ନୀତି

ଏକଦା ପଦାର୍ଥବିଜ୍ଞାନରେ ବିଫଳ ଛାତ୍ରୀ ଗଢ଼ିଲେ ଉଡ଼ନ୍ତା ତରୀ – Utkal Mail


ଦୃଢ଼ ମନୋବଳ ଓ ସୃଜନାଶୀଳତା କିପରି ଅସାଧାରଣ ଉପଲବ୍‌ଧି ହାସଲ କରିପାରେ ତାହା ପ୍ରମାଣ କରିଛନ୍ତି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀ ସଂପ୍ରୀତି ଭଟ୍ଟାଚାର୍ଯ୍ୟ। ନାନା ପ୍ରତିବନ୍ଧକକୁ ଏଡ଼ାଇ ସେ ସ୍ଥାପନ କରିଥିବା ‘ନାଭିଅର’ କମ୍ପାନି ଦ୍ବାରା ନିର୍ମିତ ‘ନାଭିଅର-୩୦’ ନାମକ ବିଦ୍ୟୁତ୍‌ଚାଳିତ ହାଇଡ୍ରୋଫଏଲ ନୌକା ସାମୁଦ୍ରିକ ଉଦ୍ୟୋଗରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। କୋଲକତାରେ ବଢ଼ିଥିବା ସଂପ୍ରୀତି ଜଣେ ଅତି ସାଧାରଣ ଛାତ୍ରୀ ଥିଲେ। ସେ କଲେଜରେ ପଦାର୍ଥ ବିଜ୍ଞାନରେ ଫେଲ୍‌ ହେବା ପରେ ପଢ଼ା ଛାଡ଼ି ଗୃହିଣୀ ସାଜିବାକୁ ତାଙ୍କୁ ଶିକ୍ଷକମାନେ ପରାମର୍ଶ କରିଥିଲେ। କିନ୍ତୁ ଇଞ୍ଜିନିଅରିଂ ପଢ଼ିବାର ଝୁଙ୍କ ତାଙ୍କୁ ହାର ମାନିବାକୁ ଦେଇ ନ ଥିଲା। ଇଞ୍ଜିନିଅରିଂ ପାଠ୍ୟକ୍ରମରେ ଶିକ୍ଷାନବୀଶ ସାଜିବା ପାଇଁ ସେ ୫୪୦ ଥର ଆବେଦନ କରିଥିବା ବେଳେ ୫୩୯ ଥର ପ୍ରତ୍ୟାଖ୍ୟାତ ହୋଇଥିଲେ। ଶେଷରେ ଆମେରିକାର ‘ଫର୍ମିଲାବ’ ପରୀକ୍ଷାଗାର ତାଙ୍କୁ ସୁଯୋଗ ଦେଇଥିଲା। ସେ କୋଲକାତାରୁ ଆମେରିକା ଚାଲିଯାଇଥିଲେ। ସେଠାରେ ଯୋଗ ଦେଉ ଦେଉ ପଦାର୍ଥବିଜ୍ଞାନ ପ୍ରେମରେ ପଡ଼ିଯାଇଥିଲେ।

ପରେ ‘ନାସା’ରେ ଶିକ୍ଷାନବୀଶ ଭାବେ ଯୋଗ ଦେଇ ସେ ରୋବୋଟିକ୍‌ସ ଓ ଅନ୍ତରୀକ୍ଷ ଅଭିଯାନ ଉପରେ କାମ କରିଥିଲେ। ଏହା ପରେ ସେ ଓହିଓ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ସାରିବା ସହ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ରେ ପିଏଚ୍‌ଡି ପାଇଁ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ଅବସରରେ ସେ ରିଓ ବାର୍ଡଙ୍କୁ ଭେଟିଥିଲେ, ଯାହାଙ୍କ ସହ ମିଶି ୨୦୨୦ରେ ସେ ‘ନାଭିଅର’ କମ୍ପାନି ସ୍ଥାପନ କରିଥିଲେ। ତାଙ୍କ ଦ୍ବାରା ନିର୍ମିତ ‘ନାଭିଅର-୩୦’ ଉଡ଼ନ୍ତା ତରୀରେ ତିନିଟି ଡେଣା ରହିଛି ଯାହା ପାଣି ତଳେ କାମ କରିଥାଏ। ଏହି ବିଦ୍ୟୁତ୍‌ଚାଳିତ ଯାନଟିର ବେଗ ବଢ଼ିବା ସାଙ୍ଗକୁ ତାହା ଭୂଇଁରୁ ଉଡ଼ାଜାହାଜ ଉଠିଲା ପରି ପାଣି ଉପରକୁ ଉଠି ଗତି କରିପାରୁଛି। ଫଳରେ ସମୁଦ୍ରର ଉତ୍ତାଳ ତରଙ୍ଗକୁ କାଟି ତାହା ଅନାୟାସରେ ଯାଇପାରୁଛି। ସଂପ୍ରୀତିଙ୍କର ଏହି ଉଡ଼ନ୍ତା ତରୀର ବ୍ୟାବସାୟିକ ପ୍ରସ୍ତୁତି ପାଇଁ ବିଭିନ୍ନ କମ୍ପାନି ଲାଗିପଡ଼ିଛନ୍ତି। ଏହା ଦ୍ବାରା ପାରମ୍ପରିକ ଜାହାଜ ଜନିତ ପ୍ରଦୂଷଣକୁ କମାଯାଇପାରିବା ସହ ଯାତ୍ରୀମାନଙ୍କୁ ଜଳ ଯାତ୍ରାର ଏକ ଭିନ୍ନ ଅନୁଭୂତି ମିଳିପାରିବ ବୋଲି ଆଶା କରାଯାଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button