ଏଷ୍ଟିଏଫ ପଞ୍ଝାରେ କଳାହୀରା ମାଫିଆ, ଚୋରା କୋଇଲା ଜବତ
ଧାମନଗର ୨୮/୦୯/ ଧାମନଗର ଅଞ୍ଚଳରେ କୋଇଲା ମାଫିଆ ଏବେ ସକ୍ରିୟ ହୋଇଉଠିଛନ୍ତି। ଅସୁରାଳି ନିକଟ ରେବ ପୋଲ ଠାରେ ଚୋରା ଡିପୁରେ ବାରମ୍ବାର ଚଢ଼ାଉ ହେତୁ କୋଇଲା ମାଫିଆ ମାନେ ତାଙ୍କର ଠିକଣା ବଦଳାଇଛନ୍ତି। ଗୋବିନ୍ଦପୁର ପଞ୍ଚାୟତ ବରଗଡା ସମବାୟ ସମିତି ନିକଟସ୍ଥ ଏକ ପରିତ୍ୟକ୍ତ ରାଇସ ମିଲ ଏବେ ସେମାନଙ୍କ ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଆଜି ସକାଳୁ ଓଡ଼ି ୦୫ ଏ.ଆର ୯୯୩୧ ନଂ ଥିବା ଏକ ବାରଚକିଆ ଟ୍ରକ୍ ରେ ଉକ୍ତ ଗୋଦାମ ଘରୁ ୩୦ ଟନରୁ ଉର୍ଦ୍ଧ୍ବ କୋଇଲା ଚୋରା ଚାଲାଣ ହେଉଥିବା ବେଳେ ଭୁବନେଶ୍ୱର ଏସ.ଟି.ଏଫ୍. ଟିମ୍ ଧରିବାକୁ ଚେଷ୍ଟା କରିଥିଲା। ମାଫିଆଙ୍କ ଇଙ୍ଗିତରେ ଗାଡ଼ିଟି ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ଉକ୍ତ ଟିମ୍ ତାକୁ ଗୋଡ଼ାଇ ଗୋଡ଼ାଇ ବାରିକପୁର୍ ନିକଟସ୍ଥ ବରପଦି ଛକ ଠାରେ ଧରିବାକୁ ସକ୍ଷମ ହୋଇଥିଲା। ଖବର ପାଇ ଧାମନଗର ପୋଲିସ, କେନ୍ଦୁଆପାଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି। ତେବେ ଚୋରା କାରବାର, ଲୁଟ୍, ରାହାଜାନି ଏବଂ ଚୋରି ରୋକିବାକୁ ଧାମନଗର ପୋଲିସ ଓ ଧୁଷୁରି ପୋଲିସ ଦିବା ରାତ୍ର ପେଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି।