ମାୟା ସଭ୍ୟତାର ନାସାଳଙ୍କାର – Utkal Mail
ମେକ୍ସିକୋର ଚିଆପାସ ପ୍ରଦେଶ ଅନ୍ତର୍ଗତ ପାଲେଙ୍କ୍ୟୁ ସହରରେ ପ୍ରତ୍ନତତ୍ତ୍ବବିତ୍ମାନେ ଖନନ ବେଳେ ୧,୧୦୦ ବର୍ଷ ତଳର ଅଳଙ୍କାର ପାଇଛନ୍ତି। ନାକରେ ପିନ୍ଧାଯାଉଥିବା ଏହି ଅଳଙ୍କାରଟି ମଣିଷ ହାଡ଼ରେ ଖୋଦେଇ ହୋଇଥିବା ମାୟା ସଭ୍ୟତାର ଏକ ଅଳଙ୍କାର ବୋଲି ଜଣାପଡ଼ିଛି। ଏହା ପ୍ରାଚୀନ ସମାଧି ପରମ୍ପରା ସମ୍ପର୍କରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଛି। ପ୍ରାୟ ୬ ସେଣ୍ଟିମିଟର୍ ଲମ୍ବା ଓ ୫ ସେଣ୍ଟିମିଟର୍ ଚଉଡ଼ା ବିଶିଷ୍ଟ ଏହି କଳାକୃତିକୁ ପୁରୋହିତମାନେ ଉତ୍ସବ ସମୟରେ ପିନ୍ଧୁଥିବାର ବିଶ୍ବାସ କରାଯାଏ। ଏହା ଦ୍ବାରା ସେମାନେ ବିଜୁଳି, ଉର୍ବରତା ଓ ପ୍ରାଚୁର୍ଯ୍ୟ ସହ ଜଡ଼ିତ ମାୟା ଦେବତା ‘କାଵିଲ୍’ ବା ‘ଈଶ୍ବର କେ’ଙ୍କୁ ମୂର୍ତ୍ତିମାନ କରୁଥିଲେ। ଆବିଷ୍କୃତ ଅଳଙ୍କାରଟି ମଧ୍ୟ ମାୟା ସଭ୍ୟତାର କଳାତ୍ମକ ପ୍ରତିଭାର ଏକ ଗୁରୁତ୍ବପୂର୍ଣ୍ଣ ଉଦାହରଣ ବୋଲି କୁହାଯାଉଛି।
ଉକ୍ତ ଅଳଙ୍କାରଟି ମଣିଷ ଗୋଡ଼ର ‘ଡିଷ୍ଟାଲ ଟିବିଆ’ ନାମକ ଅସ୍ଥିରେ ନିର୍ମିତ। ଉକ୍ତ ଅସ୍ଥିରେ ହୋଇଥିବା ଖୋଦେଇର ବୈଶିଷ୍ଟ୍ୟ ହେଉଛି ତାହା ଦେବତା ଓ ପୂଜକମାନଙ୍କ ସହିତ ଆନୁଷ୍ଠାନିକ ଯୋଗାଯୋଗର ପ୍ରତୀକ। ତାହାକୁ ନିର୍ଦ୍ଦିଷ୍ଟ ଭାବରେ ନାକର ଧାର ଉପରେ ପିନ୍ଧିଲେ ତାହା କପାଳରୁ ନାସାଗ୍ର ଯାଏ ଲମ୍ବି ରହିଥାଏ। ୬୦୦ରୁ ୮୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଉକ୍ତ ଅସ୍ଥିକୁ ଏକ କୋଠାର ନିର୍ମାଣକାର୍ଯ୍ୟ ଶେଷ ହେବାର ସ୍ମୃତିରେ ପ୍ରଥା ଅନୁଯାୟୀ ମାଟିରେ ପୋତି ଦିଆଯାଇଥିଲା। ଉକ୍ତ ଅଳଙ୍କାର ସହିତ କିଛି ମଞ୍ଜି, ଛୋଟ ଜୀବଜନ୍ତୁଙ୍କ ହାଡ଼, ଛୁରି ଓ କୋଇଲା ଖଣ୍ଡ ପ୍ରତ୍ନତତ୍ତ୍ବବିତ୍ଙ୍କୁ ମିଳିଛି।