ଆଖି ରଙ୍ଗ ବଦଳାଇବାର ଅଭିନବ ପ୍ରକ୍ରିୟା – Utkal Mail
ସାଧାରଣତଃ ଆଖି ଡୋଳାର ରଙ୍ଗ ହିଁ ଆଖିର ରଙ୍ଗ ନିରୂପଣ କରିଥାଏ। ତଦନୁଯାୟୀ, ପ୍ରାକୃତିକ ଭାବେ କାହାର ଆଖି ଗାଢ଼ କଳା ରଙ୍ଗର ତ କାହାର ନୀଳ ରଙ୍ଗର ତ କାହାର ପୁଣି ଧୂସରିଆ। ଆଜିକାଲି କୃତ୍ରିମ ଉପାୟରେ ଆଖିରେ ରଙ୍ଗିନ କଣ୍ଟାକ୍ଟ ଲେନ୍ସ ଲଗାଇ କିମ୍ବା ଚକ୍ଷୁପଟଳ ପ୍ରତିରୋପଣ କରି ଅଥବା ଲେଜର ଅସ୍ତ୍ରୋପଚାର କରି ଆଖିର ରଙ୍ଗ ବଦଳାଇବା ସମ୍ଭବ ହୋଇପାରୁଛି। ମାତ୍ର ସେଭଳି ପ୍ରକ୍ରିୟାରେ ବିପଦର ଆଶଙ୍କା ରହିଥାଏ। ଏବେ ବିକଶିତ ହୋଇଥିବା ‘କେରାଟୋପିଗ୍ମେଣ୍ଟେସନ୍’ ନାମକ ଏକ ନୂତନ ପଦ୍ଧତିରେ ଆଖିର ରଙ୍ଗକୁ ସ୍ଥାୟୀ ଭାବରେ ଏବଂ ନିଜ ଇଚ୍ଛା ମୁତାବକ ବଦଳାଇ ହେବ। ସାଧାରଣତଃ ଜଣଙ୍କର ଆଖିର ରଙ୍ଗ ହେଉଛି ଏକପ୍ରକାର ଆନୁବଂଶିକ ଉପଲବ୍ଧି। ଆଖିପଟଳରେ ବିଛାଇ ହୋଇ ରହିଥିବା ମେଲାନିନ୍ ନାମକ ରାସାୟନିକ ପଦାର୍ଥ ଉପରେ ହିଁ ଆଖିର ରଙ୍ଗ ନିର୍ଭର କରିଥାଏ।
କେରାଟୋପିଗ୍ମେଣ୍ଟେସନ୍ ପ୍ରକ୍ରିୟାରେ ଜଣଙ୍କର ଆଖି ଡୋଳାରେ ଲେଜର ମାଧ୍ୟମରେ ଏକ ସୂକ୍ଷ୍ମ ରନ୍ଧ୍ର କରାଯାଇଥାଏ। ତାହା ମାଧ୍ୟମରେ ନିର୍ଦ୍ଦିଷ୍ଟ ରଙ୍ଗର ତରଳ ପଦାର୍ଥ ଛଡ଼ାଯାଇ ଚକ୍ଷୁପଟଳର ରଙ୍ଗକୁ ବଦଳାଇ ଦିଆଯାଇଥାଏ। ଆଖି ରଙ୍ଗ ବଦଳାଇବା ଲାଗି ଆଗରୁ ଉପଲବ୍ଧ ଅନ୍ୟାନ୍ୟ ଜଟିଳ ପଦ୍ଧତି ତୁଳନାରେ କେରାଟୋପିଗ୍ମେଣ୍ଟେସନ୍ ପ୍ରକ୍ରିୟାରେ କେବଳ ଆଖିର ପୃଷ୍ଠତଳ ପ୍ରଭାବିତ ହେଉଥିବାରୁ ଅତ୍ୟଧିକ ରକ୍ତସ୍ରାବ, ସଂକ୍ରମଣ କି ରେଟିନା ଖସିଯିବା ପରି ପରିସ୍ଥିତି ଉପୁଜିନଥାଏ। ଏଥିରେ ଉଭୟ ଆଖିକୁ ରଙ୍ଗିନ କରିବା ଲାଗି ମାତ୍ର ୩୦ରୁ ୪୫ ମିନିଟ୍ ସମୟ ଲାଗୁଛି ଏବଂ ପ୍ରକ୍ରିୟାଟି ସଂପୂର୍ଣ୍ଣ କଷ୍ଟହୀନ। ଏହି ପଦ୍ଧତିର ଆଉ ଏକ ବିଶେଷ ଗୁଣ ହେଲା, କେହି ଯଦି ଆଖିକୁ ପସନ୍ଦ ମୁତାବକ ରଙ୍ଗିନ କରିବାର କିଛି ଦିନ ପରେ ତାହା ଆଉ ଭଲ ନ ଲାଗେ, ତେବେ ଆଖିର ପୂର୍ବ ରଙ୍ଗ ଅବସ୍ଥାକୁ ମଧ୍ୟ ଫେରାଇ ଅଣାଯାଇପାରିବ। ତେବେ ଏହି ଅତ୍ୟାଧୁନିକ ପଦ୍ଧତିର ପ୍ରୟୋଗ ସୀମିତ। ଜଣକ ଶରୀର ସହିତ ଜୈବିକ ଭାବରେ ଖାପ ଖାଇ ରହିବା ପାଇଁ ସମ୍ପ୍ରତି ହାତଗଣତି ପ୍ରକାରର ରଙ୍ଗିନ ରାସାୟନିକ ତରଳ ଉପଲବ୍ଧ। ତେବେ ଭବିଷ୍ୟତରେ ଏହି ଅସୁବିଧା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।