ଓଡିଶା

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ

ଭୁବନେଶ୍ବର: ପୁରୀ ଗୋପର ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ। ପୁଲିସର ଅପାରଗତା, ମନ୍ତ୍ରୀଙ୍କ ସମ୍ପୃକ୍ତି, ମନ୍ତ୍ରୀଙ୍କୁ ପୁଲିସର ସୁରକ୍ଷାକୁ ନେଇ ବୁଧବାର ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ କରାଯାଇଛି। ଏହି ସମୟରେ ଉଗ୍ର ହୋଇଛି ଯୁବ କଂଗ୍ରେସ ନେତାଙ୍କ ଆକ୍ରୋଶ। ଫଳରେ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।

ଗୋପ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ଆଜି ୫ ଦିନ ହେଲାଣି। କିନ୍ତୁ ଏଯାଏଁ ତଦନ୍ତରେ ସେମିତି କୌଣସି ଅଗ୍ରଗତି ଆସିନି। ସେପଟେ ସାହୁଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସୋସିଆଲ ମିଡିଆରେ ଲାଇଭ କରି ତାଙ୍କ ଉପରେ ରାଜନୈତିକ ଚାପ ପକାଯାଉଥିବା କହିଥିଲେ। ଏଥିସହ ଏକ ଅଡିଓ ଭାଇରାଲ ହେଉଛି ଯେଉଁଥିରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି। ଆତ୍ମହତ୍ୟା ପରଠାରୁ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅନେକ ସଙ୍କେତ ମିଳୁଥିବା ସତ୍ତ୍ବେ ପୁଲିସ ଏହି ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଏହାକୁ ନେଇ ବୁଧବାର ଦିନ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ଘର ଆଗରେ ବିଭିନ୍ନ ନାରାବାଜି, ବିକ୍ଷୋଭ କରିବା ସହ ଛାତ୍ରନେତାମାନେ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି। ଛାତ୍ର ନେତାମାନେ ମନ୍ତ୍ରୀଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିବା ବେଳେ ପୁଲିସ ଓ ଛାତ୍ର ନେତାଙ୍କ ମଧ୍ୟରେ ଧକ୍କା ପେଲା ହୋଇଛି।

ଅଡିଓରେ ମୃତକ ଖୋଲାଖୋଲି ମନ୍ତ୍ରୀ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଥିବା କହିଥିବାରୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ, ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାକୁ ଛାତ୍ର ନେତାମାନେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button