ବ୍ୟାଙ୍କ ଅଫ ବରୋଦା ମୋବାଇଲ ଆପ୍ ଜରିଆରେ ନୂଆ ଗ୍ରାହକ ଯୋଡ଼ିବା ଉପରେ କଟକଣା – Utkal Mail
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ମୋବାଇଲ୍ ଆପ୍ ‘ବିଓବି ୱାର୍ଲ୍ଡ’ରେ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆରବିଆଇ କହିଛି ଯେ ଗ୍ରାହକଙ୍କୁ ଆପରେ ଅନ୍ତର୍ଭୁକ୍ତ କରିବାର ପଦ୍ଧତିରେ ଦେଖାଯାଇଥିବା କେତେକ ତ୍ରୁଟି ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆରବିଆଇର ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) ନିଜ ଅଧିକାରକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ୍ ବରୋଦାକୁ ବବ୍ ଓ୍ଵାର୍ଲ୍ଡ ମୋବାଇଲ୍ ଆପରେ ଅଧିକ ଗ୍ରାହକ ଯୋଡ଼ିବା ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ୧୯୪୯ର ଧାରା ୩୫-ଏ ଅନୁଯାୟୀ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ‘ବବ୍ ଓ୍ଵାର୍ଲ୍ଡ’ ଆପ୍ ରେ ବ୍ୟାଙ୍କର ଗ୍ରାହକଙ୍କୁ ଯୋଡ଼ିବା ପାଇଁ କୌଣସି ପ୍ରକ୍ରିୟା ସେତେବେଳେ ହେବ, ଯେତେବେଳେ ବ୍ୟାଙ୍କ ପକ୍ଷରୁ ମିଳିଥିବା ତ୍ରୁଟିଗୁଡ଼ିକୁ ଦୂର କରାଯିବ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାକୁ ସମ୍ପୃକ୍ତ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଆରବିଆଇର ସନ୍ତୁଷ୍ଟି ପାଇଁ ପଦକ୍ଷେପ ନେବାକୁ ପଡ଼ିବ।
ତେବେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଦ୍ବାରା ବ୍ୟାଙ୍କ ଅଫ ବରୋଦାର ବର୍ତ୍ତମାନ ଗ୍ରାହକମାନେ କୌଣସି ପ୍ରକାରେ ପ୍ରଭାବିତ ହେବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି ।