ରାଜନେତା ଓ ଠିକାଦାରଙ୍କ ଦୁହାଁଳିଆ ଗାଈ ସାଜିଛି : ଉତେଇ ଜଳସେଚନ
ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଓ କର୍ଲାମୁଣ୍ଡା ସମେତ ଦୁଇଟି ବ୍ଲକରେ ଜଳସେଚନର ସୁବିଧା ପାଇଁ ମଦନପୁର ରାମପୁର
ବ୍ଲକ ଆମ୍ବ ଗାଁରେ ଉତେଇ ଜଳସେଚନ ପ୍ରକଳ୍ପର ଡାଇଭର୍ସନ ନିମନ୍ତେ ୧୯୬୮ରେ ତତ୍କାଳୀନ କୃଷି ଓ ଯୋଜନା ସମନ୍ୱୟ ମନ୍ତ୍ରୀ ବୃନ୍ଦାବନ ତ୍ରିପାଠୀଙ୍କ
ଦ୍ୱାରା ଶିଳାନ୍ୟାସ ହୋଇଥିଲା । ୧୯୭୨ ପରେ ଏହି ପ୍ରକଳ୍ପରୁ ଚାଷୀ ଜଳସେଚନର ସୁବିଧା ପାଇଥିଲେ । ଏହି ପ୍ରକଳ୍ପରୁ ଆମ୍ବ ଗାଁଠାରୁ
ବୋରପଦର ୧୦ କିମି ମୁଖ୍ୟ କେନାଲ, ଡୁକେଲମାଲ, ରିଞ୍ଜା, ରିଷିଡା ଓ ୭ଟି କ୍ଷୁଦ୍ର କେନାଲ ଯୋଗେ ୯୬୨୬ ହେକ୍ଟର ଜମିକୁ ଜଳସେଚନ
କରାଯାଏ । ଆମ୍ବ ଗାଁ ଡାଇଭର୍ସନ କେନାଲ ମରାମତି ଓ ପଙ୍କ ଉଦ୍ଧାର ନାମରେ କୋଟି କୋଟି ଟଙ୍କା ହରିଲୁଟ ଚାଲିଛି । ଫଳରେ ଏହାର
ଜଳସେଚନ କ୍ଷମତା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ପ୍ରତି ବର୍ଷ ନେତା ଓ କର୍ମୀ ଠିକା ହାତେଇ ମାଲେମାଲ ହେଉଛନ୍ତି । ରାଜନେତାଙ୍କ ପ୍ରଚ୍ଛନ୍ନ ହାତ
ଥିବାରୁ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରନ୍ତି । ବର୍ଷ ବର୍ଷ ଧରି ଏଭଳି ହରିଲୁଟ ଯୋଗୁ ତଳମୁଣ୍ଡର ଚାଷୀ
ଜଳସେଚନ ସୁବିଧାରୁ ବଂଚିତ ହେଉଛନ୍ତି । ଉତେଇ ଜଳସେଚନ ପ୍ରକଳ୍ପ ମଦନପୁର ରାମପୁର ବ୍ଲକ ଆମ୍ବ ଗାଁଠାରେ ରହିଛି । ଏହି ପ୍ରକଳ୍ପ
ଦ୍ୱାରା ମଦନପୁର ରାମପୁର, କର୍ଲାମୁଣ୍ଡା ସମେତ ପଡୋଶୀ ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକକୁ ଜଳସେଚନ ହୋଇଥାଏ । ୨୦୧୯-୨୦ ରୁ
୨୦୨୧-୨୨ ମଧ୍ୟରେ ଉତେଇ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଓ ମରାମତି ବାବଦକୁ ୨ କୋଟି ୪୦ ଲକ୍ଷ ୬୦ ହଜାର ୧୬୯ ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପର ଡ୍ୟାମ ମରାମତି, ମୁଖ୍ୟ କେନାଲ, ଶାଖା କେନାଲ, ଡିଷ୍ଟିବ୍ୟୁଟର ପଙ୍କ ଉଦ୍ଧାର, କେନାଲ ମରାମତି ଭଳି ଅନେକ କାର୍ଯ୍ୟ କରାଯାଉଥିବା ଜଣାପଡିଛି । ୨୦୧୯-୨୦ ଏହି ବାବଦକୁ ୬୭ ଲକ୍ଷ ୪୭ ହଜାର ୮୭୬ ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ୨୦୨୦-୨୧ରେ ୧ କୋଟି ୧
ଲକ୍ଷ ୫୯ ହଜାର ୨୧୫ ଟଙ୍କା ଓ ୨୦୨୧-୨୨ରେ ୭୧ ଲକ୍ଷ ୫୩ ହଜାର ୭୮ ଟଙ୍କା ଖର୍ଚ୍ଚ ହୋଇଛି । ଦୀର୍ଘ ବର୍ଷ ଧରି ବିଭାଗ ତରଫରୁ ଉତେଇ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଓ ମରାମତି ବାବଦକୁ ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ନିର୍ଦ୍ଧାରିତ ଆଇକଟ ଏରିଆରେ ପାଣି ପହଁଚିପାରୁନଥିବା ନେଇ ଚାଷୀଙ୍କ ମହଲରେ ଉଦବେଗ ପ୍ରକାଶ ପାଉଛି ।ଫଳରେ ବିଭାଗୀୟ କାର୍ଯ୍ୟଧାରା ନେଇ ବିଭିନ୍ନ ମହଲରେ ଅସନ୍ତୋଷ
ବଢିବାରେ ଲାଗିଛି ।