ବଡ଼ଚଣା ଆରାଧ୍ୟା ମିଶନଶକ୍ତି ଫେଡ଼େରେସନ ପକ୍ଷରୁ ବୈଠକ
ବାଲିଚନ୍ଦ୍ରପୁର,୧୫/୯(): ବଡ଼ଚଣା ଆରାଧ୍ୟା ମିଶନଶକ୍ତି ଫେଡ଼େରେସନ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଆଜି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ ଜୀବନବିନ୍ଦୁ କାର୍ଯ୍ୟକ୍ରମ ପାଇଁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଆହ୍ୱାନ କ୍ରମେ ବାଲିଚନ୍ଦ୍ରପୁରସ୍ଥିତ ବଡ଼ଚଣା ମିଶନଶକ୍ତି ଗ୍ରାମିଣ – ୨ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ମିଶନଶକ୍ତିର ସଭାନେତ୍ରୀ ପ୍ରମିଳା ଜେନା ଅଧ୍ୟକ୍ଷତା କରିଥିଲେ । ୧୯ ଗୋଟି ଗ୍ରାମ ପଂଚାୟତକୁ ନେଇ ଗଠିତ ଉକ୍ତ ଫେଡ଼େରେସନର ଶତାଧିକ ମହିଳା ଯୋଗଦେଇଥିଲେ । ଏହି ବୈଠକରେ ସ୍ୱୟଂ ସହାୟକ ଗୋଷ୍ଠିର ବିଭିନ୍ନ ପଂଚାୟତର ସଭାନେତ୍ରୀ ଓ ସମ୍ପାଦିକା ଯୋଗଦେଇ ନିଜ ନିଜର ସ୍ୱୟଂ ସହାୟକ ଗୋଷ୍ଠିର କାର୍ଯ୍ୟକ୍ରମ ସମ୍ବଦ୍ଧିୟ ଆଲୋଚନା ରଖିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରାଯାଇ କିଭଳି ଭାବେ ମହିଳା ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ ସେ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଆଇ.ସି.ଡ଼ି.ଏସ୍ ର ସୁପରଭାଇଜର ନଳିନୀପ୍ରଭା ମିଶ୍ର, ମିଶନଶକ୍ତି ବାଲିଚନ୍ଦ୍ରପୁରର ଅନିତା ବେହେରା, ବାଲିଚନ୍ଦ୍ରପୁର ସଭାନେତ୍ରୀ ତିଳୋତ୍ତମା ସେନ୍, ସମ୍ପାଦିକା ପଦ୍ମାବତୀ ମହାନ୍ତି, ମାଣ୍ଡୁକା ପଂଚାୟତ ସଭାନେତ୍ରୀ ରାଧାରାଣୀ ମହାନ୍ତିଙ୍କ ସମେତ ୧୯ ଗୋଟି ପଂଚାୟତର ସଭାନେତ୍ରୀ ଓ ସମ୍ପାଦିକା ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଫେଡ଼େରେସନର ସମ୍ପାଦିକା ମାଧବୀଲତା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।