ନକଲି ଔଷଧ କାରବାର ମାମଲାରେ ୨ ମୁଦାଲା କୋର୍ଟ ଚାଲାଣ
କଟକ, ୧୩/୯ : ନକଲି ଔଷଧ କାରବାରକୁ ରୋକିବା ଦିଗରେ କଟକ କମିଶନରେଟ ପୋଲିସ ପ୍ରଶାସନ ଓ କଟକ ଜିଲ୍ଲା ଡ୍ରଗସ ଇନିସପେକ୍ଟର ତଥା ଔଷଧ ବିକ୍ରେତା ସଂଘ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଏ ସମ୍ପର୍କରେ ପୁରୀଘାଟ ଥାନାରେ କଟକ-୧ ରେଂଜ ଡ୍ରଗସ ଇନିସପେକ୍ଟର ତୁଷାର ରଂଜନ ପାଣିଗ୍ରାହୀଙ୍କ ଏତଲା ଆଧାରରେ ଗତ ୧୦ ତାରିଖରେ ଆଇପିସିର ୪୨୦/୩୩୬/୪୮୩/୪୮୬/୩୪ଦଫାରେ ରୁଜୁ ହୋଇଥିବା ୨୨୧/୨୦୨୨ ଓ ୨୨୨/୨୦୨୨ ନମ୍ବର ମାମଲାର ବିବରଣୀ ଅନୁସାରେ ଏହି ଥାନା ଅନ୍ତର୍ଗତ ମାଣିକଘୋଷବଜାରରେ ଥିବା ଭିଆର ଡ୍ରଗ ଏଜେନସି ଏବଂ ପୂଜା ଏଜେନସି ବିପୁଳ ମାତ୍ରାରେ ରକ୍ତଚାପ ମେଡିସିନ ଟେଲମା-୪୦ ଓ ଟେଲମା-ଏଏମ ବ୍ରାଣ୍ଡର ନକଲି ଔଷଧ ବିକ୍ରି କରୁଥିବାର ନଜରକୁ ଆସିଥିଲା । ସେମାନଙ୍କ କହିବାନୁସାରେ ରାହୁଲ କୁମାର କ୍ୟାଲ ଓ ସଂଜୟ କୁମାର ଜଲାନ ସେସବୁ ଔଷଧ ବଜାରରେ ବିକ୍ରି କରୁଥିଲେ । ତେବେ ସେସବୁ ଔଷଧ ଖାଇବା ଦ୍ୱାରା ହୃଦରୋଗ, କିଡନୀ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେବାର ଆଶଙ୍କା ରହିଥିଲା । ତେବେ ଅଭିଯୁକ୍ତମାନେ ଏହି ନକଲି ଔଷଧ ବିପୁଳ ମାତ୍ରାରେ କଟକ ସମେତ ରାଜ୍ୟ ବିଭିନ୍ନ ଭାଗରେ କାରବାର କରୁଥିବାର ଜଣାପଡିଥିଲା । ଫଳରେ ଡ୍ରଗସ ଇନିସପେକ୍ଟର ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଅନୁରୋଧ କରିଥିଲେ । ଉକ୍ତ ଏତଲା ଆଧାରରେ ପୁରୀଘାଟ ଥାନା ପୋଲିସ ଉପରୋକ୍ତ ମାମଲା ରୁଜୁ ପୂର୍ବକ ତଦନ୍ତ ଚଳାଇ ଜାଣିବାକୁ ପାଇଥିଲେ ଯେ ଉକ୍ତ ୨ ଟି ବ୍ୟାବସାୟିକ ସଂସ୍ଥାର ମାଲିକଙ୍କ ଜ୍ଞାତସାରରେ ଏସବୁ ନକଲି ଔଷଧ କାରବାର ଚାଲିଛି । ସେମାନେ ମାତ୍ରାଧିକ ଲାଭ କରିବା ଲକ୍ଷ୍ୟରେ ଏପରି ନକଲି ଔଷଧ କିଣିବା ସହ ସେସବୁକୁ ବଜାରକୁ ଛାଡିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି । ଏପରିକି ଉପରଲିଖିତ ୨ଟି ଔଷଧକୁ ସେମାନେ ବେଙ୍ଗାଲୁରୁର ଶିବାଜୀନଗରସ୍ଥିତ ଶ୍ରୀ ବାଲାଜୀ ଏଜେନସି ଏବଂ ବିହାରର ଗୟାରେ ଥିବା ଏକ ବ୍ୟାବସାୟିକ ସଂସ୍ଥାରୁ ଆଣୁଥିବାର ଜଣାପଡିଥିଲା । ଏହି ମାମଲାରେ ପୋଲିସ ବକ୍ସିବଜାର ଅଂଚଳର ଶ୍ରୀ ଜଗନ୍ନାଥ ହୋମସରେ ରହୁଥିବା ରାହୁଲ କୁମାର କ୍ୟାଲ(୨୭) ଏବଂ କଟକ ମିଶନରୋଡରେ ଥିବା ସିଲଭର ଲାଇନିଙ୍ଗ ଆପାର୍ଟମେଂଟରେ ରହୁଥିବା ସଂଜୟ କୁମାର ଜଲାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବାର କଟକ ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ନକଲି ଔଷଧ କିଣାବିକା ସମ୍ପର୍କିତ କାଗଜାତ
ସବୁକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି ।