ନୀତି

ଗୁରୁଦିବସ ଉପଲକ୍ଷେ : ପରିବାରରେ ମହିଳା ଗୁରୁ – Utkal Mail


ମାତା ପାର୍ବତୀ ଜ୍ଞାନର ଭଣ୍ଡାର। ସେ ମହାଦେବଙ୍କର ଅନ୍ୟତମ ଗୁରୁ। ଏ କଥା ଶିବ ପୁରାଣରେ ବର୍ଣ୍ଣିତ ହୋଇଛି। ମାତା ପ୍ରଭୁ ଶିବଙ୍କୁ ଜ୍ଞାନର ବିଭିନ୍ନ ରୂପ ସହ ସଂଗୀତ, ନୃତ୍ୟ ଓ ଧ୍ୟାନ ସଂପର୍କରେ ଶିକ୍ଷା ଦେଇଛନ୍ତି। ଆଶୁତୋଷ ମଧ୍ୟ ପତ୍ନୀଙ୍କ ଶିକ୍ଷାକୁ ଗ୍ରହଣ କରିଛନ୍ତି। ହେଲେ ଆମ ପରିବାରରେ ଏକଥା ସମ୍ଭବ କି? ଜଣେ ମହିଳା ଉଚ୍ଚଶିକ୍ଷିତା ଏବଂ ନିଜ କର୍ମମୟ ଜୀବନରେ ବେଶ୍ ସଫଳ ଓ ଦକ୍ଷ। ସମାଜ ପାଇଁ ସେ ପ୍ରେରଣା ତଥା ଶିକ୍ଷକ ତୁଲ୍ୟ। ହେଲେ ସଂପୃକ୍ତ ମହିଳାଙ୍କୁ ତାଙ୍କ ପରିବାରର ସଦସ୍ୟମାନେ ଶିକ୍ଷକ ଭାବେ ଗ୍ରହଣ କରନ୍ତି କି? ସ୍ବାମୀ ପତ୍ନୀଙ୍କଠାରୁ କିଛି ଶିଖନ୍ତି କି? ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୭୦.୩ ପ୍ରତିଶତ ଶିକ୍ଷିତ ମହିଳା ଅଛନ୍ତି। ସେହିପରି ଓଡ଼ିଶାରେ ଶିକ୍ଷିତ ମହିଳାଙ୍କ ସଂଖ୍ୟା ପ୍ରାୟ ୭୦ ପ୍ରତିଶତ। କେରଳରେ ଦେଶର ସର୍ବାଧିକ ପ୍ରାୟ ୯୫.୨ ପ୍ରତିଶତ ଶିକ୍ଷିତ ମହିଳା ଥିବାବେଳେ ରାଜସ୍ଥାନରେ ସର୍ବନିମ୍ନ ପ୍ରାୟ ୫୭.୬ ପ୍ରତିଶତ ଶିକ୍ଷିତ ମହିଳା ଅଛନ୍ତି। ସେହିପରି ଶିକ୍ଷିତ ମହିଳାଙ୍କ ମଧ୍ୟରୁ ପ୍ରାୟ ୩୫ ପ୍ରତିଶତ ମହିଳା କର୍ମଜୀବୀ।

ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ବେଶ୍ ଦକ୍ଷ ଓ ପାରଙ୍ଗମ। ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସମାନେ ପ୍ରେରଣା ଓ ଶିକ୍ଷା ଦିଅନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ସଂପୃକ୍ତ ମହିଳାମାନଙ୍କୁ ସ୍ବାମୀମାନେ ଏବଂ ପରିବାରର ସଦସ୍ୟମାନେ ସେହିପରି ବ୍ୟବହାର ପ୍ରଦର୍ଶନ କରନ୍ତି କି? ସେମାନଙ୍କଠାରୁ କିଛି ଶିକ୍ଷା ନିଅନ୍ତି କି? ବ୍ୟବହାରିକ, ଶିକ୍ଷାଗତ, ସାମାଜିକ, ପାରିବାରିକ, ସାଂସ୍କୃତିକ, ପାରମ୍ପରିକ, ଅର୍ଥନୈତିକ କ୍ଷେତ୍ରରେ ଅର୍ଜିଥିବା ଦକ୍ଷତାରେ ପ୍ରଭାବିତ ହୁଅନ୍ତି କି? ସର୍ବୋପରି ସେମାନଙ୍କୁ ପରିବାରରେ ଉଚିତ ସମ୍ମାନ ମିଳେ କି? ତେେବ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜିବା ଓ ପାଇବା ହୁଏତ କାଠିକର ପାଠ। ଓଡ଼ିଶାର ସାମାଜିକ ସଂଗଠନ ‘ଜିଏମ୍ଏସ୍‌ପି’ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ, ୭୨% ଲୋକ ଏହା ଉପରେ ସପକ୍ଷ ମତ ରଖିଥିବା ବେଳେ ୨୮% ଲୋକ ବିପକ୍ଷ ମତ ରଖିଛନ୍ତି। ସର୍ଭେରେ ଯେଉଁ ଚିତ୍ର ସାମ୍ନାକୁ ଆସିଲା, ତାହା ସନ୍ତୋଷଜନକ ନିଶ୍ଚୟ। ହେଲେ ବିପକ୍ଷବାଦୀଙ୍କ ବିଚାରକୁ ତର୍ଜମା କଲେ ପରିବାର ଭିତରେ ଶିକ୍ଷିତ ଓ କର୍ମଜୀବୀ ମହିଳାଙ୍କ ସ୍ଥିତି ସ୍ବାଧୀନତାର ୭୬ ବର୍ଷ ପରେ ବି ଉଦ୍‌ବେଗଜନକ, ତାହା ପରୋକ୍ଷରେ ପ୍ରମାଣିତ ହୋଇଯାଉଛି। ତେବେ ପ୍ରଶ୍ନ; ଏହା ପଛରେ କାରଣ କ’ଣ? ଉତ୍ତର ଏଇୟା ହୋଇପାରେ, ଏବେ ସୁଦ୍ଧା ଆମ ପରିବାର ପୁରୁଷକୈନ୍ଦ୍ରିକ ମାନସିକତାରେ କବଳିତ। ଏମିତି ଏକ ଅଦୃଶ୍ୟ ଜାଲରୁ ଶିକ୍ଷିତ ଓ କର୍ମଜୀବୀ ମହିଳାମାନେ ମୁକୁଳିବା ଆମ ସାମାଜିକ ବ୍ୟବସ୍ଥା ପ୍ରତି ବଡ଼ ଆହ୍ବାନ। ମହାଦେବ ଯେମିତି ମାତା ପାର୍ବତୀଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିଲେ; କେବଳ ସ୍ବାମୀମାନେ ନୁହଁ, ସମସ୍ତ ସଦସ୍ୟ ପରିବାରର ମହିଳାମାନଙ୍କୁ ଗୁରୁ ଆସନରେ ରଖନ୍ତୁ ଏବଂ ସେମାନଙ୍କଠାରୁ ଶିକ୍ଷା ଅର୍ଜନ କରନ୍ତୁ। ଜଣେ ମହିଳା ଅବା ମାଆ ଯେ ପ୍ରତିଟି ମଣିଷର ଆଦ୍ୟଗୁରୁ; ଏ ବୀଜମନ୍ତ୍ରକୁ ହେୟଜ୍ଞାନ କରିବା ଉଚିତ ନୁହେଁ। କାରଣ ଏହାକୁ ଛାଡ଼ି ଅସ୍ତିତ୍ବ ଓ ସୁସ୍ଥ ସମାଜ ସର୍ଜନା କଥା ଚିନ୍ତା କରାଯାଇ ନପାରେ।

-ରୁଦ୍ରରଂଜନ ଶେଜପଡ଼ା




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button