ଦେଶ ବିଦେଶ

କୋଭିଡ୍‌କୁ ପରାସ୍ତ କଲେ, ଯୁଦ୍ଧଜନିତ ବିଶ୍ବାସର ଅଭାବକୁ ମଧ୍ୟ ଜିଣି ପାରିବା: ପ୍ରଧାନମନ୍ତ୍ରୀ ମୋଦୀ – Utkal Mail


ନୂଆଦିଲ୍ଲୀ: ଯଦି ଆମେ କୋଭିଡ୍‌କୁ ପରାସ୍ତ କରିପାରିଲେ ତେବେ, ଯୁଦ୍ଧଜନିତ ବିଶ୍ବାସର ଅଭାବକୁ ବି ବିଶ୍ବାସର ସୁସମ୍ପର୍କରେ ପରିଣତ କରିପାରିବା ବୋଲି ଆଜି ନୂଆଦିଲ୍ଲୀରେ ପ୍ରଗତି ମୈଦାନରେ ନିର୍ମିତ ‘ଭାରତ ମଣ୍ଡପମ୍‌’ରେ ଆୟୋଜିତ ‘ଜି୨୦’ର ୧୮ଶ ଶିଖର ସମ୍ମିଳନୀ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସମ୍ମିଳନୀ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ‘ଆଫ୍ରିକା ୟୁନିୟନ୍‌’କୁ ‘ଜି୨୦’ର ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଗଲା ବୋଲି ଔପଚାରିକ ଭାବେ ଘୋଷଣା କଲେ। ତା’ପରେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ‘ଆଫ୍ରିକା ୟୁନିୟନ୍‌ର’ ଅଧ୍ୟକ୍ଷ ତଥା କୋମରୋସ୍‌ର ରାଷ୍ଟ୍ରପତି  ଆଜାଲି ଅସୌମାନିଙ୍କୁ ଆନୁଷ୍ଠାନିକ ଭାବେ ଦିଲ୍ଲୀ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସ୍ବାଗତ କଲେ।

ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଲେ, ‘ଆଫ୍ରିକୀୟ ୟୁନିୟନ୍‌’କୁ ‘ଜି୨୦’ର ସ୍ଥାୟୀ ସଦସ୍ୟତା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା। ମୋର ବିଶ୍ବାସ ଯେ, ଏହି ପ୍ରସ୍ତାବ ଉପରେ ଆମେ ସମସ୍ତଙ୍କ ସମ୍ମତି ହାସଲ କରିଛୁ। ତେଣୁ, ଆସନ ଗ୍ରହଣ କରିବା ଲାଗି ମୁଁ ଆଫ୍ରିକୀୟ ୟୁନିୟନ୍‌ର ମୁଖ୍ୟଙ୍କୁ ଆମନ୍ତ୍ରଣ କରୁଛି।

Image Courtesy of India Today

ଆନୁଷ୍ଠାନିକ ଭାବେ ‘ଜି୨୦’ର ସମ୍ମଳନୀ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋରକୋରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, କୋଭିଡ୍‌ ପରବର୍ତ୍ତୀ ବିଶ୍ବରେ ବିଶ୍ବାସର ଅଭାବ ପରିଲକ୍ଷିତ ହେଉଛି। ଏବଂ ଯୁଦ୍ଧ (ୟୁକ୍ରେନ୍‌) ଏହାକୁ ଆହୁରି ସୁଦୃଢ଼ କରିଛି। ତେଣୁ, ବିଶ୍ବ କଲ୍ୟାଣ ନିମନ୍ତେ ଆମକୁ ଏକମନ ହୋଇ ଅଗ୍ରସର ହେବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଲେ ଯେ, ଆଜି ଯୁଗ ଯୁଗର ସମସ୍ୟା ସବୁ ସମାଧାନ ଖୋଜୁଥିବା ବେଳେ ମାନବ-କେନ୍ଦ୍ରିକ ଆଭିମୁଖ୍ୟ ନେଇ ଆମେ ଆମର ଦାୟିତ୍ବ ପାଳନ କରିବା ଆବଶ୍ୟକ। ଏଥିପାଇଁ ‘ସବ୍‌କା ସାଥ୍‌, ସବ୍‌କା ବିକାଶ୍‌, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ୍‌’ ବିଶ୍ବକୁ ଦିଗ୍‌ଦର୍ଶନ ଦେଇ ପାରିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button