ବଲାଙ୍ଗିର ଜିଲ୍ଲାରେ ପୂଜା ପାଉଛନ୍ତି ମା’ ପାଟଖଣ୍ଡା, ମା’ଙ୍କ ପାଖରେ ଲାଗି ହେଲା ପାଟ ସିନ୍ଦୁର ଓ ପାଟ ସୁତା

ବଲାଙ୍ଗିର ଜିଲ୍ଲା ଜରସିଙ୍ଗା ଗାଁରେ ପୂଜା ପାଉଛନ୍ତି ମା’ ପାଟଖଣ୍ଡା । ପରମ୍ପରା ଅନୁଯାୟୀ ମା’ଙ୍କ ପାଖରେ ଲାଗି ହୋଇଛି ପାଟ ସିନ୍ଦୁର ଓ ପାଟ ସୁତା । ପାଟଣାଗଡର ମା’ ପାଟଣେଶ୍ଵରୀଙ୍କ ଠାରୁ ଆସିଥାଏ ଏହି ସିନ୍ଦୁର । ଏଠାରେ ସିନ୍ଦୁର ଆଣିବା ଓ ତାକୁ ସ୍ୱାଗତ କରିବାର ପରମ୍ପରା ଖୁବ ସ୍ଵତନ୍ତ୍ର । ଏନେଇ ପ୍ରତି ଘର ଆଗରେ କଳସ ସ୍ଥାପନ ହୁଏ । କେତେ ଆସ୍ଥା ବିଶ୍ଵାସରେ ମା’ଙ୍କ ପାଖକୁ ଧାଇଁଆସୁଛି ଭକ୍ତ ।
ରାଜା ରାଜୁଡା ସମୟରୁ ଏନେକ ପ୍ରଥା ପରମ୍ପରା ରହିଥିବା ବେଳେ ପାଟଖଣ୍ଡା ମା’ ଙ୍କ ପାଖକୁ ପାଟ ସିନ୍ଦୁର ଓ ପାଟ ସୁତା ଲାଗି ହେବାର ସ୍ଵତନ୍ତ୍ର ପରମ୍ପରା ରହିଛି । ମା ପାଟଣେଶ୍ଵରୀଙ୍କ ଠାରୁ ଏହା ଆସିବା ପରେ ଆରମ୍ଭ ହୁଏ ପାଟଖଣ୍ଡା ଯାତ୍ରା । ଏହି ପାଟ ସିନ୍ଦୁରର ମହିମା ଅପାର । ପାଟଣାଗଡ଼ର ରାଜା ବସ୍ତର ଯୁଦ୍ଧ ବିଜୟ ପାଇଁ ମା’ ପାଟଖଣ୍ଡାଙ୍କ ଆଶ୍ରୟ ନେଇଥିଲେ ।
ମା’ଙ୍କ ଆଶୀର୍ବାଦ ପାଇବା ପରେ ବସ୍ତର ବିୟଜ କରିଥିବା କୁହନ୍ତି ସ୍ଥାନୀୟ ଲୋକେ । ତେଣୁ ଆଜି ବି ଏଠାରେ ବେଶ ଶ୍ରଦ୍ଧା ଓ ନିଷ୍ଠାରେ ମା’ଙ୍କ ପୂଜା କରାଯାଏ । ଏହା ତନ୍ତ୍ରମନ୍ତ୍ରର ମାଟି ହୋଇଥିବାରୁ ନିଶା ରାତିରେ ବି ପୂଜା କରିବାର ପରମ୍ପରା ରହିଛି । ଆସ୍ଥା ଓ ବିଶ୍ଵାସର ଦେବୀ ମା’ ପାଟଖଣ୍ଡା ତେଣୁ ଆଜି ବି ଲୋକଙ୍କ ଖୁବ ବିଶ୍ଵାସ ରହିଛି ଦେବୀ ମା’ଙ୍କ ଉପରେ । ସେଇଥିପାଇଁ ତ କାହିଁ କେତେ ଦୁରରୁ ଧାଇଁ ଆସୁଛନ୍ତି ଭକ୍ତ ।


