ବିଜେପିରେ ସାମିଲ ହୁଅ ନଚେତ୍ ମାମାଙ୍କ ବୁଲଡୋଜର ରେଡ଼ି…’ କଂଗ୍ରେସ କର୍ମୀଙ୍କୁ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଧମକ ନେଇ ବିବାଦ
ଭୋପାଳ: ମଧ୍ୟ ପ୍ରଦେଶର ଶିବରାଜ ସିଂହ ଚୌହାନ ସରକାରଙ୍କ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସେ କଂଗ୍ରେସ କର୍ମୀଙ୍କୁ ଧମକ ଦେଉଛନ୍ତି । ବିଜେପିରେ ସାମିଲ ହୁଅ ନଚେତ୍ ମାମା (ଶିବରାଜ)ଙ୍କ ବୁଲଡୋଜରର ରେଡ଼ି ବୋଲି ସେ କହୁଥିବା ଶୁଣିବାକୁ ମିଳୁଛି।
ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରୁଠିଆୟୀ ସହରରେ ଏକ ଜନସଭାରେ ବୁଧବାର ମଧ୍ୟପ୍ରଦେଶର ପଞ୍ଚାୟତରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦଆ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ ।
ରାଘୋଗଡର ନାଗରିକ ସଂଗଠନ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବାବେଳେ ସିସୋଦିଆ କହିଥିଲେ, “କଂଗ୍ରେସ ସଦସ୍ୟଗଣ ! ଶୁଣନ୍ତୁ, ବିଜେପିରେ ଯୋଗ ଦିଅନ୍ତୁ। ଧୀରେ ଧୀରେ ଏପଟେ (ଶାସକ ଦଳ) ଆସନ୍ତୁ । ୨୦୨୩ରେ ବି ମଧ୍ୟପ୍ରଦେଶରେ ବିଜେପି ସରକାର ଗଢ଼ିବ । ମାମା(ଶିବରାଜ)ଙ୍କର ବୁଲଡୋଜର ପ୍ରସ୍ତୁତ …”
ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଜି ରାଘୋଗଡ ମ୍ୟୁନିସିପାଲଟି ନିର୍ବାଚନ ମଧ୍ୟ ହେବ। ରାଘୋଗଡ଼ ହେଉଛି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ନିର୍ବାଚନମଣ୍ଡଳୀ । ଯେଉଁଠାରୁ ତାଙ୍କ ପୁଅ ଜୟବର୍ଦ୍ଧନ ସିଂହ ବିଧାୟକ ଅଛନ୍ତି ।
କିଛି ବିଜେପି ଶାସିତ ରାଜ୍ୟ ଭଳି ମଧ୍ୟପ୍ରଦେଶରେ ମଧ୍ୟ ଅପରାଧିକ ମାମଲା ଥିବା ଲୋକମାନଙ୍କ ଘରଗୁଡ଼ିକୁ ବୁଲଡୋଜର ଲଗାଇ ଭଙ୍ଗାଯାଉଥିବା ଅଭିଯୋଗ ହୋଇଆସିଛି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ‘ବୁଲଡୋଜର’ ନୀତିକୁ ଯଥାର୍ଥ ବୋଲି ମଧ୍ୟ କହିଛନ୍ତି । ଅପରାଧ ତଥା ଅପରାଧୀଙ୍କ ବିରୋଧରେ ତାଙ୍କ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଭଳି ବୁଲଡୋଜର ମଧ୍ୟ ଦୁର୍ନୀତି ତଥା ଅପରାଧ ବିରୋଧରେ ଏକ ଅସ୍ତ୍ର ବୋଲି ସେ ପ୍ରଚାର କରୁଛନ୍ତି।