ଜୀବନଶୈଳୀ

ସମାଜର ମଙ୍ଗଳ ପାଇଁ ପଶ୍ଚମବଙ୍ଗରୁ ତାମିଲନାଡୁ ଦଣ୍ଡ ମାରି ମାରି ଯାଉଛନ୍ତି ତରୁଣ

ଭୁବନେଶ୍ୱର ଜନଗହଳି ପୂର୍ଣ୍ଣ ରାସ୍ତା ଆଉ ସେହି ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡି ମଟର ଅନ୍ୟ ପାର୍ଶ୍ୱରେ ଜଣେ ମଣିଷ l ଯିଏ ଯେମିତି ନିଜ ନିଜ ବାଟରେ ଚାଲି ଯାଉଥାନ୍ତି l ବ୍ୟସ୍ତ ବହୁଳ ଜୀବନରେ କାହାରି ନଜର ନାହିଁ ଏଦୃଶ୍ୟ ଉପରେ l ଆମେ ସେ ଦୃଶ୍ୟକୁ ସାଉଣ୍ଟୁ ଥିଲୁ ଏହି ଉଦ୍ଦେଶ୍ୟ ରଖି କି ଭକ୍ତ ଏମିତି ବି ଅଛନ୍ତି ଦୁନିଆରେ ଯାହାର ତୁଳନା କରିବା ସମ୍ଭବ ନୁହେଁ l ବ୍ୟକ୍ତି ଜଣଙ୍କ ହାତରେ ଖଣ୍ଡେ ନରମ ସ୍ପଞ୍ଜ ଧରି ରାସ୍ତାରେ ପକାଇ ତାରି ଉପରେ ଶୋଇ ଶୋଇ ଅର୍ଥାତ୍ ଦଣ୍ଡ ମାରି ଯାଉଥାନ୍ତି ଆଗକୁ ଆଗକୁ l ଥରେ ସ୍ପଞ୍ଜ ଉପରେ ଶୋଇ ଦଣ୍ଡମାରି ଆଗକୁ ପଥରଟିଏ ଭୂଇଁରେ ରଖି ଦେଉଥାନ୍ତି ।

ପୁଣି ସ୍ପଞ୍ଜ ଉପରେ ଶୋଇ ଆଗକୁ ଆଗକୁ ବଢୁଥାନ୍ତି l ମୁହଁରେ କଳା ମଚମଚ ଦାଢ଼ି ସାଙ୍ଗକୁ ଟିକିଏ ହସ ଲାଖି ରହି ଥାଏ l ଦାଢ଼ି ସାଙ୍ଗକୁ ହସ ବେଶ ଖାପ ଖାଉଥାଏ l ଲାଗୁଥାଏ ତାଙ୍କୁ ଯେମିତି ଏ କାମରେ କିଛି କଷ୍ଟ ହେଉନି । ଏତେ କଷ୍ଟ ଯନ୍ତ୍ରଣାକୁ ତାଙ୍କର ଏଇ ହସ ଟିକକ ଫିକା କରି ଦେଉଥାଏ । ବ୍ୟକ୍ତି ଜଣଙ୍କ ଦଣ୍ଡ ମାରିବା ଭିତରେ ଅପରାହ୍ନ ଗଡି ପଶ୍ଚିମ ଆକାଶରେ ସୂର୍ଯ୍ୟ ଫିକା ପଡିଗଲେଣି ଆଉ ସଂଧ୍ୟା ଛୁଇଁବାକୁ ବସିଲାଣି l ତାପରେ ରାତି ଆଉ ତୁହାକୁ ତୁହା ବର୍ଷା ଓ କାଦୁଅ ରାସ୍ତା l ତେବେ ଏସବୁକୁ ଖାତିର ନକରି ବ୍ୟକ୍ତି ଜଣକ ସେମିତି ସ୍ପଞ୍ଜ ପକାଇ ଦଣ୍ଡ ମାରି ମାରି ଯାଉଥାନ୍ତି । ପଛରେ ଜଣେ ଲୋକ ସାଇକେଲ ଗୋଟିଏ ଗଡେଇ ଗଡେଇ ଆସୁଥାନ୍ତି l ସାଇକେଲର ଗୋଟିଏ ପାଖରେ ବାଲଟି ଓ ଆର ପାଖରେ କିଛି ଆସବାବପତ୍ର । ଆଗରେ ହ୍ୟାଣ୍ଡେଲରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ଓହଳି ଥାଏ l ପଛରେ ଆଉ ଗୋଟିଏ ସ୍ପଞ୍ଜ ରହିଥାଏ l

ଦଣ୍ଡ ମାରି ମାରି ରାଜ୍ୟର କେତେ ଅଞ୍ଚଳରୁ ଲୋକେ ପ୍ରଭୁ ଜଗନ୍ନାଥ କିମ୍ବା ଅନ୍ୟ ଦେବାଦେବୀଙ୍କ ନିକଟକୁ ଆସିଥିବାର ଆମେ ଦେଖିଛୁ ଓ ସେମାନଙ୍କ ମାନସିକ କଥା ଶୁଣିଛୁ । କିଏ ଦୁଇଦିନ ଅଥବା ପାଞ୍ଚ ଦିନ ଶହେ କି ଦୁଇଶହ କିଲୋମିଟର ଯାଇଥାନ୍ତି । କିନ୍ତୁ ଏ ବ୍ୟକ୍ତି ଜଣଙ୍କ ସହିତ କଥା ହେଲା ପରେ ଯାହା ଜାଣିବାକୁ ପାଇଲୁ ଆମ ହାତ ପାଦ ଥମିଗଲା ଭଳି ଲାଗିଲା l ଆପଣମାନଙ୍କୁ ମଧ୍ୟ ଚକିତ କରିବ ଏମିତି ଜଣେ ବ୍ୟକ୍ତିଙ୍କ ସାହସ ଆଉ ଶକ୍ତି ସାମର୍ଥ୍ୟ ଆଗରେ ଆପଣଙ୍କ ମଥା ନଇଁ ଯିବ l

ତାଙ୍କ ନାଁ ହେଉଛି ତରୁଣ କୁମାର ବେହେରା । ତେବେ ଘର ତାଙ୍କର ପଶ୍ଚିମବଙ୍ଗ ମେଦିନାପୁର ଅଂଚଳରେ l ଆଉ ଚକିତ କଲା ଭଳି କଥାଟି ହେଉଛି ତରୁଣ ନିଜ ଘର ପଶ୍ଚିମବଙ୍ଗରୁ ଠାରୁ ଦଣ୍ଡ ମାରି ମାରି ତାମିଲନାଡୁ ଯାଉଛନ୍ତି l ପଶ୍ଚିମବଙ୍ଗରୁ ତାମିଲନାଡୁ ପାଖାପାଖି ୧ହଜାର ୮ଶହ ୫୦ କିଲୋମିଟରରୁ ଊର୍ଦ୍ଧ୍ବ ହେବ । ଆଉ ସେହି ରାସ୍ତାକୁ ଦଣ୍ଡ ମାରି ମାରି ଅତିକ୍ରମ କରିବା ଏତେ ସହଜ କଥା ନୁହେଁ l ତଥାପି ପଶ୍ଚିମବଙ୍ଗରୁ ଆସି ପାଖାପାଖି ୪୦୦ କିଲୋମିଟର ଅତିକ୍ରମ କଲେଣି l ଆହୁରି ଅଛି ୧୪୫୦ କିଲୋମିଟର l ତରୁଣଙ୍କ ଲକ୍ଷ୍ୟ ସେ ଏମିତି ଦଣ୍ଡ ମାରି ତାମିଲନାଡୁ କୋଏମ୍ବାଟୁରରେ ଥିବା ଆଦିଯୋଗୀ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବେ ।

ଉଦ୍ଦେଶ୍ୟ ହେଉଛି ନିଜ ପରିବାର ତଥା ଜଗତ ମଙ୍ଗଳ କାମନା । ସେଥିପାଇଁ ତାଙ୍କର ଏହି ଦୁଃସାଧ୍ୟ ଓ ଦୁଃସାହସିକ ଯାତ୍ରା l ଦିନକୁ ୧୨ଘଣ୍ଟା ଦଣ୍ଡ ମାରି ରାସ୍ତା ଅତିକ୍ରମ କରନ୍ତି l ଏମିତି ମଣିଷକୁ ହୁଏତ ଆପଣ ପାଗଳ ବୋଲି କହି ପାରନ୍ତି ହେଲେ ବର୍ତ୍ତମାନ ବି ସମାଜରେ ଏଭଳି ଲୋକ ଅଛନ୍ତି ଯିଏ କି ଜଗତର ମଙ୍ଗଳ ପାଇଁ ଏଭଳି କଷ୍ଟସାଧ୍ୟ କାମ କରି ପାରନ୍ତି ।

୧୯୫୦ କିଲୋମିଟର ରାସ୍ତାକୁ ସେ ଏଭଳି ଦଣ୍ଡ ମାରି ଯିବାର ସାହସ ବାନ୍ଧିଛନ୍ତି । ତେବେ ଆମେ ବି ସେହି ଶିବଶମ୍ଭୁଙ୍କ ପାଖରେ ପ୍ରାର୍ଥନା କରୁଛୁ କି ତରୁଣଙ୍କର ଏହି ଯାତ୍ରା ସଫଳ ହେଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button