ଆଜି ଭୁବନେଶ୍ୱରରେ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସର ମହାସମ୍ମିଳନୀ, ଜାଣନ୍ତୁ କେମିତି ସ୍ଥାପନ ହୋଇଥିଲା IRC ଭିଲେଜ?

ନବ ଉନ୍ମେଷର ବିନ୍ଧାଣି ସାଜିଛି ଇଣ୍ଡିଆନ ରୋଡ୍ସ କଂଗ୍ରେସ ବା ଆଇଆର୍ସି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ବିଶ୍ୱସ୍ତରୀୟ ରାଜପଥ ହେଉ, ଅବା ହେଉ ଶ୍ରୀମନ୍ଦିର ଐତିହ୍ୟ କରିଡର କିମ୍ବା ରାଜପଥଠୁ ନେଇ ସୁଉଚ୍ଚ ଅଟ୍ଟାଳିକା, ସେତୁ, ଟନେଲ୍ ସବୁଠି ରହିଛି ଆଇଆର୍ସିର ଛାପ । ମାତ୍ର କେତେଟା ବର୍ଷ ଭିତରେ ଓଡ଼ିଶା ଦେଖିଛି ଉତ୍କଳର ନୂଆ ରୂପ ।
ଶୁକ୍ରବାର ଅର୍ଥାତ୍ ଆଜି ରାଜଧାନୀ ଭୁୂବନେଶ୍ୱରରେ ଆୟୋଜିତ ହୋଇଛି ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସର ମହାସମ୍ମିଳନୀ । ଏହି ମହାକୁମ୍ଭଙ୍କୁ ଉଦଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ । ଏଥି ପାଇଁ ସଜେଇ ହେବାରେ ଲାଗିଛି ଜନତା ମୈଦାନ ଓ ସାରା ଭୁବନେଶ୍ୱର ।
‘ଆଇଆର୍ସି ଭିଲେଜ୍’ । ଭୁବନେଶ୍ୱରରେ ରହୁଥିବା ବ୍ୟକ୍ତିବିଶେଷ ପ୍ରାୟତଃ ଏହି ନା’ ସହ ପରିଚିତ ଥିବେ, କିନ୍ତୁ ଏହା ପଛର କାହାଣୀ ହୁଏତ ଅଧିକାଂଶ ବାସିନ୍ଦାଙ୍କୁ ଜଣା ନଥିବ! ଆଜି ଭୁବନେଶ୍ୱର ୮୪ତମ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି କାହାଣୀ ପୁଣି ଚର୍ଚ୍ଚାକୁ ଆସିଛି । ତେବେ ଆସନ୍ତୁ ଜାଣିବା କେମିତି ସ୍ଥାପନ ହୋଇଥିଲା ଆଇଆର୍ସି ଭିଲେଜ? କ’ଣ ଏହାର ପୂରା ନାଁ ଆଉ କାହିଁକି ଏହା ଇଣ୍ଡିଆନ୍ ରୋଡ କଂଗ୍ରେସ ସହ ଯୋଡ଼ା?
୧୯୫୪ ପରେ, ୧୯୮୨ ମସିହାରେ ଓଡ଼ିଶାକୁ ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ ରୋଡ୍ସ କଂଗ୍ରେସର ବାର୍ଷିକ ଅଧିବେଶନ ଆୟୋଜନର ସୁଯୋଗ ମିଳିଥିଲା । ଏହି ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଗଲା । ବହୁ ସଂଖ୍ୟାରେ ପ୍ରତିଭାଗୀ ଅଂଶଗ୍ରହଣ କରିବାର ଆୟୋଜନ ମଧ୍ୟ କରାଗଲା ମାତ୍ର ସେମାନେ ରହିବା ପାଇଁ ଭୁବନେଶ୍ୱରରେ ପର୍ଯ୍ୟାପ୍ତ ହୋଟେଲ ନଥିଲା ।
ଯନ୍ତ୍ରୀଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ସମ୍ମିଳନୀରେ ଯୋଗ ଦେଉଥିବାରୁ ସେମାନଙ୍କ ପାଇଁ ଭୁବନେଶ୍ୱରରେ ରହଣୀ ବ୍ୟବସ୍ଥା ପାଇଁ ନୟାପଲ୍ଲୀ ଅଞ୍ଚଳରେ ଏକ ସ୍ଥାନ ଚିହ୍ନଟ କରାଗଲା । ସେଠାରେ ‘ଏସିଆନ୍ ଗେମ୍’ ବେଳେ ହେଉଥିବା ‘ଏସିଆଡ୍ ଭିଲେଜ’ ଭଳି ଛୋଟ ଛୋଟ ଘର ନିର୍ମାଣ କରାଯାଇ ଏହି ଅଞ୍ଚଳକୁ ଗାଁ’ର ରୂପ ଦିଆଗଲା । ଆମନ୍ତ୍ରିତ ଅତିଥିମାନଙ୍କର ସେଠାରେ ରହିବାର ବନ୍ଦୋବସ୍ତ ମଧ୍ୟ କରାଗଲା । ଏଥିସହ ସ୍ୱଳ୍ପ ଦିନର ଅତିଥିମାନେ ରୋଡ୍ସ କଂଗ୍ରେସର ସମାବେଶ ପରେ ଫେରି ଯାଇଥିଲେ । କିନ୍ତୁ ଖୋଲା ପଡ଼ିଆ ଥିବା ଉକ୍ତ ଅଞ୍ଚଳକୁ ମିଳିଥିଲା ଏକ ନୂଆ ନାଁ ଓ ନୂଆ ପରିଚୟ । ଇଣ୍ଡିଆନ ରୋଡ୍ସ କଂଗ୍ରେସର ପ୍ରତିଭାଗୀମାନେ ରହୁଥିବାରୁ, ସେ ଅଞ୍ଚଳର ନାମ ହେଲା ଆଇଆର୍ସି (ଇଣ୍ଡିଆନ ରୋଡ୍ସ କଂଗ୍ରେସ) ଭିଲେଜ୍ ।


