ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲ୍କେ ପୁରସ୍କାର, ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ସୋସିଆଲ ମିଡିଆ X ଆକାଉଣ୍ଟରେ ଏହା ଘୋଷଣା କରିଛନ୍ତି । ଭେଟେରାନ ଅଭିନେତାଙ୍କୁ ତାଙ୍କର ଉଲ୍ଲେଖନୀୟ ସିନେମା ଯାତ୍ରା ଏବଂ ଭାରତୀୟ ସିନେମାରେ ଅତୁଳନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି ।
୭୪ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମାରେ ୪୮ ବର୍ଷର ସଫଳ କ୍ୟାରିଅର୍ ଅଛି । ସେ ଏବେବି ଚଳଚ୍ଚିତ୍ର ଦୁନିଆରେ ସକ୍ରିୟ ଅଛନ୍ତି ।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ମିଥୁନ ଦା’ଙ୍କର ଉଲ୍ଲେଖନୀୟ ସିନେମା ଯାତ୍ରା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଏ! ଏହି ଖବର ଘୋଷଣା କରିବା ଏକ ଗୌରବର ବିଷୟ ଯେ ଦାଦାସାହେବ ଫାଲକେ ଚୟନ ଜୁରି ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।’ ଅକ୍ଟୋବର ୮, ୨୦୨୪ ରେ ହେବାକୁ ଥିବା ୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
କୋଲକାତା ରାସ୍ତାରୁ ବଲିଉଡର ଡିସ୍କୋ ଡ୍ୟାନ୍ସର ହେବା ପର୍ଯ୍ୟନ୍ତ ଯାତ୍ରା ମିଥୁନଙ୍କ ପାଇଁ ଆଦୌ ସହଜ ନଥିଲା । ସିନେମା ଜଗତର ଏଭଳି ଉଚ୍ଚତାରେ ପହଞ୍ଚିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ କହିରଖୁଛୁ, ପଦ୍ମ ଭୂଷଣରେ ସମ୍ମାନିତ ହେବାର କିଛି ମାସ ପରେ ହିଁ ମିଥୁନ ଚକ୍ରବର୍ତ୍ତୀ ଦାଦାସାହେବ ଫାଲକେ ପୁରସ୍କାର ପାଇବାର ଖବର ସାମ୍ନାକୁ ଆସିଛି । ଏପ୍ରିଲରେ ହୋଇଥିବା ସମାରୋହରେ ମିଥୁନ ଦା’ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା ।
ମିଥୁନ ଚକ୍ରବର୍ତ୍ତୀ ୧୯୭୬ ରେ ଏକ ଛୋଟ ଭୂମିକା ସହିତ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ଦୋ ଅଞ୍ଜାନେ’, ତା’ପରେ ସେ ୧୯୭୭ ରେ ଲିଡ୍ ଭାବରେ ଗ୍ରହଣୀୟ ହୋଇଥିଲେ । ଲିଡ୍ ରୋଲ୍ ହିସାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ମୃଗୟା’ ଯେଉଁଥିପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ପ୍ରଥମ ଫିଲ୍ମରେ ହି ନେସନ ଆୱାର୍ଡ ଜିତିଥିବା ଅଳ୍ପ କିଛି ତାରକାଙ୍କ ମଧ୍ୟରେ ତାଙ୍କ ନାମ ସବୁଦିନ ପାଇଁ ରେକର୍ଡ ହୋଇଯାଇଥିଲା ।
୧୯୮୨ ମସିହାରେ ତାଙ୍କର ଫିଲ୍ମ ‘ଡିସ୍କୋ ଡାନ୍ସର୍’ ରିଲିଜ ହୋଇଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍ ରେ ଆସିଥିଲେ । ଏହି ଫିଲ୍ମ ଏସିଆ, ସୋଭିଏତ୍ ୟୁନିଅନ୍, ପୂର୍ବ ୟୁରୋପ, ମଧ୍ୟ ପୂର୍ବ, ତୁର୍କୀ ଏବଂ ଆଫ୍ରିକାରେ ବଢ଼ିଆ ବ୍ୟବସାୟ କରିଥିଲା । ଯଦି ଆମେ ଆଜିକାଲିର ଫିଲ୍ମ ବିଷୟରେ କଥା ହେବା, ସେ ‘O My God’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ତାଙ୍କର ସଫଳ କ୍ୟାରିୟରରେ ‘ଅଗ୍ନିପଥ’, ‘ମୁଝେ ଇନସାଫ୍ ଚାହିୟେ’, ‘ହମ୍ ସେ ହେ ଜମାନା’, ‘ପସନ୍ଦ ଅପନି ଅପନି’, ‘ଘର ଏକ୍ ମନ୍ଦିର୍’ ଏବଂ ‘କସମ ପୈଦା କରନେ ୱାଲେ କି’ ଭଳି ଅନେକ ଦମଦାର ଫିଲ୍ମ ସାମିଲ ରହିଛି ।