ଦେଶ ବିଦେଶ

ସାଂସଦ ମହମ୍ମଦ ଲୋନଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଲେ ସୁପ୍ରିମ୍‌କୋର୍ଟ – Utkal Mail


‘ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଗ୍ରହଣ କର’

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନଗୁଡ଼ିକର ଶୁଣାଣି ୧୫ଶ ଦିବସରେ ପହଞ୍ଚିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସମ୍ବିଧାନପୀଠ ସୋମବାର ନ୍ୟାସନାଲ କନଫରେନ୍ସ ସାଂସଦ ମହମ୍ମଦ ଆକବର ଲୋନଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଏହି ସତ୍ୟପାଠରେ ସେ ଉଲ୍ଲେଖ କରିବେ ଯେ, ସେ ଭାରତୀୟ ସମ୍ବିଧାନ ପ୍ରତି ଅନୁଗତ ଏବଂ ଜମ୍ମୁ-କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ଲୋନ ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ ଏବଂ ସେଥିପାଇଁ ସେ କ୍ଷମା ମାଗିବା ଉଚିତ ବୋଲି କେନ୍ଦ୍ର ସରକାର କହିବା ପରେ ସୁପ୍ରିମ୍‌କୋର୍ଟ ୩୭୦ ଧାରା ଉଚ୍ଛେଦ ବିରୋଧୀ ଅନ୍ୟତମ ପିଟିସନର ଲୋନଙ୍କୁ ଏହି ଆଦେଶ ଦେଇଛନ୍ତି। ଲୋନ ଏହି ସତ୍ୟପାଠ ମଙ୍ଗଳବାର ସୁଦ୍ଧା ଦାଖଲ କରିବେ ବୋଲି ତାଙ୍କ ଓକିଲ କପିଲ ସିବଲ କହିଥିଲେ।

କୋର୍ଟଙ୍କ ଆଦେଶ ଅନୁଯାୟୀ ସତ୍ୟପାଠ ଦାଖଲ ନ କଲେ ସେ ତାଙ୍କ ତରଫରୁ ମାମଲା ଲଢ଼ିବେ ନାହିଁ ବୋଲି କହିଥିଲେ। ସେ କହିଥିଲେ ଯେ, ଲୋନ ହେଉଛନ୍ତି ଲୋକସଭାର ଜଣେ ସାଂସଦ। ସେ ଭାରତର ଜଣେ ନାଗରିକ ଏବଂ ଭାରତର ସମ୍ବିଧାନ ଅନୁଯାୟୀ ସାଂସଦ ଭାବେ ସେ ଶପଥପାଠ କରିଛନ୍ତି। ସେ ଭାରତର ସାର୍ବଭୌମତ୍ବକୁ ଗ୍ରହଣ କରୁଛନ୍ତି। ଏହା ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ପାକିସ୍ତାନ ସପକ୍ଷବାଦୀ ସ୍ଲୋଗାନ ପାଇଁ ଲୋନ କ୍ଷମା ମାଗିବା ଏବଂ ସେ ଭାରତର ସମ୍ବିଧାନକୁ ମାନନ୍ତି, ଜମ୍ମୁ-କାଶ୍ମୀର ଭାରତର ବୋଲି ସ୍ବୀକାର କରନ୍ତି ଏବଂ ଆତଙ୍କବାଦକୁ ବିରୋଧ କରନ୍ତି ବୋଲି ସତ୍ୟପାଠ ଦାଖଲ କରିବା ଉଚିତ। ତା’ ପୂର୍ବରୁ କାଶ୍ମୀରୀ ପଣ୍ଡିତଙ୍କ ସଂଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିମଲ ଜାଦ କହିଥିଲେ, ଲୋନଙ୍କ ଭଳି ପିଟିସନରମାନଙ୍କୁ ଏହି ମାମଲାର ଅଂଶ ହେବା ଲାଗି ଅନୁମତି ଦିଆଯିବା ଉଚିତ ନୁହେଁ। ସେ କହିଥିଲେ, ଲୋନ ଜଣେ ଏମ୍‌ପି, କିନ୍ତୁ ସେ ବିଧାନସଭାରେ ଓ ଅନ୍ୟ ସ୍ଥାନରେ ପାକିସ୍ତାନ ସପକ୍ଷବାଦୀ ସ୍ଲୋଗାନ ଦେଉଛନ୍ତି। ବରିଷ୍ଠ ଆଇନଜୀବୀ ଭି ଗିରି ମଧ୍ୟ କହିଥିଲେ ଯେ, ଲୋନ ତାଙ୍କର ଅତୀତର ବିବୃତି ପାଇଁ କ୍ଷମା ମାଗିବା ପରେ ହିଁ କୋର୍ଟ ତାଙ୍କୁ ଶୁଣାଣିର ଅଂଶ କରିବା ଉଚିତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button