍ରଦାନ କ୍ଷେତ୍ରରେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ କେବଳ ଜାତୀୟ ସ୍ତରରେ ବିଡ଼ିଂ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସେମାନେ ସ୍ୱାଗତ ଜଣାଇଥିଲେ। ତେବେ ଏହି ନିର୍ଣ୍ଣୟକୁ ଫଳପ୍ରସୁ ଓ ପ୍ରଭାବଶାଳୀ କରାଯିବା ପାଇଁ ସର୍ବଶେଷ ହିତାଧିକାରକୁ ଦୃଷ୍ଟିରେ ରଖି ଭାରତୀୟ କମ୍ପାନୀର ସଜ୍ଞାକୁ ଅଧିକ ସ୍ପଷ୍ଟ କରାଯିବାକୁ ସେମାନେ ଜୋର୍ ଦେଇଥିଲେ।

ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଉଦବୋଧନ ପ୍ରଦାନ କରିଥିବା ଅତିଥି ବକ୍ତା ମାନଙ୍କ ମଧ୍ୟରେ ଡଃ ଅଭୟ ସିହ୍ନା, ଅମିତ୍ ଶର୍ମା, ପ୍ରଫେସର୍ ଅଭିଜିତ ସିରୋଦଗର, ଚକ୍ରେସ ଜୈନ, ସେନ୍ଥିଲ୍ ନାଥନ.ଏସ, ବିଶ୍ୱାସ ଜୈନ, କେ. କେ କପିଳା, ସରୋଜ ଖୁଣ୍ଟିଆ, ରଜନୀକାନ୍ତ ଅଗ୍ରୱାଲ, ସମ୍ରାଟ ସେନଗୁପ୍ତା, ୟାଶାସ ଭାଣ୍ଡ, ଏମ. କେ. ସୁନିଲ, ରଜନୀଶ ଚୋପ୍ରା, ରାଜୀବ ରାୟ, ପଙ୍କଜ କୁମାର ସିଂହ, ସନ୍ଦୀପ ଏସ ଚୌହାନ, ଡଃ ଧିରଜ କୁମାର ସିଂହ, ଡଃ ରାଜଶେଖର ଆର୍.ମାଥୁର ଓ ଯୋଗେଶ କୁମାର ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଅନଲାଇନ୍ ଯୋଗେ ବୈଠକ କୁ ସମ୍ବୋଧନ କରିଥିବା ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉଜବେକିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମନିଶ ପ୍ରଭାତ, ସିଙ୍ଗାପୁର ରୁ ଭାରତୀୟ ହାଇକମିସନର ପି.କୁମାରନ, ବ୍ରାଜିଲରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତ ସୁରେଶ କେ.ରେଡ୍ଡୀ, ତାଞ୍ଜାନିଆରୁ ଭାରତୀୟ ହାଇକମିସନର ବିନୟ ଶ୍ରୀକାନ୍ତ ପ୍ରଧାନ ଏବଂ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମା ସାମିଲ ଥିଲେ। ପରିତୋଷ ଗୁପ୍ତା, ଅମିତ ଶର୍ମା ଏବଂ ଯଦୁବେନ୍ଦ୍ର ମାଥୁର ବୈଷୟିକ ଅଧିବେଶନ ଗୁଡ଼ିକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ। ଉଦଘାଟନୀ ଅଧିବେଶନ ଶେଷରେ ଭାସ୍କର ନିୟୋଗି ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଉପସ୍ଥିତ ଥିବା ସରକାରୀ କର୍ମକର୍ତ୍ତା ମାନେ ଭାରତୀୟ କମ୍ପାନୀ ଗୁଡ଼ିକର ମୁଲଭିତ୍ତିକୁ ସୁଦୃଢ କରାଯାଇ ସେମାନଙ୍କର ରପ୍ତାନି ର ମାତ୍ରାକୁ ବୃଦ୍ଧି କରାଯିବା ନେଇ ସେମାନେ ସଂପୂର୍ଣ୍ଣ ସାହାଯ୍ୟ, ସହଯୋଗ ଓ ସମର୍ଥନ ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ଅବସରରେ ସୁଯୋଗ୍ୟ ଯନ୍ତ୍ରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପେଶାଦାରୀ ଯୋଗଦାନ ପାଇଁ ସି. ଇ.ଏ.ଆଇ ଇଞ୍ଜିନୟରିଂ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button