କ୍ରାଇମ

ମେଡିକାଲ୍‌ ଆଡ୍‌ମିସନ୍‌ ଠକ ରୢାକେଟ୍‌ର ପର୍ଦ୍ଦାଫାସ: ରିମାଣ୍ଡରେ ଆଣିବ କ୍ରାଇମ୍‌ ୟୁନିଟ୍ – Utkal Mail


ଭୁବନେଶ୍ବର: ମେଡିକାଲ, ଇଞ୍ଜିନିୟରିଂ କଲେଜରେ ଆଡ୍‌ମିସନ୍‌ କରାଇବା ନାଁରେ ଠକେଇ କରୁଥିବା ଏକ ବଡ଼ ରୢାକେଟ୍‌ର ପର୍ଦ୍ଦାଫାସ୍ କରିଛି କମିସନରେଟ୍‌ ପୁଲିସ। ପୁଲିସର ସ୍ବତନ୍ତ୍ର କ୍ରାଇମ୍ ୟୁନିଟ୍ ଏହି ରୢାକେଟ୍‌ର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ଥାନା ଓଡ଼ିଶୋ ଅଞ୍ଚଳର ରାଜେଶ ରୋସନ ସାହୁ ଓରଫ୍ ଲିଟୁ(୩୦) ଓ ମୟୂରଭଞ୍ଜ ଗଦଶୀ ଥାନା ଡୁକୁରା ଅଞ୍ଚଳର ଅଭିନନ୍ଦନ ବାରିକ ଓରଫ୍ ଲିପୁ (୨୯)। ରାଜେଶ ରୋସନ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ସରେ ବି.ଟେକ୍ ଇଞ୍ଜିନିୟରିଂ କରିଛି। ସେହିଭଳି ଅଭିନନ୍ଦନ ଇଲେକ୍ଟ୍ରିକାଲ୍ସରେ ଡିପ୍ଲୋମା ଇଞ୍ଜିନିୟରିଂ କରିଛି। ସେମାନଙ୍କଠାରୁ ନଗଦ ୫ ଲକ୍ଷ ୪୭ ହଜାର ଟଙ୍କା, ଗୋଟିଏ ଏମ୍‌ଜି ହେକ୍ଟର(ଓଡି୦୨- ବିକ୍ୟୁ-୭୫୦୦) ଓ ବାଲେନୋ କାର୍‌(ଓଡି୦୨-ବିଆର୍-୪୫୦୧), ୭ ମୋବାଇଲ ଫୋନ୍, ଲାପ୍‌ଟପ୍, ପ୍ରିଣ୍ଟର, ଆଡ୍‌ମିସନ୍ ସଂକ୍ରାନ୍ତୀୟ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ଟଙ୍କା ଗଣା ମେସିନ୍, ଲିଫ୍‌ଲେଟ୍, ବ୍ରୋଚର ଆଦି ଜବତ କରାଯାଇଛି। ସେମାନଙ୍କ ନୂଆପଲ୍ଲୀ ଏନ- ୩/୪୨୬ସ୍ଥିତ ଡିଏଫ୍ ଏକାଡେମୀ ଅଫିସକୁ ସିଲ୍ କରିଛି ପୁଲିସ। ଏହି ଗ୍ୟାଙ୍ଗ୍‌ରେ ଆଉ କିଛି ସଦସ୍ୟ ଥିବା ଜଣାପଡ଼ିଛି ଏବଂ ସେମାନଙ୍କ ବାବଦରେ ଖୋଳତାଡ଼ ଚାଲିଛି।

ସୂଚନାନୁସାରେ ଏହି ଦୁଇ ଅଭିଯୁକ୍ତ ୮ ବର୍ଷ ହେଲା ନୂଆପଲ୍ଲୀରେ ଅଫିସ ଖୋଲିଥିଲେ। ଏମ୍‌ବିବିଏସ୍, ବି ଟେକ୍‌, ବି ଫାର୍ମା ଓ ଏମ୍‌ ଫାର୍ମା, ଏମ୍‌ବିଏ, ନର୍ସିଂ, ଲ’ ଆଡ୍‌ମିସନ ପାଇଁ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ସିଟ୍ କରାଇ ଦେବାକୁ ପ୍ରାର୍ଥୀମାନଙ୍କର ଅଭିଭାବକଙ୍କୁ ଅଫର୍‌ ଦେଉଥିଲେ। ଏଥିପାଇଁ ମୋଟା ଅଙ୍କ ଦାବି କରୁଥିଲେ। ଗତ ଏପ୍ରିଲ୍‌ରେ ଝାରୁସୁଗୁଡ଼ାର ଜଣେ ବ୍ୟବସାୟୀଙ୍କ ଝିଅ ରାଜଧାନୀର ଏକ ଡିମଡ୍ ବିଶ୍ବବିଦ୍ୟାଳୟରେ ମେଡିକାଲ୍‌ ଆଡ୍‌ମିସନ ଲାଗି ସେମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ବୁଝାମଣା ପରେ ରେଜିଷ୍ଟ୍ରେସନ ପାଇଁ ୩ ଲକ୍ଷ ୫ ହଜାର ଟଙ୍କା ଦେଇଥିଲେ। ଦୁଇ ଅଭିଯୁକ୍ତ ଉକ୍ତ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ନିଜର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ଟ୍ରାନ୍ସଫର କରି ରେଜିଷ୍ଟ୍ରେସନ କରାଇଥିଲେ। ପରେ ଏହି ରେଜିଷ୍ଟ୍ରେସନ୍‌ ଫି’ ଫେରିବ ବୋଲି ସେମାନେ ଛାତ୍ରୀଙ୍କୁ କହିଥିଲେ। କିନ୍ତୁ ଟଙ୍କା ନ ଫେରିବାରୁ ସେ ଏନେଇ ଗତ ଏପ୍ରିଲ୍‌ରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସ୍ପେସାଲ କ୍ରାଇମ୍‌ ୟୁନିଟ୍ ମାମଲାର ତଦନ୍ତ ଭାର ନେଇଥିଲା। ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ର ଅତିରିକ୍ତ ଡିସିପି ସଞ୍ଜିବ ଶତପଥୀ, ଏସିପି ବିଶ୍ବରଞ୍ଜନ ସେନାପତି ଓ ଏସିପି କେ.କେ. ହରିପ୍ରସାଦଙ୍କୁ ନେଇ ଗଠିତ ଟିମ୍ ତଦନ୍ତ କରିବା ପରେ ରୢାକେଟ୍‌ର ଗୁମର ଖୋଲିଥିଲା।

ପୁଲିସ ସୂଚନାନୁସାରେ ମେଡିକାଲ ଆଡ୍‌ମିସନ୍‌ ପାଇଁ ପ୍ରବେଶିକା ପରୀକ୍ଷା ନିଟ୍ ଶେଷ ହେବା ପରେ ଏହି ଅଭିଯୁକ୍ତଦ୍ବୟ ପ୍ରାର୍ଥୀଙ୍କର ଅଭିଭାବକଙ୍କୁ ଯୋଗାଯୋଗ କରନ୍ତି। ରାଜଧାନୀର ଏକ ନିର୍ଦ୍ଦିଷ୍ଟ ଡିମଡ୍ ବିଶ୍ବବିଦ୍ୟାଳୟରେ ଆଡ୍‌ମିସନ୍ କରାଇବା ନାଁରେ ଏମାନେ ଜାଲ ବିଛାନ୍ତି। ଯେଉଁ ପ୍ରାର୍ଥୀ ନିଟ୍ ପରୀକ୍ଷାରେ ଯୋଗ୍ୟତା ହାସଲ କରିବ ବୋଲି ଜାଣନ୍ତି, ସେମାନଙ୍କୁ ଉକ୍ତ ବିଶ୍ବବିଦ୍ୟାଳୟରେ ଆଡ୍‌ମିସନ କରାଇ ଦେବାକୁ ପ୍ରବର୍ତ୍ତାଇଥାନ୍ତି। ନିଜକୁ ଉକ୍ତ ବିଶ୍ବବିଦ୍ୟାଳୟର ଅଧିକାରୀ ବୋଲି ପରିଚୟ ଦିଅନ୍ତି। ଅଭିଯୋଗକାରୀ ଝାରସୁଗୁଡ଼ାର ବ୍ୟବସାୟୀଙ୍କଠାରୁ ମଧ୍ୟ ସେମାନେ ଉକ୍ତ ବିଶ୍ବବିଦ୍ୟାଳୟ ପରିସରରୁ ଟଙ୍କା ନେଇଥିଲେ। ସେହିପରି ଏନ୍ଆର୍‌ଆଇମାନଙ୍କ ସହ ମଧ୍ୟ ଏମାନେ ଯୋଗାଯୋଗରେ ଅଛନ୍ତି। ଏନ୍‌ଆର୍‌ଆଇଙ୍କ କୋଟା ସିଟ୍‌କୁ ମଧ୍ୟ ଅଭିଯୁକ୍ତମାନେ କେତେକ ପ୍ରାର୍ଥୀଙ୍କୁ ବିକ୍ରି କରି ଦିଅନ୍ତି। ଗତ ୮ ବର୍ଷ ଧରି ଏହି ରୢାକେଟ୍ ସକ୍ରିୟ ଥିବା ଅନୁମାନ କରାଯାଉଛି।

ଠକେଇ ଟଙ୍କାରେ କରୁଥିଲେ ଅୟସ
ଠକେଇ ଟଙ୍କାରେ ଅୟସ କରୁଥିଲେ ଠକ। ଦାମୀ କାର ଚଢ଼ୁଥିଲେ, ନାମୀ ହୋଟେଲରେ ଖାଉଥିଲେ, ବୁଲୁଥିଲେ। ନଗଦ ୫ ଲକ୍ଷ ୪୭ ହଜାର ଟଙ୍କା, ଦୁଇ ଦାମୀ କାର ଜବତରୁ ଏହା ସୂଚାଇ ଦେଉଛି। ଆଉ କଣ ସମ୍ପତ୍ତି ରହିଛି, ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button