ମୁହଁ ଖୋଲିଲେ ବିଧାୟକ ହିମାଂଶୁ : ଯଦି ମୁଁ କୌଣସି ଗଣ୍ଡଗୋଳରେ ସମୃକ୍ତ ଅଛି ତେବେ ପ୍ରମାଣ ଦିଅନ୍ତୁ

ଧର୍ମଶାଳା ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଜେନାପୁର ପୋଲିସ । ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି SDPO କହିଛନ୍ତି । ଧର୍ମଶାଳା ଗଣ୍ଡଗୋଳକୁ ନେଇ ଜେନାପୁର ଥାନା ଆଗରେ ଧାରଣାରେ ବସିଥିଲେ ବିଧାୟକଙ୍କ ସମର୍ଥକମାନେ । ଦୋଷୀଙ୍କୁ ଧରିବା ନେଇ ସେମାନଙ୍କୁ ବିଧାୟକ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ବିଜେଡି କର୍ମୀମାନେ ଡିଜି ଅଫିସ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଗଣମାଧ୍ୟମ ସମ୍ମୁଖରେ ଘଟଣା ବାବଦରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ମୁଁ କୌଣସି ଗଣ୍ଡଗୋଳରେ ସମୃକ୍ତ ଅଛି ତେବେ ପ୍ରମାଣ ଦିଅନ୍ତୁ । ମୁଁ ଦୋଷୀ ହୋଇଥିଲେ ଆଇନ ଅନୁସାରେ ଦଣ୍ଡ ପାଇବି। ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ଆଉ କୌଣସି ପୂର୍ବତନ ବିଧାୟକଙ୍କ ସହ ଏପରି ହେଉନି କେବଳ ଧର୍ମଶାଳାରେ ହେଉଛି ବୋଲି ହିମାଂଶୁ କହିଛନ୍ତି । ମିଥ୍ୟା ଆରୋପ ଲଗାଇ ସୋସିଆଲ୍ ମିଡିଆରେ ଖରାପ କଥା ଲେଖାଯାଇ ଲୋକଙ୍କ ଭିତରେ ଝଗଡ଼ା ସୃଷ୍ଟି କରାଯାଉଛି । ଭୋଜି ଭାତ କରିବା ନାଁରେ ମଦ ମାଂସ ଦେଇ ଲୋକଙ୍କୁ ଉସୁକାଇବା କାମ ହେଉଛି ।
ବିଜେଡି ନେତା କ୍ଷମତାରୁ ହଟିବା ପରେ ହିଂସ୍ର ସାଜିଛନ୍ତି ବୋଲି ରୋକଠୋକ ଜବାବ ଦେଇଛନ୍ତି ହିମାଂଶୁ । ଡିଜି ଅଫିସ ନିକଟରେ ବସି ଧାରଣା ଦେବା ସମ୍ପର୍କରେ ହିମାଂଶୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏସବୁ ଭଣ୍ଡାମି,ବାଚଳାମି, ପାଗଳାମି ଚାଲିଛି। ଦୋଷୀ ଯିଏବି ହୁଅନ୍ତୁ ନା କାହିଁକି ପୋଲିସ୍ ଗିରଫ କରୁ ବୋଲି ହିମାଂଶୁ ସାହୁ କହିଛନ୍ତି । ଗତକାଲି ଯେଉଁ ଘଟଣା ଘଟିଛି, ସେଥିପାଇଁ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ବୋଲି ବିଧାୟକ ହିମାଂଶୁ କହିଛନ୍ତି । ଧର୍ମଶାଳା ଜେନାପୁର ଥାନା ପନ୍ତୁରୀଠାରେ ରବିବାର ଦିନ ବିଧାୟକ ହିମାଂଶୁ ଶେଖର ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ଯୁବକ ଲହୁଲୁହାଣ ହେବା ସହ ଗାଡ଼ି ଭଙ୍ଗାରୁଜା ହୋଇଛି।
ସୂଚନା ମୁତାବକ, ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସ୍ରେ ବଣଭୋଜିର ଆୟୋଜନ କରାଯାଇଥିଲା । ପ୍ରଣବଙ୍କ କିଛି ସମର୍ଥକ ଉକ୍ତ ଭୋଜିରେ ସାମିଲ ଥିଲେ। ଅପରାହ୍ନରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସୁନୀଲ ପଣ୍ଡା ଓ ନିଗମାନନ୍ଦ ଦାଶ ସେହି ବାଟ ଦେଇ ଚଢ଼େଇଧରାରୁ ନରସିଂହପୁର ଗ୍ରାମକୁ ସ୍କର୍ପିଓ ଗାଡ଼ିରେ ଫେରିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ସୁନୀଲ ଓ ନିଗମାନନ୍ଦ ଗୁରୁତର ତର ଆହତ ହୋଇଥିବା ବେଳେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡାକ୍ତରଖାନା ପଠାଯାଇଛି।
ବିଧାୟକ ଶ୍ରୀ ସାହୁ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ପୂର୍ବତନ ବିଧାୟକ ନିଜର ପରାଜୟ ଓ ରାଜନୈତିକ ସ୍ଥିତିକୁ ନେଇ ରକ୍ତ ଚାଉଳ ଚୋବାଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଖବର ପାଇବା କ୍ଷଣି ପ୍ରଣବ ତାଙ୍କ ଫାର୍ମହାଉସ୍ରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ । ତାଙ୍କର ଏକାଧିକ ସମର୍ଥକ ଆହତ ହେବା ସହ ଫାର୍ମହାଉସ୍ରେ ଭଙ୍ଗାରୁଜା ହୋଇଥିବା ସେ କହିଛନ୍ତି । ପୋଲିସ ଉପରୁ ତାଙ୍କର ଭରସା ତୁଟିଯାଇଛି, ତଥାପି ପୋଲିସ ଡିଜିଙ୍କୁ ଭେଟି ସବୁକଥା ଜଣାଇବେ ବୋଲି ଶ୍ରୀ ବଳବନ୍ତରାୟ କହିଛନ୍ତି । ଜେନାପୁର ଥାନାରେ ଆହତ ସୁନୀଲ ପଣ୍ଡାଙ୍କ ପକ୍ଷରୁ ଏତଲା ଦିଆଯାଇଛି ।



