ବ୍ୟବସାୟ

ବିଶ୍ବ ବିଜୟୀ ଭାରତୀୟ: ବିଦେଶରେ ହୋଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସିଇଓ – Utkal Mail


ଭୁବନେଶ୍ବର: ଭାରତରେ ଜନ୍ମ ହୋଇ କିମ୍ବା ଭାରତ ସହ ସମ୍ପର୍କ ଥିବା ବହୁ ଲୋକ ଏବେ ସାରା ବିଶ୍ବରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ଏଭଳି ଭାରତୀୟଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ବିଶ୍ବର ଶକ୍ତିଶାଳୀ ଦେଶ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ପଦଠାରୁ ଆରମ୍ଭ କରି ବିଶ୍ବସ୍ତରୀୟ ବଡ଼ ବଡ଼ କଂପାନିର ସିଇଓ ଭଳି ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସେମାନେ କାର୍ଯ୍ୟ କରି ଦେଶ ପାଇଁ ଗୌରବ ଆଣିଛନ୍ତି।

ଏହି ତାଲିକାରେ ଆଗରେ ଅଛନ୍ତି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଋଷି ସୁନକ। ତାଙ୍କ ପୂର୍ବ ପୂରୁଷ ଥିଲେ ଭାରତୀୟ। ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ହେଉଛନ୍ତି ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତିଙ୍କ ଝିଅ। ମରିସସ୍‌ର ପ୍ରଧାନମନ୍ତ୍ରୀ ପଦରେ ପ୍ରବିନ୍ଦ ଜଗନାଥ କାର୍ଯ୍ୟ କରୁଛନ୍ତି। ଆମେରିକାର ଉପ ରାଷ୍ଟ୍ରପତି କମଳା ହାରିସଙ୍କ ଭାରତ ସହ ସମ୍ପର୍କ ରହିଛି। ତାଙ୍କ ମା’ ଶ୍ୟାମଳା ଗୋପାଳନ ହେଉଛନ୍ତି ଚେନ୍ନାଇର ବାସିନ୍ଦା। ନିଜ ମା’ଙ୍କ ସହ ସେ ଅନେକ ଥର ଭାରତ ଆସିଛନ୍ତି। ଚେନ୍ନାଇ ଜନ୍ମିତ ପ୍ରିୟଙ୍କା ରାଧାକ୍ରିଷ୍ଣ ନ୍ୟୁଜିଲ୍ୟାଣ୍ଡ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ମହାରାଷ୍ଟ୍ରର ପୁଣେରେ ଜନ୍ମ ହୋଇ ଆଇଆଇଏମ୍ ଅହମ୍ମଦାବାଦରେ ପାଠ ପଢ଼ିଥିବା ଅଜୟ ବାଙ୍ଗା ଏବେ ବିଶ୍ବବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। କୋଲକାତାରେ ଜନ୍ମ ହୋଇଥିବା ମହିଳା ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର ଉପ ପରିଚାଳନା ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ବ ବିଜୟୀ ଭାରତୀୟଙ୍କ ତାଲିକାରେ ଥିବା ଉଦ୍ୟୋଗୀଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲରମିତ୍ତଲର ମୁଖ୍ୟ ଲକ୍ଷ୍ମୀ ଏନ୍ ମିତ୍ତଲ, ହିନ୍ଦୁଜା ଗ୍ରୁପ୍‌ର ମୁଖ୍ୟ ଗୋପୀଚନ୍ଦ ହିନ୍ଦୁଜା ଓ ତାଙ୍କ ଭାଇମାନେ। ସେହିପରି, ହାଇଦ୍ରାବାଦରେ ଜନ୍ମିତ ସତ୍ୟ ନାଡେଲା ଏବେ ମାଇକ୍ରୋସଫ୍ଟର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ତାମିଲନାଡ଼ୁରେ ଜନ୍ମିତ ସୁନ୍ଦର ପିଚାଇ ଗୁଗୁଲ୍‌ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ନେଟ୍‌ଫ୍ଲିକ୍ସର ଚିଫ୍‌ କଣ୍ଟେଣ୍ଟ୍ ଅଫିସର ଭାବେ କାର୍ଯ୍ୟ କରୁଥିବା ବେଲା ବଜରିଆଙ୍କ ପିତାମାତା ହେଉଛନ୍ତି ଭାରତୀୟ।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଂପାନିଗୁଡ଼ିକରେ ସିଇଓ ପଦରେ ବହୁ ଭାରତୀୟ କାର୍ଯ୍ୟ କରୁଛନ୍ତି। ୟୁଟ୍ୟୁବ୍‌ରେ ନୀଲ୍‌ ମୋହନ, ଆଇବିଏମ୍‌ରେ ଅରବିନ୍ଦ କ୍ରିଷ୍ଣ, ଆଡୋବ୍‌ରେ ଶାନନ୍ତୁ ନାରାୟଣ, ଭିମିଓରେ ଅଞ୍ଜଳି ସୁଦ୍, ଷ୍ଟାରବକ୍ସରେ ଲକ୍ଷ୍ମଣ ନରସିଂହ, ଫେଡ୍‌ଏକ୍ସରେ ରାଜ ସୁବ୍ରମଣ୍ୟମ, ପାଲୋ ଆଲ୍‌ଟୋରେ ନିକେଶ ଅରୋରା, ଓଗିଲ୍‌ଭି ଗ୍ଲୋବାଲ୍‌ରେ ଦେବିକା ବୁଲଚନ୍ଦାନି, ନୋଭାର୍ଟିସ୍‌ରେ ବସନ୍ତ ନରସିଂହ, ଭର୍ଟେକ୍ସ ଫାର୍ମାରେ ରେଶ୍‌ମା କେୱଲରମଣୀ, ମାଇକ୍ରନ୍ ଟେକ୍ନୋଲୋଜିରେ ସଞ୍ଜୟ ମେହ‌ରୋତ୍ରା, ଭିଏମ୍‌ଓୟାରର ରଙ୍ଗରାଜ ରଘୁରାମ, ଇମରସନ୍‌ ଇଲେକ୍ଟ୍ରିକ୍‌ରେ ସୁରେନ୍ଦ୍ରଲାଲ କରସନଭାଇ, ମାଇକ୍ରୋଚିପ୍‌ ଟେକ୍ନୋଲୋଜିରେ ଗଣେଶ ମୂର୍ତ୍ତି, ଆରିଷ୍ଟା ନେଟ୍‌ୱର୍କରେ ଜୟଶ୍ରୀ ଉଲ୍ଲାଲ, ନେଟ୍‌ଆପ୍‌ରେ ଜର୍ଜ କୁରିଏନ୍, ଗୋଡାଡିରେ ଅମନପାଲ୍‌ ଭୁଟାନି ଓ ମର୍ଣ୍ଣିଂଷ୍ଟାରରେ କୁନାଲ କପୁର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button