ତ୍ରିକୂଟ ପର୍ବତ – Utkal Mail
ରାମାୟଣ, ମହାଭାରତ ଓ ଭାଗବତରେ ତ୍ରିକୂଟ ପର୍ବତର ଉଲ୍ଲେଖ ଅଛି। ରାମାୟଣର ବର୍ଣ୍ଣନା ଅନୁସାରେ, ହନୁମାନ ସମୁଦ୍ର ଲଂଘନ କରି ଲଙ୍କାର ଯେଉଁ ସ୍ଥାନରେ ପହଞ୍ଚିଥିଲେ, ତାହା ଥିଲା, ତ୍ରିକୂଟ ପର୍ବତ। ସେଠାରୁ ସେ ନିରୀକ୍ଷଣ କରି ଦେଖିଲେ, ସେହି ପର୍ବତର ଶିଖର ଦେଶରେ ଲଙ୍କା ନଗରୀ ଅବସ୍ଥିତ। ସେହି ପର୍ବତରେ ଅନେକ ପୁଷ୍ପଲତା ଶୋଭିତ ବୃକ୍ଷ ଥିଲା। ହନୁମାନ ଠିଆ ହେଉ ହେଉ ତାଙ୍କ ଉପରେ ବୃକ୍ଷରୁ ଏତେ ଫୁଲ ଝଡ଼ି ଗଦା ହୋଇଗଲା, ଯେ ମନେହେଲା- ସତେ ଯେପରି ସେ ପୁଷ୍ପରେ ନିର୍ମିତ ଏକ ବାନର ମୂର୍ତ୍ତି! ପର୍ବତଟି ଫଳ ପୁଷ୍ପ ଶୋଭିତ ବୃକ୍ଷଲତାରେ ଯେପରି ପରିପୂର୍ଣ୍ଣ; ସେହିପରି ଅସଂଖ୍ୟ ବନ୍ୟ ଝରଣାର କଳନାଦରେ ମୁଖରିତ। ସେହି ଝରଣାମାନ ଅଜସ୍ର ସ୍ୱଚ୍ଛ ସଲିଳା ଜଳାଶୟମାନ ସୃଷ୍ଟି କରିଥିଲେ। ସେଥିରେ ବହୁ ଉତ୍ପଳ, କମଳ ପ୍ରସ୍ଫୁଟିତ ହୋଇଥିଲେ। ତନ୍ମଧ୍ୟରେ ବହୁସଂଖ୍ୟକ ଜଳଚରପକ୍ଷୀ ବିହାର କରୁଥିଲେ। ଝରଣାର କୁଳୁକୁଳୁ ନାଦ, ପକ୍ଷୀର କୂଜନ, ମଳୟର ଶୀତଳ ସ୍ପର୍ଶ ଏହି ପାର୍ବତ୍ୟ ପରିସୀମାରେ ନନ୍ଦନକାନନର ଭ୍ରମ ସୃଷ୍ଟିକରୁଥିଲା।
ରାମାୟଣରେ ବର୍ଣ୍ଣିତ ତ୍ରିକୂଟ ପର୍ବତର ଅନୁରୂପ ଏକ ତ୍ରିକୂଟ ପର୍ବତ, ଝାଡ଼ଖଣ୍ଡ ପ୍ରଦେଶର ଦେଓଘର ଜିଲାର ମୋହନପୁର ବ୍ଲକ୍ରେ ଅଛି। ଲୋକକଥା ଅନୁସାରେ, ଏହି ପର୍ବତ ତ୍ରେତୟା ଯୁଗର। ଏହା ତିନି ଶିଖରଯୁକ୍ତ। ଏହା ଲଙ୍କାଧିପତି ରାବଣର ତପସ୍ୟାସ୍ଥଳୀ ଥିଲା ଏବଂ ଏହିଠାରେ ସେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ଦର୍ଶନ କରିଥିଲା। କୈଳାସର ଶିବଙ୍କୁ ଲଙ୍କା ନେଇ ଯିବା ବାଟରେ, ସର୍ତ୍ତ ରକ୍ଷା ନକରି ପାରି, ଏଠାରେ ତାକୁ ଶିବଙ୍କୁ ପ୍ରତିଷ୍ଠା କରିବାକୁ ହୋଇଥିଲା। ରାବଣଦ୍ୱାରା ପ୍ରତିଷ୍ଠିତ ଶିବ ଏଠାରେ ତ୍ରିକୂଟେଶ୍ୱର ନାମରେ ପୂଜା ପାଉଛନ୍ତି। ଏଠାରେ ଥିବା ଏକ ଦୀର୍ଘ ଚଟାଣ ରାବଣର ପୁଷ୍ପକ ବିମାନର ଅବତରଣ କେନ୍ଦ୍ର ଥିଲା ବୋଲି କୁହାଯାଏ। ପୃଥିବୀର ସର୍ବବୃହତ୍ ବିଷ୍ଣୁଶିଳା ଏଠାରେ ପର୍ବତର ଏକ ଶିଖରରେ ବିଦ୍ୟମାନ। ସମୁଦ୍ର ପତ୍ତନଠାରୁ ପ୍ରାୟ ୨୪୭୦ ଫୁଟ ଉଚ୍ଚ ଏହି ପର୍ବତର ଶିଖରମାନଙ୍କରୁ ଅସଂଖ୍ୟ ଝରଣା ବାହାରି ମୟୂରାକ୍ଷି ନଦୀର ସର୍ଜନା ହୋଇଛି। ରାମାୟଣରେ ବର୍ଣ୍ଣିତ ତ୍ରିକୂଟ ପର୍ବତର ଶୋଭା ଅନୁରୂପ ଏହି ପର୍ବତର ଶୋଭା। କୁହାଯାଏ, ପ୍ରାଚୀନ କାଳରେ ବହୁ ମୁନି ଋଷି ଏଠାକୁ ତପସ୍ୟା କରିବାକୁ ଆସୁଥିଲେ। ଏଠାରେ ପ୍ରଚୁର ପରିମାଣରେ ବେଲଗଛ ଦେଖାଯାଏ। ବହୁ ପ୍ରଜାତିର ବାନର ମଧ୍ୟ ଏଠାରେ ଦେଖାଯାଆନ୍ତି। କୁହାଯାଏ, ସୀତାହରଣ କାଳରେ ରାବଣ ଓ ଜଟାୟୁ ମଧ୍ୟରେ ଏହିଠାରେ ଯୁଦ୍ଧ ହୋଇଥିଲା। ସେଠାରେ ମଧ୍ୟ ମାତା ରାଜରାଜେଶ୍ୱରୀଙ୍କର ମନ୍ଦିର ରହିଛି। ଚୈତ୍ର ମାସରେ ସେଠାରେ ଏକ ମେଳା ବସେ।
-ଡକ୍ଟର ତୁଳସୀ ଓଝା