ପୂର୍ଣ୍ଣିମା ଫାଉଣ୍ଡେସନ ପକ୍ଷରୁ ଯନ୍ତ୍ରୀ ଦିବସ ଅନୁଷ୍ଠିତ
କଟକ, ୧୫/୯ : ଇଂଜିନିୟର ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ୧୬୨ତମ ଜୟନ୍ତୀ ତଥା ଜାତୀୟ ଯନ୍ତ୍ରୀ ଦିବସ-୨୦୨୨କୁ ପୂର୍ଣ୍ଣିମା ଫାଉଣ୍ଡେସନ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କଟକ ଯୋବ୍ରାସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ଠାରେ ପୂର୍ଣିମା ଫାଉଣ୍ଡେସନର ସଂପାଦକ ଇଂ ଆଲୋକ ଭୂୟାଁଙ୍କ ସଭାପତିତ୍ୱରେ ଏହି ଉତ୍ସବ ପାଳନ କରାଯାଇ ବିଶିଷ୍ଟ ଇଂଜିନିୟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିରୁପମା ପତି ଅତିଥିମାନଙ୍କୁ ସ୍ୱାଗତ ଜଣାଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦଘାଟକ ଓଡିଶା ଷ୍ଟାଫ୍ ସିଲେକସନ କମିଶନର ପୂର୍ବତନ ଅଧ୍ୟକ୍ଷ ତଥା କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଉଦଘାଟକଭାବେ ଯୋଗଦେଇ ଇଂଜିନିୟରମାନଙ୍କ ସମାଜପ୍ରତି ଥିବା ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ଓଏସ୍ଜେଏସ୍ ଅଧ୍ୟକ୍ଷ ତଥା ଜିଲ୍ଲା ଉପଭୋକ୍ତା ବିବାଦର ସମାଧାନ କମିଶନ୍ ଦେବାଶିଷ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଇଂଜିନିୟରମାନଙ୍କ ଭୂମିକା ସଂପର୍କରେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ତଥା ପ୍ରାକ୍ତନ ପୂର୍ତ୍ତ ବିଭାଗ ସଚିବ ଇଂ ଗୋପାଳ କୃଷ୍ଣ ବେହେରା ନିଜର ଅଭିଭାଷଣ ପ୍ରଦାନ କରି ଯନ୍ତ୍ରୀମାନଙ୍କ କୃତିତ୍ୱ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ତଥା ଦୈନିକ ‘ପ୍ରମେୟ’ ଖବରକାଗଜର ସହକାରୀ ମହାପ୍ରବନ୍ଧକ ତଥା ଲୋକପ୍ରିୟ ପୁସ୍ତକ ‘ଭାରି ମନେପଡେ’ର ରଚୟିତା ମାନସ ପଣ୍ଡା ଯନ୍ତ୍ରୀମାନଙ୍କ ଅବଦାନ ସଦା ସର୍ବଦା ଅତୁଳନୀୟ ଓ ପ୍ରଶାଂସାଯୋଗ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ରଥ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଇଂ ଆକାଶ ଭୂୟାଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ଫାଉଣ୍ଡେସନର ସଭାପତି ଇଂ ପ୍ରମୋଦ କୁମାର ନାୟକ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ପରେ ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ସରୋଜ କୁମାର ନାୟକ, ଜଳସଂପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ରାଜେଶ ଚନ୍ଦ୍ର ମହାନ୍ତି, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିନୟ କୁମାର ସାହୁ, ସମାଜସେବୀ ତଥା ୪୭ନଂ ୱାର୍ଡ କର୍ପୋରେଟର୍ ଇଂ ସୁବ୍ରତ ଘଡାଇଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଆଦର୍ଶ ଯନ୍ତ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।
୫