ଭାରତ-ନେପାଳ ମ୍ୟାଚ୍ରେ ବର୍ଷା ଆଶଙ୍କା – Utkal Mail
ପାଲେକେଲ୍: ଚଳିତ ଏସିଆ କପ୍ କ୍ରିକେଟ୍ରେ ସୋମବାର ଭାରତ ଭେଟିବ ନେପାଳକୁ। ଏହି ମ୍ୟାଚ୍ ଭାରତ ପାଇଁ ଜିତିବା ଅତ୍ୟନ୍ତ ଜରୁରୀ ହୋଇଯାଇଛି। ପାକିସ୍ତାନ ବିପକ୍ଷ ବାତିଲ ମ୍ୟାଚ୍ରୁ ଭାରତ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଦଳ ପାଇଁ କର ବା ମର ଭଳି ହୋଇଛି। ନବାଗତ ନେପାଳ ବିପର୍ଯ୍ୟୟ ସୃଷ୍ଟି କରିବାର ସାମର୍ଥ୍ୟ ରଖିନଥିଲେ ମଧ୍ୟ କ୍ରିକେଟ୍ରେ କିଛି ଅସମ୍ଭବ ନଥିବାରୁ ଏହି ମ୍ୟାଚ୍ ନକ୍ ଆଉଟ୍ ଭଳି ହୋଇଛି। ବିଜୟୀ ଦଳ ହିଁ ସୁପର୍ ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହେବ। ସୋମବାରର ଏହି ମ୍ୟାଚ୍ ଉପରେ ମଧ୍ୟ ବର୍ଷାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ମ୍ୟାଚ୍ ବାତିଲ ହେଲେ ଭାରତ ବିନା ଫଳାଫଳରେ ସୁପର୍ ଫୋର୍ ପହଞ୍ଚିଯିବ। କିନ୍ତୁ ରୋହିତ ଶର୍ମାଙ୍କ ଦଳ କିଛି ଅଭ୍ୟାସ ସହିତ ଆଗକୁ ବଢ଼ିବାକୁ ଆଗ୍ରହୀ ରହିଛି। ପାକିସ୍ତାନ ବିପକ୍ଷରେ ଭାରତର ଶୀର୍ଷକ୍ରମ ବିଫଳ ହୋଇଥିବାରୁ ଏହି ମ୍ୟାଚ୍ରେ ସେମାନଙ୍କୁ ଆତ୍ମବିଶ୍ବାସ ପାଇଁ ବ୍ୟାଟିଂ ସୁଯୋଗର ଆବଶ୍ୟକତା ରହିଛି। ଏପରିକି ଭାରତୀୟ ବୋଲର ଅଦ୍ୟାବଧି ଗୋଟିଏ ବି ବଲ୍ ବୋଲିଂର ସୁଯୋଗ ପାଇନଥିବାରୁ ସେମାନେ ମଧ୍ୟ ମ୍ୟାଚ୍ ପ୍ରାକ୍ଟିସ୍ ସହ ସୁପର୍ ଫୋର୍ ଯିବା ଆଶା ରଖିଛନ୍ତି। ପାକିସ୍ତାନ ନିଜର ଗ୍ରୁପ୍ ଅଭିଯାନ ଶେଷ କରି ସୁପର୍ ଫୋର ପହଞ୍ଚିସାରିଛି। ପ୍ରଥମ ମ୍ୟାଚ୍ରେ ବାବର ଆଜମଙ୍କ ଦଳ ନେପାଳକୁ ୨୩୮ ରନ୍ରେ ପରାସ୍ତ କରିଥିଲା।
ସୋମବାର ନେପାଳ ବିପକ୍ଷରେ କିନ୍ତୁ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍, ଶ୍ରେୟସ ଆୟରଙ୍କ ବ୍ୟାଟରୁ କିଛି ରନ୍ ବାହାରିବାର ଆବଶ୍ୟକତା ରହିଛି। ଭାରତ ପାଇଁ ନେପାଳର ଲେଗ୍ସ୍ପିନର୍ ସନ୍ଦୀପ ଲାମିଚାନ୍ ଏବଂ ଅଧିନାୟକ ରୋହିତ ପୌଡ଼ଲ୍ଙ୍କ ବୋଲିଂ ନିଶ୍ଚିତ ଆହ୍ବାନ ଆଣିବ ବୋଲି ବିଶ୍ବାସ କରାଯାଉଛି। ୨୧ତମ ଜନ୍ମଦିନର ମାତ୍ର ୨ ଦିନ ପରେ ରୋହିତ ପୌଡ଼ଲ ନେପାଳର ନେତୃତ୍ବ ନେବାକୁ ଯାଉଛନ୍ତି। ପାଲେକେଲ୍ ପିଚ୍ ପେସ୍ ବୋଲରଙ୍କୁ ସୁହାଇବାକୁ ଯାଉଥିବାରୁ ବଡ଼ ସ୍କୋର୍ ହେବା ସମ୍ଭାବନା କମ୍। ବର୍ଷାର ପ୍ରଭାବ କିନ୍ତୁ ସମସ୍ତଙ୍କ ନଜରରେ ରହିଛି। ବିରାଟ କୋହଲି ଆଉ ୯୮ ରନ୍ କରିପାରିଲେ ଦ୍ବିତୀୟ ଭାରତୀୟ ଭାବେ ୧୩,୦୦୦ ରନ୍ ପୂର୍ଣ୍ଣ କରିବେ।
ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର୍, ଈଶାନ କିଶନ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।
ନେପାଳ ସମ୍ଭାବ୍ୟ ୧୧: କୁଶାଲ ଭୁର୍ତେଲ, ଆସିଫ୍ ସେଖ୍ (ୱିକେଟରକ୍ଷକ), ରୋହିତ ପୌଡ଼ଲ୍ (ଅଧିନାୟକ), ଆରିଫ୍ ସେଖ୍, ସୋମପାଲ କାମି, ଦୀପେନ୍ଦ୍ର ସିଂହ ଏରେସ୍, ଗୁଲସାନ୍ ଝା, କୁଶାଲ ମଲ୍ଲ, କରଣ କେସି, ସନ୍ଦୀପ ଲାମଚାନ୍, ଲଳିତ ରାଜବଂଶୀ।
ଘରକୁ ଫେରିଲେ ବୁମ୍ରା
ଏସିଆ କପ୍ ଲାଗି ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବ୍ୟକ୍ତିଗତ କାରଣ ପାଇଁ ଘରକୁ ଫେରିଛନ୍ତି। ପରିବାରରେ କିଛି ଅସୁବିଧା ଥିବାରୁ ବୁମ୍ରା ଘରକୁ ଫେରିବା ଲାଗି ବିସିସିଆଇକୁ ଅନୁରୋଧ କରିଥିଲେ। ବିସିସିଆଇ ଅନୁମତି ଦେବାରୁ ସେ ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଘରକୁ ଫେରିଛନ୍ତି। ତେଣୁ ସୋମବାର ନେପାଳ ବିପକ୍ଷ ମ୍ୟାଚ୍ରେ ସେ ଖେଳିପାରିବେନି। ଏସିଆ କପ୍ର ସୁପର୍ ଫୋର୍ ପର୍ଯ୍ୟାୟ ବେଳକୁ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି।