ଓଡିଶା

ଜଗନ୍ନାଥଙ୍କ ମନ୍ଦିର ସହ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ଗାଁରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ

ଜଗନ୍ନାଥଙ୍କ ନୂତନ ମନ୍ଦିର ସହ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ହୋଇଉଠିଛି ଭଦ୍ରକ ଚାନ୍ଦବାଲିର ଗଜଗିରି ଗାଁ । ସକାଳ ଠୁ ରାତି ପର୍ଯ୍ୟନ୍ତ ଚାଲିଛି ପୂଜାପାଠ । ହୋମ, ଯଜ୍ଞ ଓ ପଣ୍ଡିତଙ୍କ ମନ୍ତ୍ର ପାଠରେ ସମଗ୍ର ଗାଁ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପୂଜା ପାଠ ସହ ଶହ ଶହ ଭକ୍ତଙ୍କ ପାଇଁ ମଧ୍ୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଯାହାକି ଗାଁର ସମସ୍ତ ଲୋକ ନିଜ ନିଜ ପକେଟରୁ ଚାନ୍ଦା ଦେଇ ଏହି ମହତ କାର୍ଯ୍ୟ କରୁଛନ୍ତି ।

ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ସେ ଭକ୍ତର ବାଲି ରଥରେ ବି ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା ଯାଆନ୍ତି । ତେବେ ସେହି ଜଗନ୍ନାଥଙ୍କୁ ନିଜ ଗାଁରେ ସ୍ଥାପିତ କରି ତାଙ୍କୁ ପ୍ରତିଦିନ ଦର୍ଶନ କରିବା ସହ ତାଙ୍କ ଆଶୀର୍ବାଦ ନେବା ପାଇଁ ଧୁମଧାମରେ ଚାଲିଛି ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ।

ଦୀର୍ଘ ଦିନ ତଳେ ଏଠି ଏକ ଛୋଟିଆ ମନ୍ଦିର ଥିଲା । ଏଠାରେ ଜଣେ ମାତାଜୀ ରହୁଥିଲେ । ମାତାଜୀ ଜଣକ ଶିକ୍ଷେତ୍ର ବୁଲିବାକୁ ଯାଇଥିଲେ ସେଠାରୁ ଜଗନାଥଙ୍କୁ ନିଜ ପୁଅ ବୋଲି ଭାବି ଏକ ଜଗନ୍ନାଥ ମୂର୍ତ୍ତି ଆଣି ଗାଁରେ ପୂଜା କରୁଥିଲେ । କିନ୍ତୁ ହଠାତ ଦିନେ ମାତାଜୀ କୁଆଡେ ଚାଲିଗଲେ । ଯାହାପରେ ଗାଁ ଲୋକ ଏଠାରେ ଏକ ଜଗନ୍ନାଥ ମନ୍ଦିର କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଯାହା ଆଜି ସତ ହୋଇଛି । ଆଜି ଗାଁ ଲୋକଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି ।

ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରଥମ ଦିନ ୧୦୮ ମହିଳାମାନେ କଳସ ଶୋଭାଯାତ୍ରାରେ ଯାଇ ଘଟ ସ୍ଥାପନ କରିଥିଲେ । ତିନି ଦିନ ବ୍ୟାପି ରୀତିନୀତି ଅନୁସାରେ ଚାଲିଥିଲା ପୂଜାର୍ଚନା । ଶେଷ ଦିନରେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରକୁ ପ୍ରବେଶ କରିଥିଲେ । ତେବେ ଏ ଭଳି ଏକ ପବିତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି ଶହ ଶହ ସଂଖ୍ୟକ ଭକ୍ତ । ମହାମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ଯଜ୍ଞ ମଣ୍ଡପ । ମହାମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଯାହାକୁ ନେଇ ଗାଁରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button