ବ୍ୟବସାୟ

ବର୍ଣ୍ଣଷ୍ଟିନ୍‌ ରିପୋର୍ଟ: ଚୀନ୍‌ଠୁ ଭାରତ ୧୬.୫ ବର୍ଷ ପଛୁଆ – Utkal Mail


ନୂଆଦିଲ୍ଲୀ, ୪/୯: ବିଭିନ୍ନ ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍‌ଠାରୁ ଭାରତ ୧୬.୫ ବର୍ଷ ପଛୁଆ ଥିବା ବର୍ଣ୍ଣଷ୍ଟିନ୍‌ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି। ପେଟେଣ୍ଟ୍‌, ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ), ବୈଦେଶିକ ମୁଦ୍ରା ଭଣ୍ଡାର, ମୋଟ ଘରୋଇ ଉତ୍ପାଦ ଓ ରପ୍ତାନି ଭଳି କେତେକ ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡକୁ ଆଧାର କରି ବର୍ଣ୍ଣଷ୍ଟିନ୍ ପକ୍ଷରୁ ଭାରତ ଓ ଚୀନ୍ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି। ପେଟେଣ୍ଟ୍‌ରେ ଚୀନ୍‌ଠାରୁ ଭାରତ ୨୧ ବର୍ଷ ପଛୁଆ ଥିବା ବେଳେ ଏଫ୍‌ଡିଆଇରେ ୨୦ ବର୍ଷ, ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୯ ବର୍ଷ ଏବଂ ରପ୍ତାନିରେ ୧୭ ବର୍ଷ ପଛୁଆ ରହିଛି। ଜିଡିପି ଓ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଚୀନ୍‌ଠାରୁ ଭାରତ ୧୫ ବର୍ଷ ପଛୁଆ ଥିବା ବେଳେ ଉପଯୋଗିତା ବ୍ୟୟରେ ୧୩ ବର୍ଷ ଏବଂ ମୋଟ ସ୍ଥାୟୀ ପୁଞ୍ଜି ସୃଷ୍ଟିରେ ୧୬ ବର୍ଷ ପଛୁଆ ରହିଛି। ଚୀନ୍ ସହ ସମକକ୍ଷ ହେବା ଲାଗି ଭାରତକୁ ବହୁ ଦୂର ଯାତ୍ରା କରିବାର ଅଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


ଭାରତୀୟ ରିଜର୍ଭ ବ୍ୟାଙ୍କ, ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ, ଭାରତର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ, ବିଶ୍ବବ୍ୟାଙ୍କ ଓ ବିଶ୍ବ ବୌଦ୍ଧିକ ସମ୍ପତ୍ତି ସଂଗଠନ ଭଳି ସଂସ୍ଥାର ତଥ୍ୟ ଆଧାରରେ ଏହି ରିପୋର୍ଟକୁ ତିଆରି କରାଯାଇଛି। ରିପୋର୍ଟ ଅନୁସାରେ ଦଶନ୍ଧି ପୂର୍ବେ ବିଶ୍ବର ବିତ୍ତଶାଳୀ ରାଷ୍ଟ୍ର ତାଲିକାର ୧୧ତମ ସ୍ଥାନରେ ଥିବା ଭାରତ ଏବେ ପଞ୍ଚମ ସ୍ଥାନରେ ପହଞ୍ଚିଛି। ଗତବର୍ଷ ପଞ୍ଚମ ସ୍ଥାନରୁ ବ୍ରିଟେନ୍‌କୁ ଭାରତ ପଦଚ୍ୟୁତ କରିଥିଲା। ଭାରତର ଜିଡିପି ପରିମାଣ ୩.୫୩ ଲକ୍ଷ କୋଟି ଡଲାର ଥିବା ବେଳେ ବ୍ରିଟେନ୍ ତା’ ପଛକୁ ୩.୩୮ ଲକ୍ଷ କୋଟି ଡଲାର ସହ ଷଷ୍ଠ ସ୍ଥାନରେ ରହିଛି। ୨୦୩୦ ସୁଦ୍ଧା ଏକ ୧୦ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ଭାରତ ଅଭିଳାଷ ରଖିଛି। ଚୀନ୍‌ର ଅଭିବୃଦ୍ଧି ହ୍ରାସ ପାଇଥିବାରୁ ଦ୍ରୁତ ଗତିରେ ଆଗକୁ ଦୌଡ଼ି ଦୁଇ ଦେଶ ଭିତରେ ଥିବା ଅନ୍ତର ଦୂର କରିବା ଲାଗି ଭାରତ ପାଖରେ ସୁଯୋଗ ରହିଛି। ଆମେରିକା ଓ ଚୀନ୍ ମଧ୍ୟରେ ରହିଥିବା ଉତ୍ତେଜନା ମଧ୍ୟ ଭାରତ ପାଇଁ ଭିନ୍ନ ପ୍ରକାର ସୁଯୋଗ ସୃଷ୍ଟି କରିଛି। ଭାରତରେ ପାଖରେ ଯୁବ ଶ୍ରମ ଶକ୍ତି ଥିବା ବେଳେ ଚୀନ୍‌ଠାରୁ କମ୍ ଦାମ୍‌ରେ ସେମାନେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ଚୀନ୍‌ରେ କର୍ମଚାରୀ ପିଛା ଉତ୍ପାଦକତା ଭାରତଠାରୁ ଅଧିକ ରହିଛି। ବହୁ ପ୍ରକାର ସାମଗ୍ରୀକୁ ବିପୁଳ ମାତ୍ରାରେ ଉତ୍ପାଦନ କରିବା କାରଣରୁ ଚୀନ୍ ବିଶ୍ବର ମାନୁଫାକ୍‌ଚରିଂ ହବ୍‌ ହୋଇପାରିଛି। ଅଧିକ ଉତ୍ପାଦନ କରୁଥିବାରୁ ଏହା କମ୍ ଦାମ୍‌ରେ ସେଗୁଡ଼ିକୁ ବିକ୍ରି କରିପାରୁଛି। ଦାମ୍‌ କମ୍ ରହୁଥିବାରୁ ବିଶ୍ବ ବଜାର ଉପରେ ଚୀନ୍‌ର ଆଧିପତ୍ୟ ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button