ଓଡିଶା

ଶୀତ ଆଗମନରେ ପ୍ରକୃତିରାଣୀ ସୌନ୍ଦର୍ଯ୍ୟ ମଣ୍ଡିତ

ଜୟପୁର: ଶୀତର ଆଗମନରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଛି ଆକର୍ଷଣୀୟ ଓ  ଆନମନା କରୁଛି ପର୍ଯ୍ୟଟକଙ୍କୁ। ସକାଳର କୁହୁଡି ସାଂଗକୁ ସବୁଜିମାରେ ଭରା ପାହାଡ, ଆଉ ଏହାସହ ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ କୋରାପୁଟର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି । ଆଉ ଏହି ଅଳସୀ ଫୁଲର ମହକକୁ ଉପଭୋଗ କରିବା ସହ ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟରେ ହଜି ଯିବାକୁ  ପର୍ଯ୍ୟଟକଙ୍କ ଭିଡ ବି ଧୀରେ ଧୀରେ କୋରାପୁଟରେ ବଢିଲାଣି।

ଶୀତୁଆ ସକାଳରେ କୁହୁଡିର ପତଳା ଚାଦର। ନୀଳ ଆକାଶ ତଳେ ସବୁଜିମାରେ ଭରା  ପାହାଡ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର। ଯାହାକି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଧିକ ମନଲୋଭା କରୁଛି ।ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପୁରା ପରିବେଶକୁ କରୁଛି ମତୁଆଲା । ଲାଗୁଛି ସତେ ଯେମିତି ଏକର ଏକର ଏହି ଅଳସୀ ଫୁଲରେ ପ୍ରକୃତି ରାଣୀ ସୁନାର ଓଢଣୀ ମେଲି ବସିଛି। ଆଉ ପବନର ଟିକିଏ ସ୍ପର୍ଶ ଏହି ଫୁଲର ମହକକୁ ଚାରି ଆଡେ ମହକିତ କରୁଛି। ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟ ପ୍ରେମିକ ପ୍ରେମିକାଙ୍କୁ ରୋମାଞ୍ଚିତ କରୁଛି ଆଉ  ପର୍ଯ୍ୟଟକଙ୍କୁ ବିଭୋର ବି କରୁଛି।   ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେବା ପାଇଁ ଏବେ ଜିଲ୍ଲାରେ ଧୀରେ ଧୀରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ। କିଏ ଅଳସୀ ଫୁଲର ଖେତରେ ସେଲ୍ପି ନେଇ ସ୍ମୃତି ସାଇତି ରଖୁଛି ତ ଆଉ କିଏ ଏହାର ମହକକୁ ଉପଭୋଗ କରୁଛି।

ସେପଟେ ଶୀତ ଦିନ ରେ ନିଜକୁ ସତେଜ ରଖିବା ପାଇଁ ପ୍ରାତଃ ଭ୍ରମଣ ସାଙ୍ଗକୁ ବ୍ୟାୟାମ ଶାଳରେ  ଭିଡ ଜମୁଛି। ସେପଟେ ଶ୍ରମିକ ଓ ମଜୁରିଆ ମାନେ ନିଜ କର୍ମ ପାଇଁ ଭୋର ରୁ ବାହାରି  ପଡନ୍ତି। ଶୀତ ଦାଉରୁ ନିଜକୁ ସତେଜ ପାଇଁ ନିଆ ଜାଳି ବସନ୍ତି ଆଉ ଚାହା ପିଇ ନିଜକୁ ସତେଜ କରି ଚାଲି ଯାଆନ୍ତି କର୍ମ କ୍ଷେତ୍ରକୁ। କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ  ଓ ପରିବେଶ ବର୍ଷ ସାରା ଏଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଶୀତ ଦିନେ କୁହୁଡି ସାଙ୍ଗକୁ ଅଳସୀ ଫୁଲର ମହକ ପୁରା ପରିଶେଷକୁ ଆନମନା କରିଥାଏ। ଆଉ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ କିଛି ଲେଖିବାକୁ କବି ଓ ଲେଖକଙ୍କୁ ପ୍ରେରଣା ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button