ନିଟ ପରୀକ୍ଷାରେ ବାଲେଶ୍ୱରର ଛାତ୍ର ସାହିଲଙ୍କ କୃତିତ୍ୱ
ବାଲେଶ୍ୱର,୧୪ା୯(): ଚଳିତବର୍ଷ ‘ନିଟ୍’ ପରୀକ୍ଷାରେ ସହରର କାଳିଦାସପୁର ଅଂଚଳର ରବୀନ୍ଦ୍ର ମହାନ୍ତି ଓ ଶିଖା ମହାନ୍ତିଙ୍କର ଏକମାତ୍ର ସୁପୁତ୍ର ସାହିଲ୍ ମହାନ୍ତି ସର୍ବ ଭାରତୀୟ ସ୍ତରରେ ୨୭୧୮ ର୍ୟାଙ୍କ୍ରେ ରହିଛନ୍ତି । ସାଧାରଣ ବର୍ଗରେ ତାଙ୍କର ର୍ୟାଙ୍କ୍ ହେଉଛି ୧୫୫୯ । ସେ ମୋଟ ୬୬୦ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସାହିଲ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଡର୍ଣ୍ଣ ପବ୍ଲିକ୍ ସ୍କୁଲ୍ରେ ଅଧ୍ୟୟନ କରି ଦଶମ ବୋର୍ଡ଼ରେ ୯୨.୨% ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ପରେ ଭୁବନେଶ୍ୱରସ୍ଥିତ ଆକାଶ ଇନଷ୍ଟିଚ୍ୟୁଟରେ ଯୁକ୍ତଦୁଇ ପଢ଼ିବା ସହ ‘ନିଟ୍’ପାଇଁ ପ୍ରସ୍ତୁତ ହେଉଥିଲେ । ଦ୍ୱାଦଶ ବୋର୍ଡ଼ରେ ୯୪.୬% ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ସେ କୋଟାସ୍ଥିତ ଆଲେନ୍ ଇନ୍ଷ୍ଟିଚ୍ୟୁଟ୍ରୁ ୩ମାସିଆ ସ୍ପାର୍କ କୋର୍ସରେ କୋଚିଂ ନେଇ ୬୬୦ ନମ୍ବର ରଖି ପାରିଛନ୍ତି । ଏହି ସଫଳତାର ଶ୍ରେୟ ସେ ପ୍ରଭୁ ଜଗନ୍ନାଥଙ୍କୁ ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପିତାମାତା, ଅଜା, ଆଈ, ମଉସା, ମାଉସୀ, ଜେଜେମା, ଦାଦାମାନଙ୍କୁ ଦେଇଛନ୍ତି । ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ)ରେ ପଢ଼ିବାକୁ ଇଚ୍ଛା ରଖିଛନ୍ତି । ସେ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କର ସେବା କରିବାକୁ ଚାହୁଁଛନ୍ତି ।