ଦେଶ ବିଦେଶ

ଆଖି ବୁଜି କାକୁଡ଼ି କାଟିବାରେ ରେକର୍ଡ – Utkal Mail


କାନାଡାର ଟରଣ୍ଟୋରେ ରହୁଥିବା ଅଭିଜ୍ଞ ରୋଷେୟା ୱାଲେସ୍  ​ୱଙ୍ଗ୍ ନାମରେ ଏକ ବିରଳ ବିଶ୍ବ ରେକର୍ଡ ଯୋଡ଼ି ହୋଇଯାଇଛି। ଆଖିରେ ପଟି ବାନ୍ଧି ଗୋଟିଏ କାକୁଡ଼ିକୁ ସର୍ବାଧିକ ଖଣ୍ଡରେ କାଟି ସେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ମାତ୍ର ୩୦ ସେକେଣ୍ଡରେ କାକୁଡ଼ିରୁ ୧୬୬ଟି ଚେକା ବାହାର କରିପାରିଛନ୍ତି। ଟିକ୍‌ଟକ୍‌ରେ ‘ସିକ୍ସ ପ୍ୟାକ୍‌ ସେଫ୍‌’ ନାମରେ ସୁପରିଚିତ ୱଙ୍ଗ୍ ଏକ ଧାରୁଆ ଛୁରି ଧରି କିଛି ନଦେଖିପାରି ମଧ୍ୟ ସୂକ୍ଷ୍ମ ଭାବେ କାକୁଡ଼ିକୁ କାଟିବାର ଦୃଶ୍ୟ ଇଟାଲୀୟ ଟିଭି ନେଟ୍‌ୱର୍କ ‘ଲୋ ସୋ ଡେଇ ରେକର୍ଡସ’ରେ ପ୍ରସାରିତ ହୋଇ ଖୁବ୍‌ ଚର୍ଚ୍ଚିତ ହୋଇଛି। ରୋଷେଇରେ ୱଙ୍ଗଙ୍କର ଗଭୀର ରୁଚି ଓ ଅଭିଜ୍ଞତା ରହିଛି। ତାଙ୍କ ପିତାମାତା ହଂକଂରୁ ଆସି କାନାଡ଼ାରେ ଏକ ଚୀନୀ ଭୋଜନାଳୟ ପରିଚାଳନା କରୁଛନ୍ତି।

ପିଲାଟି ବେଳୁ ​ୱଙ୍ଗ୍ ଙ୍କର ଅବସର ସମୟ ରୋଷେଇ ଘରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ କଟୁଥିଲା। ରୋଷେଇ ପାଠ୍ୟକ୍ରମରେ ସ୍ନାତକ ହାସଲ ପରେ ସେ ବିଭିନ୍ନ ନାମୀଦାମୀ ରେସ୍ତେରାଁରେ ଚାକିରି ଜୀବନ ଆରମ୍ଭ କରିଥିଲେ। କର୍କଟ ରୋଗ ସହ ଦୀର୍ଘ ୧୬ ବର୍ଷ ଧରି ସଂଘର୍ଷ କରୁଥିବା ୱଙ୍ଗ୍ ତାଙ୍କର ବାକି ଅନିଶ୍ଚିତ ଜୀବନକୁ ଖୁସିରେ କାଟିବା ପାଇଁ ଭିନ୍ନ କିଛି କରିବାକୁ ଚାହିଁଥିଲେ। ତେଣୁ ରେସ୍ତୋରାଁରେ ସେ ଆଖିବୁଜି ସବୁ ପରିବା କାଟିବା ଅଭ୍ୟାସ କରିଥିଲେ, ଯାହା ତାଙ୍କୁ ଏହି ରେକର୍ଡ ହାସଲରେ ସହାୟକ ହୋଇଛି। ତାଙ୍କର ବାମହାତର ମଝି ଆଙ୍ଗୁଠି ଶିରାରେ ଆଘାତ ଲାଗିବାରୁ ଡାକ୍ତର ତାଙ୍କୁ ତିନି ସପ୍ତାହ ପାଇଁ କଟାକଟି ବନ୍ଦ ରଖିବାକୁ କହିଥିଲେ। ମାତ୍ର ସେଇ ଆଘାତପ୍ରାପ୍ତ ଆଙ୍ଗୁଠିକୁ ବ୍ୟବହାର ନକରି କେମିତି ଦ୍ରୁତ ବେଗରେ କାଟିହେବ, ତାହା ସେ ଅଭ୍ୟାସ କରିଥିଲେ। ଶେଷରେ ମୋଟ ନଅଟି ଆଙ୍ଗୁଠି ସାହାଯ୍ୟରେ ସେ ଏହି ବିରଳ ରେକର୍ଡ କରିପାରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button