କାନାଡାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା; ପୋଲିସର ପାଲଟା ଆକ୍ରମଣରେ ଆକ୍ରମଣକାରୀଙ୍କ ମୃତ୍ୟୁ: ଗୁଳିକାଣ୍ଡରେ ଅନ୍ୟ ୨ ମୃତ
କାନାଡାର ଓଣ୍ଟାରିଓ ଅଞ୍ଚଳରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ୨୮ ବର୍ଷୀୟ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ବ୍ୟତୀତ ଏହି ଘଟଣାରେ ଜଣେ ପୋଲିସ କର୍ମୀଙ୍କ ସମେତ ଅନ୍ୟ ୨ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ହାଲ୍ଟନ ରିଜିଓନାଲ୍ ପୋଲିସ ସର୍ଭିସ୍ (HRPS)ର ସୂଚନା ମୁତାବକ, ମିଲ୍ଟନରେ ଏହି ଗୁଳିକାଣ୍ଡ ଗତ ସୋମବାର ଘଟିଥିଲା। ଏଥିରେ ଜଣେ ଭାରତୀୟ ଛାତ୍ର ଆହତ ହୋଇଥିଲେ। ତାଙ୍କ ନାଁ ସତବିନ୍ଦର ସିଂ ବୋଲି ଜଣା ପଡ଼ିଥିଲା। ଏବେ ଖବର ଆସିଛି କି, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ସତବିନ୍ଦରଙ୍କ ମୃତ୍ୟୁ ହୋଇଛି।
ଓଣ୍ଟାରିଓରେ ହୋଇଥିବା ଏହି ଗୁଳିକାଣ୍ଡରେ ଟରୋଣ୍ଟୋ ପୋଲିସର କନଷ୍ଟେବଳ ଆଣ୍ଡ୍ର୍ୟୁ ହଗ୍ ଏବଂ ଏମ୍କେ ଅଟୋ ରିପେୟାର୍ସର ମାଲିକ ସକିଲ ଅଶରଫ୍ଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆଣ୍ଡ୍ର୍ୟୁଙ୍କ ବୟସ ୪୮ ବର୍ଷ ଥିବା ବେଳେ ଅଶରଫ୍ଙ୍କ ବୟସ ୩୮ ବର୍ଷ ଥିଲା ବୋଲି ପୋଲିସ କହିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଆକ୍ରମଣକାରୀଙ୍କ ଦ୍ୱାରା ଫାୟାରିଂ ପରେ ପୋଲିସ ପକ୍ଷରୁ ମଧ୍ୟ ପ୍ରତି ଜବାବରେ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ ଆକ୍ରମଣକାରୀ ହେଲେ ୪୦ ବର୍ଷୀୟ ସିନ୍ ପେଟ୍ରି।
କହି ରଖୁଛୁ, ସତବିନ୍ଦର ସିଂଙ୍କର ଜଣେ ସମ୍ପର୍କୀୟା ଭଉଣୀ ସରବଜୋତ୍ କୌର କହିଛନ୍ତି ଯେ ସତବିନ୍ଦରଙ୍କ ବାପା ତାଙ୍କ ପୁଅକୁ ଶେଷ ଥର ପାଇଁ କରୋନା ମହାମାରୀ ପୂର୍ବରୁ ଭେଟିଥିଲେ। ତାଙ୍କ ବାପା ଦୁବାଇରେ ଜଣେ ଡ୍ରାଇଭର ରୂପେ ଚାକିରି କରନ୍ତି ଏବଂ ଘଟଣା ବିଷୟରେ ସୂଚନା ପାଇବା କ୍ଷଣି ସେ କାନାଡାରେ ପହଞ୍ଚିଥିଲେ। ସେପଟେ ସତବିନ୍ଦର ସିଂଙ୍କ ମୃତଦେହକୁ ତାଙ୍କ ପରିବାର ଲୋକେ ଭାରତ ଆଣିବାକୁ ଚାହୁଁଛନ୍ତି। ଏଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ‘ଗୋଫଣ୍ଡ୍ମି’ ଆଗେଇ ଆସିଛି। ଏହି ସଂସ୍ଥା ରବିବାର ସୁଦ୍ଧା ୩୫ ହଜାର ଡଲାରରୁ ଅଧିକ ଅର୍ଥରାଶି ସଂଗ୍ରହ କରି ପାରିଥିଲା। ସୂଚନାଥାଉ କି, ଗୋଫଣ୍ଡ୍ମି ଚାନ୍ଦା ସଂଗ୍ରହ କରୁଥିବା ଏକ ସଂସ୍ଥା। ତେବେ ବିଦେଶରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି, ଯେଉଁଠି ଭାରତୀୟମାନେ ହତ୍ୟାର ଶିକାର ହେଉଛନ୍ତି।