ଦେଶ ବିଦେଶ

‘ସନାତନ ଧର୍ମ’ ଟିପ୍ପଣୀକୁ ନେଇ ବିବାଦ ତେଜିଲା: ବିରୋଧୀଙ୍କ ଉପ‌ରେ ବର୍ଷିଲା ବିଜେପି – Utkal Mail


ଯେକୌଣସି କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପ୍ରସ୍ତୁତ: ଉଦୟନିଧି

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡ଼ୁର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ ସନାତନ ଧର୍ମ’ ଟିପ୍ପଣୀକୁ ନେଇ ଜୋରଦାର ବିବାଦ ହୋଇଛି। ଉଦୟନିଧି ଷ୍ଟାଲିନଙ୍କ ଟିପ୍ପଣୀ ପାଇଁ ବିଜେପି ବିରୋଧୀ କଂଗ୍ରେସ, ଡିଏମ୍‌କେ ଏବଂ ଇଣ୍ଡିଆ ମେଣ୍ଟର ଅନ୍ୟ ସଦସ୍ୟଙ୍କୁ ଟାର୍ଗେଟ୍‌ କରିଛି। କିନ୍ତୁ ଏତେ ବିବାଦ ହେବାପରେ ବି ଉଦୟନିଧି ତାଙ୍କ ଟିପ୍ପଣୀରୁ ଓହରିନାହାନ୍ତି। ଉଦୟନିଧି କହିଛନ୍ତି, ସେ କିଛି ଭୁଲ୍‌ କହିନାହାନ୍ତି ଏବଂ ବାରମ୍ବାର ସେ ତାଙ୍କର ସେହି ସମାନ ଟିପ୍ପଣୀ ଦୋହରାଇବେ।

ଉଦୟନିଧି କହିଛନ୍ତି, ସେମାନେ ମୋ ବିରୋଧରେ ଯେଉଁ ମାମଲା ରୁଜୁ କରିବେ କରନ୍ତୁ। ମୁଁ ସବୁକିଛି ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ବିଜେପି ଇଣ୍ଡିଆ ମେଣ୍ଟକୁ ଭୟ କରିଯାଉଛି। ଏଥିପାଇଁ ‌‌ ସେମାନେ ଏଭଳି ଟିପ୍ପଣୀ ଦେଉଛନ୍ତି। ଉଦୟନିଧି କହିଛନ୍ତି, ସେ କେବଳ ସନାତନ ଧର୍ମକୁ ସମାଲୋଚନା କରିଛନ୍ତି। କିନ୍ତୁ ବିଜେପି ତାଙ୍କ ଟିପ୍ପଣୀକୁ କଦର୍ଥ କରି ମିଥ୍ୟା ଖବର ପ୍ରସାର କରୁଛି। ମୁଁ ପୁଣିଥରେ ଏହ‌ା କହୁଛି ଯେ ମୁଁ କେବଳ ସନାତନ ଧର୍ମକୁ ସମାଲୋଚନା କରିଛି ଏବଂ ସନାତନ ଧର୍ମ ବିଲୋପ ହେବା ଉଚିତ। ଏହା ମୁଁ ବାରମ୍ବାର କହିବି। କିନ୍ତୁ କିଛି ଲୋକ ଅତ୍ୟନ୍ତ ପିଲାଳିଆମି ଢଙ୍ଗରେ କହୁଛନ୍ତି ଯେ ମୁଁ ଗଣହତ୍ୟା କଥା କହିଛି। ଅନ୍ୟକିଛି କହୁଛନ୍ତି ଦ୍ରାବିଡ଼ ଉଚ୍ଛେଦ ହେବା ଉଚିତ। ଏହାର ଅର୍ଥ କ’ଣ ଡିଏମ୍‌କେ ଦଳର ଲୋକଙ୍କୁ ହତ୍ୟା କରାଯିବା ଉଚିତ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ‘କଂଗ୍ରେସ ମୁକ୍ତ ଭାରତ’ କଥା କହିଥିଲେ ତାହାର ଅର୍ଥ କ’ଣ ଥିଲା କି କଂଗ୍ରେସର ଲୋକମାନଙ୍କୁ ହତ୍ୟା କରାଯିବା ଉଚିତ।

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଟିପ୍ପଣୀ ପାଇଁ ବିଜେପି ନେତାମାନେ ବିରୋଧୀ ଇଣ୍ଡିଆ ମେଣ୍ଟ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଇଣ୍ଡିଆ ମେଣ୍ଟ ହିନ୍ଦୁ ବିରୋଧୀ ବୋଲି ବିଜେପି ନେତାମାନେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଇଣ୍ଡିଆ ମେଣ୍ଟର ଏକ ଅଂଶ ଡିଏମ୍‌କେ ସନାତନ ଧର୍ମକୁ ଆଘାତ ଦେଇଛି। ସେ ମଧ୍ୟ ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅଶୋକ ଗେହଲଟଙ୍କ ପରି କଂଗ୍ରେସ ନେତାମାନଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସନାତନ ଧର୍ମକୁ ଅସମ୍ମାନ କରିଥିବାରୁ ଇଣ୍ଡିଆ ମେଣ୍ଟ ସଦସ୍ୟମାନେ କ୍ଷମା ମାଗିବା ଉଚିତ ବୋଲି ରାଜନାଥ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ତାଙ୍କ ଟିପ୍ପଣୀକୁ ବାରମ୍ବାର ଦୋହରାଇଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ। ରବି ଶଙ୍କର କହିଛନ୍ତି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ, ନୀତୀଶ କୁମାର , ମମତା ବାନାର୍ଜୀଙ୍କ ଭଳି ବିରୋଧୀ ନେତାମାନେ ଚୁପ୍‌ କାହିଁକି ରହିଛନ୍ତି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଧ୍ୟ ଉକ୍ତ ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ମେଘୱାଲ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଯେ ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକରେ କ’ଣ ସନାତନ ଧର୍ମ ବିରୋଧରେ ଏଜେଣ୍ଡା ଚୂଡ଼ାନ୍ତ ହୋଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଧ୍ୟ କହିଛନ୍ତି, ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକରେ ସନାତନ ଧର୍ମ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button