ପାର୍ବଣକୁ ନେଇ କୁଚିନା ଆଶାବାଦୀ: ଆଣିଲା ରୋଷେଇ ଘର ସିଙ୍କ୍, ଫସେଟ୍ – Utkal Mail
ଭୁବନେଶ୍ବର: ରିଅଲ ଇଷ୍ଟେଟ୍ ବଜାରରେ ପ୍ରବଳ ଉତ୍ସାହ ରହିଥିବା ବେଳେ ଭାରତୀୟ ଅର୍ଥନୀତି ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛି। ଏହାର ପ୍ରଭାବରେ ଆସନ୍ତା ୨-୩ ମାସ କୁଚିନା ପାଇଁ ବହୁତ ଭଲ ରହିବ ବୋଲି କଂପାନିର ପରିଚାଳନା ନିର୍ଦ୍ଦେଶକ ନମିତ ବଜୋରିଆ କହିଛନ୍ତି। ପାର୍ବଣ ଋତୁ ପାଇଁ ରାଜ୍ୟର ରିଟେଲର ଓ ଡିଲରମାନଙ୍କକୁ କଂପାନିର ନୂଆ ଉତ୍ପାଦ ପ୍ରଦର୍ଶିତ କରିବା ସହ ସେ କହିଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପୂଜାରେ ଆମେ ଦୁଇ କୋଟି ଟଙ୍କାର ଅଧିକ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛୁ। ସାରା ଭାରତରେ କଂପାନି ବାର୍ଷିକ ପ୍ରାୟ ୪୦୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ସେଥିରେ ଓଡ଼ିଶାର ଅବଦାନ ୧୫ କୋଟି ଟଙ୍କା ରହିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୦-୨୨ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଦେଶର ୪୦୦୦ କୋଟି ଟଙ୍କାର ମଡ୍ୟୁଲାର କିଚେନ୍ ବଜାରରେ ଚିମ୍ନି ଏକ ବହୁତ ବଡ଼ କ୍ଷେତ୍ର। ଓଡ଼ିଶାରେ ବର୍ଷକୁ ୪୦-୫୦ କୋଟି ଟଙ୍କାର ଚିମ୍ନି ବିକ୍ରି ହେଉଛି। ସେହି ବଜାରର ୪୦-୪୫ ପ୍ରତିଶତ ଭାଗ କୁଚିନ କବ୍ଜାରେ ରହିଛି। ରୋଷେଇ ଘର ସାମଗ୍ରୀ ଓ କ୍ଷୁଦ୍ର ଆପ୍ଲାଏନ୍ସେସ୍ରେ ମଧ୍ୟ କଂପାନି ଭଲ କାରବାର କରୁଛି। ନୂତନ ଉତ୍ପାଦ ଭାବେ କଂପାନି ରୋଷେଇ ଘର ସିଙ୍କ୍ ଓ ଫସେଟ୍କୁ ଉନ୍ମୋଚନ କରିଛି। ଚଳିତ ଆର୍ଥିକ ବର୍ଷରେ ଭୁବନେଶ୍ବରରେ ଏକ ସିଗ୍ନେଚର ଷ୍ଟୋର୍ ଖୋଲିବା ଏବଂ ଭବିଷ୍ୟତରେ କୋଲକାତାରେ ଏକ ବଡ଼ କାରଖାନା ସ୍ଥାପନ କରିବାକୁ କୁଚିନ ଯୋଜନା ରଖିଥିବା ଶ୍ରୀ ବଜୋରିଆ କହିଛନ୍ତି।