କ୍ରୀଡା

ସୁପର୍ ୪ରେ ଭାରତ: ନେପାଳ ୧୦ ୱିକେଟ୍‌ରେ ପରାସ୍ତ – Utkal Mail


ପାଲେକେଲ୍‌: ବର୍ଷାବାଧାପ୍ରାପ୍ତ ମ୍ୟାଚ୍‌ରେ ନବାଗତ ନେପାଳକୁ ସହଜରେ ହରାଇ ଭାରତ ଏସିଆ କପ୍‌ରେ ଗ୍ରୁପ୍‌ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି। ତଥାପି ଭାରତୀୟ ଦଳ ‌ପ୍ରଥମରୁ ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ସମାଲୋଚିତ ହୋଇଛି। ଈଶାନ କିଶନ, ଶ୍ରେୟସ ଆୟର ଓ ବିରାଟ କୋହଲି ସହଜ କ୍ୟାଚ୍‌କୁ ହାତଛଡ଼ା କରିବା ପ୍ରଥମାର୍ଦ୍ଧର ଚର୍ଚ୍ଚିତ ବିଷୟ ଥିଲା। ମ୍ୟାଚ୍‌ରେ ନେପାଳ ପକ୍ଷରୁ ଧାର୍ଯ୍ୟ ୨୩୧ ରନ୍‌କୁ ପିଛା କରି ରୋହିତ ରକ୍ଷଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଗିଲ୍‌ ଆକ୍ରମଣାତ୍ମକ ଖେଳିଥିଲେ। ୨.୧ ଓଭର ବେଳକୁ ଦଳ ୧୭ ରନ୍‌ରେ ପହଞ୍ଚିଥିବା ସମୟରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍‌ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା। ଡିଏଲ୍‌ଏସ୍‌ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍‌ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରୋହିତ (୫୯ ବଲ୍‌ରୁ ୭୪* ରନ୍‌) ଓ ଶୁବମନ ଗିଲ୍‌ (୬୨ ବଲ୍‌ରୁ ୬୭* ରନ୍‌)ଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ୧୭ ବଲ୍‌ ବଳକା ଥାଇ ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା।

ଏଥିପୂର୍ବରୁ ଭାରତ ଟସ୍‌ ଜିତି ନେପାଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଥର ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତକୁ ସାମ୍ନା କରୁଥିଲେ ମଧ୍ୟ ଦୁଇ ପ୍ରାରମ୍ଭିକ ବ୍ୟାଟର କୁଶାଲ ଭୁର୍ତେଲ ଓ ଆସିଫ୍‌ ଶେଖ ଅର୍ଦ୍ଧଶତକୀୟ ଭାଗୀଦାରି (୬୫) କରିଥିଲେ। ଦଶମ ଓଭରରେ ଭୁର୍ତେଲ୍‌ଙ୍କୁ ଆଉଟ୍‌ କରି ଶାର୍ଦ୍ଦୁଳ ଠାକୁର ଯୋଡ଼ି ଭାଙ୍ଗିବା ପରେ ରବୀନ୍ଦ୍ର ଜାଦେଜା ନେପାଳର ବିପର୍ଯ୍ୟୟ ଘଟାଇଥିଲେ। ଜାଦେଜା ୩୬ ରନ୍‌ ମଧ୍ୟରେ ଭିମ୍‌ ସାରକି, ରୋହିତ ପୌଡେଲ୍‌ ଓ କୁଶାଲ ମଲ୍ଲଙ୍କୁ ଆଉଟ୍‌ କରିଥିଲେ। ପ୍ରଥମ ନେପାଳି ଖେଳାଳି ଭାବେ ଭାରତ ବିପକ୍ଷରେ ଅର୍ଦ୍ଧଶତକ କରିଥିବା ଆସିଫ୍‌ଙ୍କୁ ସିରାଜ ଆଉଟ୍‌ କରି ୧୩୨ ରନ୍‌ ମଧ୍ୟରେ ଅଧା ଖେଳାଳିଙ୍କୁ ପାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ତଥାପି ଦୀପେନ୍ଦ୍ର ସିଂହ ଆଇରି ଓ ସୋମପାଲ୍‌ କାମି ସପ୍ତମ ୱିକେଟ୍‌ରେ ୫୦ ରନ୍‌ର ଭାଗୀଦାରି କରି ଦଳକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଥିଲେ। ସୋମପାଲ୍‌ ଦ୍ରୁତ ରନ୍‌ ସଂଗ୍ରହ କରି ଅର୍ଦ୍ଧଶତକଠୁ ୨ ରନ୍‌ ଦୂରରେ ଥାଇ ଆଉଟ୍‌ ହେବାରୁ ଦଳ ୨୩୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button